ପ୍ରାଥମିକ ଶ୍ରେଣୀ ପାଇଁ ୮ ସପ୍ତାହର ବିକଳ୍ପ ପାଠ୍ୟଖସଡ଼ା ଜାରି

ନୂଆଦିଲ୍ଲୀ : କୋଭିଡ-୧୯ ଲକଡାଉନ ସମୟରେ ଘରେ ରହିଥିବା ଛାତ୍ରଛାତ୍ରୀଙ୍କୁ ଶିକ୍ଷାଗତ କାର୍ଯ୍ୟକଳାପରେ ବ୍ୟସ୍ତ ରଖିବା ଲାଗି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ସହଯୋଗରେ ଏନସିଇଆରଟି ପକ୍ଷରୁ ଏକ ବିକଳ୍ପ ପାଠ୍ୟଖସଡ଼ା ପ୍ରସ୍ତୁତ କରାଯାଇଛି। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀ ସେମାନଙ୍କର ଅଭିଭାବକ ଓ ଶିକ୍ଷକମାନଙ୍କର ସହାୟତାରେ ଏହି ପାଠ୍ୟଖସଡ଼ା (ଏକାଡେମିକ କ୍ୟାଲେଣ୍ଡର) ଅନୁଯାୟୀ ପାଠପଢ଼ା ଜାରି ରଖିପାରିବେ। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ ଆଜି ନୂଆଦିଲ୍ଲୀ ଠାରେ ପ୍ରାଥମିକ ସ୍ତରର ପିଲାମାନଙ୍କ ପାଇଁ ୮ ସପ୍ତାହର ଏହି ପାଠ୍ୟଖସଡ଼ାକୁ ଜାରି କରିଥିଲେ। ଏଥିପୂର୍ବରୁ ଏପ୍ରିଲ ୨୦୨୦ରେ ପୋଖରିୟାଲଙ୍କ ଦ୍ଵାରା ୪ସପ୍ତାହର ବିକଳ୍ପ ଏକାଡେମିକ କ୍ୟାଲେଣ୍ଡର ଜାରି କରିଥିଲେ। ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ କହିଥିଲେ ଯେ ଏହି କ୍ୟାଲେଣ୍ଡରରେ ଶିକ୍ଷକମାନଙ୍କ ପାଇଁ ନିର୍ଦ୍ଦିଷ୍ଟ ଗାଇଡଲାଇନ ରହିଛି। ଏଥିରେ ସାମାଜିକ ଗଣମାଧ୍ୟମ ଭଳି ବିଭିନ୍ନ ବୈଷୟିକ ଉପକରଣର ଉପଯୋଗ କରି ଛାତ୍ରଛାତ୍ରୀଙ୍କୁ ଆମୋଦପୂର୍ଣ୍ଣ ମାଧ୍ୟମରେ ପାଠ ପଢ଼ାଇବାର ପଦ୍ଧତି ରହିଛି। ଯାହାକୁ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକମାନେ ଉପଯୋଗ କରିପାରିବେ। ଏଥିରେ ମୋବାଇଲ, ରେଡିଓ, ଟେଲିଭିଜନ, ଏସଏମଏସ ଏବଂ ବିଭିନ୍ନ ସାମାଜିକ ଗଣମାଧ୍ୟମର ପହଞ୍ଚ ସ୍ତର ପ୍ରତି ମଧ୍ୟ ଧ୍ୟାନ ଦିଆଯାଇଛି। ଅଧିକାଂଶ ଲୋକଙ୍କ ନିକଟରେ ମୋବାଇଲ ଓ ଇଣ୍ଟରନେଟ ସଂଯୋଗ ନଥିବାରୁ ସେମାନେ ହୁଏତ ହ୍ଵାଟ୍ସଆପ, ଫେସବୁକ, ଟୁଇଟର, ଗୁଗଲ ଆଦି ସାମାଜିକ ଗଣମାଧ୍ୟମ ଉପକରଣର ଉପଯୋଗ କରିନପାରନ୍ତି। ଏହାକୁ ଦୃଷ୍ଟିରେ ରଖି ଏହି କ୍ୟାଲେଣ୍ଡରରେ ଛାତ୍ରଛାତ୍ରୀ, ଅଭିଭାବକମାନଙ୍କୁ ମୋବାଇଲ ଫୋନ ଏସଏମଏସ କିମ୍ବା ଭଏସ କଲ ମାଧ୍ୟମରେ ଶିକ୍ଷାଦାନ ପାଇଁ ମାର୍ଗଦର୍ଶନ କରିବା ଲାଗି ଶିକ୍ଷକମାନଙ୍କ ନିମନ୍ତେ ମାର୍ଗଦର୍ଶିକା ରହିଛି। ଏଥିରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ସ୍ଵତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ଶିଶୁଙ୍କ ପ୍ରତି ମଧ୍ୟ ଧ୍ୟାନ ଦିଆଯାଇଛି। ଏହି କ୍ୟାଲେଣ୍ଡରରେ ସପ୍ତାହ ଆଧାରିତ ଯୋଜନା ରହିଛି ଯାହା ଉତ୍ସାହପ୍ରଦ ଏବଂ ଆହ୍ଵାନପୂର୍ଣ୍ଣ କାର୍ଯ୍ୟକଳାପ ସହିତ ପାଠ୍ୟପୁସ୍ତକର ବିଷୟବସ୍ତୁ/ଅଧ୍ୟାୟର ବିଷୟବସ୍ତୁକୁ ସ୍ଥାନିତ କରାଯାଇଛି। ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଏଥିରେ ପାଠପଢ଼ାର ପରିଣାମ ପ୍ରତି ଧ୍ୟାନ ଦିଆଯାଇଛି। ଏଥିରେ କଳା ଚିତ୍ରାଙ୍କନ, ଶାରୀରିକ ବ୍ୟାୟାମ, ଯୋଗ, ପ୍ରାକ-ଧନ୍ଦାମୂଳକ ଦକ୍ଷତା ଆଦି ପରୀକ୍ଷାମୂଳକ କାର୍ଯ୍ୟକଳାପ ରହିଛି। ଏଥିରେ ହିନ୍ଦୀ, ଇଂରାଜୀ, ଊର୍ଦ୍ଦୁ ଓ ସଂସ୍କୃତ ଭାଷାରେ ଶ୍ରେଣୀ ଓ ବିଷୟ ଆଧାରିତ ପାଠ୍ୟଖସଡ଼ା ରହିଛି। କ୍ୟାଲେଣ୍ଡରକୁ ଏସସିଇଆରଟି/ଏସଆଇଇ, ଶିକ୍ଷା ନିର୍ଦ୍ଦେଶାଳୟ, କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ, ନବୋଦୟ ବିଦ୍ୟାଳୟ ସମିତି, ସିବିଏସଇ, ରାଜ୍ୟ ସ୍କୁଲ ଶିକ୍ଷା ବୋର୍ଡକୁ ବିତରଣ କରାଯାଇଛି। ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ସମସ୍ତ ଏସସିଇଆରଟିକୁ ନେଇ ଏକ ଭିଡିଓ କନଫରେନ୍ସ ଅନୁଷ୍ଠିତ ହୋଇଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ