ପ୍ରାଣୀ ଚିକିତ୍ସା ସହିତ ଘାସ ଚାଷ କରୁଛନ୍ତି ପ୍ରାଣୀଧନ ନିରୀକ୍ଷକ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ଭଦ୍ରକ ଜିଲା ବନ୍ତ ବ୍ଲକ ଓଡଙ୍ଗ ପ୍ରାଣୀଧନ ନିରୀକ୍ଷକ ପ୍ରିୟବ୍ରତ ରାଉତ ପ୍ରାଣୀ ଚିକିତ୍ସା ସହିତ ପାରା ଘାସ ଚାଷକୁ ଆପଣାଇ ନେଇଥିବାରୁ ବିଭାଗୀୟ ଅଧିକାରୀ ଓ ଗୋଶାଳା ପକ୍ଷରୁ ପ୍ରଶଂସା କରାଯାଇଛି । ପ୍ରାଣୀ ଚିକିତ୍ସା ସହିତ ସେ ଅବସର ସମୟରେ ନିଜକୁ ସାମାଜିକ କାର୍ଯ୍ୟରେ ନିୟୋଜିତ କରି ଆସୁଛନ୍ତି । ଏକ ବର୍ଷ ହେବ ସେ ନିଜ ବାଡିରେ ପାରା ପ୍ରଜାତିର ଘାସ ଚାଷ କରି ଆସୁଛନ୍ତି । ଏହାଦ୍ୱାରା ନିଜ ଗାଈଙ୍କ ଖାଦ୍ୟଭାବ ମେଣ୍ଟାଇବା ସହିତ ବଳକା ଘାସକୁ ସେ ଭଦ୍ରକ ଗୋଶାଳାକୁ ପଠାଉଛନ୍ତି । ଏପର୍ଯ୍ୟନ୍ତ ସେ ନିଜ ବାଡିରୁ ୧ ଟ୍ରିପ୍ ଓ ଅନ୍ୟ ଚାଷୀଙ୍କ ଫାର୍ମରୁ ୨ ଟ୍ରିପ୍ ଘାସ ଗୋଶାଳାକୁ ଯୋଗାଇ ଦେଇଛନ୍ତି । ଆଗକୁ ଅଧିକ ଘାସ ଗୋଶାଳାକୁ ଯୋଗାଇବେ ବୋଲି ସେ କହିଛନ୍ତି । ଏବେ ଗ୍ରାମାଞ୍ଚଳରେ ଚାରଣଭୂମି ହ୍ରାସ ପାଉଥିବାରୁ ଗୋପାଳକ ମାନେ ନିଜ ଜମିରେ ଘାସ ଚାଷ କଲେ ବଜାରରୁ ଗୋଖାଦ୍ୟ ଅଭାବ ପୂରଣ ହୋଇପାରିବା ସହିତ ଗୋଖାଦ୍ୟ ଠାରୁ ଚାଷ ହେଉଥିବା ଘାସ ଦିଆଗଲେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ହୋଇପାରନ୍ତା ବୋଲି ସେ କହିଛନ୍ତି । ଏପରି କାର୍ଯ୍ୟକୁ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା.ଶୁଭେନ୍ଦୁ କୁମାର ମିଶ୍ର, ବ୍ଲକ ପ୍ରାଣୀ ଚିକିତ୍ସାଧିକାରୀ ଡା.ନିର୍ମଳ ଚନ୍ଦ୍ର ବାରିକ୍, ଆଗରପଡା ଭାରପ୍ରାପ୍ତ ପ୍ରାଣୀ ଚିକିତ୍ସକ ଡା. ଦେବାଶୀଷ ଜେନାଙ୍କ ସମେତ ଭଦ୍ରକ ଗୋଶାଳା ପକ୍ଷରୁ ପ୍ରଶଂସା କରାଯାଇଛି ।


