ପ୍ରାଣୀଧନ ନିରୀକ୍ଷକ ପଦବୀ ଖାଲି : ପଶୁ ଚିକିତ୍ସା ସେବା ବିପର୍ଯ୍ୟସ୍ତ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ରେ ଥିବା ୨୬ ଟି ପ୍ରାଣୀଧନ ସହାୟକ କେନ୍ଦ୍ର ମଧ୍ୟରୁ ଦଶଟି କେନ୍ଦ୍ରରେ ସହାୟକ ନଥିବା ଜଣାପଡ଼ିଛି । ଫଳରେ ପଶୁ ପକ୍ଷୀ ଚିକିତ୍ସା ସେବା ବିପର୍ଯ୍ୟସ୍ତ ହୋଇ ପଡିଛି। ନିମାପଡ଼ା ବ୍ଲକ ର ହରିପୁର,ଭଗବତୀପୁର, ରେଙ୍ଘାଲୋ ତମ୍ପାଳ ,ଛଣିଜଙ୍ଗ ,ଅମରେଶ୍ୱର, ବ୍ରହ୍ମକୁଣ୍ଡି,ଭୋଗଶାଳଦା,ଭିଲ୍ଲିଗ୍ରାମ, ଓ ଅରୀଷଣ୍ଢ ପ୍ରଭୁତି କେନ୍ଦ୍ରରେ ପ୍ରାଣୀ ଧନ ନିରୀକ୍ଷକ ପଦବୀ ଖାଲି ପଡ଼ିଛି।ଜଣେ ଜଣେ ପ୍ରାଣୀଧନ ନିରୀକ୍ଷକ ଙ୍କୁ ନିଜ ସହାୟକ କେନ୍ଦ୍ର ସହ ଅନ୍ୟ ସହାୟକ କେନ୍ଦ୍ର ଦାୟିତ୍ଵ ଦିଆଯାଇଛି । ଫଳରେ ଗୋ ସେବା ସୁଚାରୁରୂପେ ହୋଇପାରୁନଥିବା ଦୁଗ୍ଧଚାଷୀମାନେ ଅଭିଯୋଗ କରୁଛନ୍ତି। ଏହି ବ୍ଲକ ର ଛଣିଜଙ୍ଗ ,ଅରିଷଣ୍ଢ ,ଦକ୍ଷିଣରାଡସ , ଦଣ୍ଡିପୁର , ଉଛୁପୁର ,ବାମନାଳ, ଚଅଁରପଦା, ଦିଘାଳ,ବ୍ରହ୍ମକୁଣ୍ଡୀ ଓ ମଣିଜଙ୍ଗ ଠାରେ ପ୍ରାଣୀଧନ ସହାୟକ କେନ୍ଦ୍ର ରହିଥିବା ବେଳେ ବ୍ରହ୍ମକୁଣ୍ଡି ଠାରେ ଥିବା ସହାୟକ କେନ୍ଦ୍ର ର ନିଜସ୍ଵ ଗୃହ ଜରାଜୀର୍ଣ୍ଣ ଅବସ୍ଥାରେ ଭୂତକୋଠି ପାଲଟିଛି ।ଫଳରେ ଜନସାଧାରଣ ଶୌଚ ହେବାକୁ ଯାଗା ନ ପାଇ ଉକ୍ତ କେନ୍ଦ୍ର ପରିସର ରେ ଶୌଚ ହେଉଛନ୍ତି ।ଯଦି ବିଭାଗ ଏହି କେନ୍ଦ୍ର କୁ ନିରୀକ୍ଷକ ନିଯୁକ୍ତି ଦେବନାହିଁ ତେବେ ଉକ୍ତ ସ୍ଥାନରେ ଶୌଚାଳୟ ଖୋଲିଲେ ପଞ୍ଚାୟତର ଆୟ ବୃଦ୍ଧି ଘଟନ୍ତା ବୋଲି ସମାଜସେବୀ ଟୁଲୁ ମଲ୍ଲିକ ପ୍ରକାଶ କରିଛନ୍ତି ।ଏହି କେନ୍ଦ୍ର ଉପରେ ଭୋଦର ପଞ୍ଚାୟତ ସମେତ ନିଆଳି ବ୍ଲକର ଗୋ ଚାଷୀ ମାନେ ନିର୍ଭର କରୁଛନ୍ତି ।ଏହି କେନ୍ଦ୍ରରେ ନିରୀକ୍ଷକ ନ ଥିବାରୁ ଘରୋଇ ଡାକ୍ତର ଙ୍କ ଦ୍ଵାରା ଚିକିତ୍ସା କରାଇ ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି ବୋଲି ବହୁ ଚାଷୀ ଅଭିଯୋଗ କରିଛନ୍ତି ।ଏକ ମାସ ମଧ୍ୟରେ ଏହି କେନ୍ଦ୍ର ରେ ନିରୀକ୍ଷକ ନିଯୁକ୍ତି କରା ନଗଲେ ସଂପୃକ୍ତ କେନ୍ଦ୍ର ସମ୍ମୁଖରେ ଧାରଣା ଦିଆଯିବ ବୋଲି ସମାଜସେବୀ ଶ୍ରୀ ମଲିକ ଚେତାବନୀ ଦେଇଛନ୍ତି ।