ପ୍ରାଣନାଥ ସମ୍ମାନ ପାଇଁ ଗୋବିନ୍ଦ ପଟ୍ଟନାୟକ ମନୋନୀତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଶିଷ୍ଟ ସମାଜସେବୀ ଗୋବିନ୍ଦ ପଟ୍ଟନାୟକଙ୍କୁ ପ୍ରାଣନାଥ ସମ୍ମାନରେ ସମ୍ମାନିତ କରାଯିବ । ଆସନ୍ତା ଜାନୁଆରୀ ୨୮ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ପ୍ରାଣନାଥ ମହାବିଦ୍ୟାଳୟର ୬୫ତମ ସାମ୍ବତ୍ସରିକ ଉତ୍ସବରେ ବିଶିଷ୍ଟ ସମାଜସେବୀ ଗୋବିନ୍ଦ ପଟ୍ଟନାୟକଙ୍କୁ ପ୍ରାଣନାଥ ସମ୍ମାନରେ ସମ୍ମାନିତ କରାଯିବ ବୋଲି ମହାବିଦ୍ୟାଳୟର ଅଧ୍ୟକ୍ଷା ଅଜନ୍ତା ଶତପଥୀ ସୂଚନା ଦେଇଛନ୍ତି । ଏଠାରେ ଉଲ୍ଲେଖକଯୋଗ୍ୟ, ଶ୍ରୀଯୁକ୍ତ ପଟ୍ଟନାୟକ ରାଜ୍ୟ ତଥା ଦେଶର ବିଭିନ୍ନ ସମାଜସେବାମୂଳକ କାର୍ଯ୍ୟକ୍ରମ କରିବା ସହ ମାନସିକ ବିକାରଗ୍ରସ୍ତ ଓ ନିଷ୍ପେସିତ ଅସହାୟ ମହିଳା ତଥା ପୁରୁଷମାନଙ୍କ ନିମନ୍ତେ ବିଭିନ୍ନ ଥଇଥାନ କେନ୍ଦ୍ର ଯଥା ମିଶନ ଆଶ୍ରା ଓ ମିଶନ ଆଶାଲୋକ, ଅବହେଳିତ ଶିଶୁମାନଙ୍କ ଥଇଥାନ ନିମନ୍ତେ ଶିଶୁ ଯତ୍ନଗୃହ ‘ଆମଘର’, ମହିଳା ଚାଲାଣକୁ ରୋକିବା ନିମନ୍ତେ ‘ଉଜ୍ଜ୍ୱଳା ଗୃହ’, ନିର୍ଯ୍ୟାତିତ ମହିଳାମାନଙ୍କର ନ୍ୟାୟ ଓ ସୁରକ୍ଷା ନିମନ୍ତେ ‘ସଖୀ’, ଭିକ୍ଷାବୃତ୍ତି କରୁଥିବା ଭିକ୍ଷୁକମାନଙ୍କ ନିମନ୍ତେ ଥଇଥାନ କେନ୍ଦ୍ର ‘ଆଶ୍ୟା ମିଶନ’, ଅସହାୟ ବୃଦ୍ଧବୃଦ୍ଧା ମାନଙ୍କ ନିମନ୍ତେ ‘ବୃଦ୍ଧାଶ୍ରମ’, ନିଶାମୁକ୍ତ ସମାଜ ଗଠନ ପାଇଁ ‘ନିଶା ନିବାରଣ କେନ୍ଦ୍ର’ ଏବଂ ରାସ୍ତାକଡ଼ରେ ଘୂରି ବୁଲୁଥିବା ଅସହାୟ ଗୋରୁଗାଈମାନଙ୍କ ଥଇଥାନ ନିମନ୍ତେ ‘ଗୋ-ଶାଳା’ ଆଦି ବିିଭିନ୍ନ ଅନୁଷ୍ଠାନ ପ୍ରତିଷ୍ଠା କରିଛନ୍ତି । ବିଶେଷକରି ରାଜ୍ୟ ତଥା ଦେଶର ଦାରିଦ୍ର‌୍ୟ ସୀମାରେଖା ତଳେ ଥିବା ମହିଳା ଓ ପୁରୁଷମାନଙ୍କୁ ସାମାଜିକ ତଥା ଅର୍ଥନୈତିକ କ୍ଷେତ୍ରରେ ସଶକ୍ତିକରଣ ନିମନ୍ତେ ଅଗ୍ରଣୀ ଅର୍ଥଲଗାଣକାରୀ ସଂସ୍ଥା ‘ଅନ୍ନପୂର୍ଣ୍ଣା ଫାଇନାନ୍ସ’ ଗଠନ କରି ବର୍ତ୍ତମାନ ପ୍ରାୟ ୨୫ ଲକ୍ଷ ମହିଳା ଓ ପୁରୁଷଙ୍କୁ ସଶକ୍ତିକରଣ କରାଇ ପାରିଛନ୍ତି । ଶ୍ରୀଯୁକ୍ତ ପଟ୍ଟନାୟକ ଏହି ଉଲ୍ଲେଖନୀୟ ସମାଜସେବା ମୂଳକ କାର୍ଯ୍ୟକ୍ରମ ନିମନ୍ତେ ପୂର୍ବରୁ ବିଭିନ୍ନ ସମ୍ମାନରେ ସମ୍ମାନିତ ହୋଇଥିବା ବେଳେ ଆସନ୍ତା ୨୮ ତାରିଖରେ ପ୍ରାଣନାଥ ସମ୍ମାନରେ ସମ୍ମାନିତ ହେବେ ବୋଲି ପ୍ରାଣନାଥ ମହାବିଦ୍ୟାଳୟ ତରଫରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ