ପ୍ରାଥମିକ ବିଦ୍ୟାଳୟ ମିଶ୍ରଣକୁ ବିରୋଧ, କମିଟିର ଅଗୋଚରରେ ସିଆରସିଙ୍କ ରିପୋର୍ଟ ପ୍ରଦାନ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ଗତ ଶିକ୍ଷା ବର୍ଷରେ ରାଜ୍ୟ ସରକାର ଗୋଟିଏ ପରିସରରେ ଥିବା ବିଦ୍ୟାଳୟ ଗୁଡିକୁ ହାଇସ୍କୁଲ ସହିତ ମିଶ୍ରଣ କରିବା ନେଇ ନିୟମ ପ୍ରଣୟନ କରିଥିଲେ । ସେହିଅନୁଯାୟୀ ବନ୍ତ ବ୍ଲକର ବିଭିନ୍ନ ବିଦ୍ୟାଳୟ ଗୁଡିକ ହାଇସ୍କୁଲ ସହିତ ମିଶ୍ରଣ ହୋଇଥିଲା । ମାତ୍ର ଟିଲୋ ପ୍ରାଥମିକ ବିଦ୍ୟାଳୟ ଗୋଟିଏ ପରିସର ମଧ୍ୟରେ ନଥିବା ବେଳେ ତାହାକୁ କମିଟିର ଅଗୋଚରରେ ରିପୋର୍ଟ ପ୍ରଦାନ କରି ମିଶ୍ରଣ କରାଇବା ଉଦ୍ୟମକୁ ବିଦ୍ୟାଳୟ ପରିଚାଳନା କମିଟି ଓ ଗ୍ରାମବାସୀ ମାନେ ବିରୋଧ କରିଛନ୍ତି । ପ୍ରକାଶ ଯେ, ସ୍ୱାଧୀନତା ପୂର୍ବରୁ ତଥା ୧୯୧୦ ମସିହାରେ ବନ୍ତ ବ୍ଲକ ତଥା ଭଦ୍ରକ -ଆନନ୍ଦପୁର ରାସ୍ତା ପାଶ୍ୱର୍ସ୍ଥ ଟିଲୋ ଛକ ଠାରେ ପ୍ରାଥମିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା । ଏହି ବିଦ୍ୟାଳୟରେ ଟିଲୋ ୧୩ ମୌଜା ସମେତ ଅନ୍ୟ ଗ୍ରାମରୁ ପିଲା ମାନେ ଆସି ପାଠପଢୁଥିଲେ । ଏହି ବିଦ୍ୟାଳୟରୁ ବହୁ ମେଧାବୀ ଛାତ୍ରଛାତ୍ରୀ ପାଠପଢି ଆଜି ଉଚ୍ଚ ପଦପଦବୀରେ ଅବସ୍ଥାପିତ ହୋଇପାରିଛନ୍ତି । ପରବର୍ତ୍ତୀ ଅବସ୍ଥାରେ ଏହି ପ୍ରାଥମିକ ବିଦ୍ୟାଳୟର ୧୦୦ ମିଟର ଦୂରରେ ତଥା ଭଦ୍ରକ-ଆନନ୍ଦପୁର ରାସ୍ତା ପାଶ୍ୱର୍ରେ ମଧ୍ୟ ଇଂରାଜୀ ବିଦ୍ୟାଳୟ ଓ ପରେ ସେହି ପରିସର ମଧ୍ୟରେ ୧୯୭୭-୭୮ ମସିହାରେ ହାଇସ୍କୁଲ ନିର୍ମାଣ ହୋଇଥିଲା । ଗତ ବର୍ଷ ସରକାରୀ ନିୟମ ଅନୁଯାୟୀ ଗୋଟିଏ ପରିସରରେ ଥିବା ମଧ୍ୟ ଇଂରାଜୀ ବିଦ୍ୟାଳୟ ହାଇସ୍କୁଲ ସହିତ ମିଶ୍ରଣ ହୋଇଥିଲା । ମାତ୍ର ପରେ ୧୦୦ ମିଟର ଦୂରରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ହାଇସ୍କୁଲ ସହିତ ମିଶ୍ରଣ କରିବା ନେଇ ସଂପୃକ୍ତ ସିଆରସି ବିଦ୍ୟାଳୟ ପରିଚାଳନା କମିଟିର ଅଗୋଚରରେ ବି.ଇ.ଓଙ୍କୁ ରିପୋର୍ଟ ପ୍ରଦାନ କରିଦେଇଥିଲେ । ଯାହାକି ପରବର୍ତ୍ତୀ ଅବସ୍ଥାରେ ଅସନ୍ତୋଷର ବାତାବରଣ ସୃଷ୍ଟି ହୋଇଥିଲା । ଏହାକୁ ବିରୋଧ କରି କମିଟି ଓ ଗ୍ରାମବାସୀଙ୍କ ପକ୍ଷରୁ ଶିକ୍ଷାମନ୍ତ୍ରୀ, ଶିକ୍ଷା ସଚିବ, ଜିଲା ଶିକ୍ଷାଧିକାରୀ, ବ୍ଲକ ଶିକ୍ଷାଧିକାରୀଙ୍କ ଠାରେ ଅଭିଯୋଗ କରାଯିବା ପରେ ମିଶ୍ରଣ ପର୍ବ ସ୍ଥଗିତ ହୋଇଥିଲା । ମାତ୍ର ଗତ ଦୁଇ ଦିନ ତଳେ ପୁନର୍ବାର ବି.ଇ.ଓଙ୍କ କାର୍ଯ୍ୟାଳୟ ପକ୍ଷରୁ ପ୍ରାଥମିକ ବିଦ୍ୟାଳୟ ମିଶ୍ରଣ ନେଇ ଚିଠି ଆସିବା ପରେ କମିଟି ଓ ଗ୍ରାମବାସୀଙ୍କ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି । କମିଟିର କହିବା କଥା ପ୍ରାଥମିକ ବିଦ୍ୟାଳୟ ଠାରୁ ହାଇସ୍କୁଲ ୧୦୦ମିଟର ଦୂରରେ ଅବସ୍ଥିତ ଥିବା ବେଳେ ଉଭୟ ବିଦ୍ୟାଳୟ ମଧ୍ୟରେ ଗ୍ରାମ୍ୟ ରାସ୍ତା ଓ ବ୍ୟକ୍ତିଗତ ଲୋକଙ୍କ ଘର ରହୁଛି । ତେବେ କିଭଳି ସରକାରୀ ନିୟମକୁ ଉଲଂଘନ କରାଯାଇ ଏଭଳି ମନୋମୁଖୀ କାର୍ଯ୍ୟ କରାଯାଉଛି ତାହା ତଦନ୍ତ ସାପେକ୍ଷ ବୋଲି କହିଛନ୍ତି । ତେବେ ରାଜ୍ୟ ସରକାର ଏଭଳି ସମସ୍ୟା ପ୍ରତି ଗୁରୁତ୍ୱ ଦେଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ କମିଟି ଓ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ ହୋଇଛି ।