ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କ ନିମନ୍ତେ ଯକ୍ଷ୍ମା ପ୍ରତିଷେଧକ ଟୀକାର ଜିଲ୍ଲା ସ୍ତରୀୟ ଶୁଭାରମ୍ଭ

ବାଲେଶ୍ୱର, (ସରୋଜ ପଣ୍ଡା) : ଜିଲ୍ଲା ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ, ଜିଲ୍ଲା ସ୍ୱାସ୍ଥ୍ୟ ସମିତି, ବାଲେଶ୍ୱର ସହଯୋଗରେ ସହଦେବଖୁଣ୍ଟା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କ ନିମନ୍ତେ ଯକ୍ଷ୍ମା ପ୍ରତିଷେଧକ ଟୀକାର ଜିଲ୍ଲା ସ୍ତରୀୟ ଶୁଭାରମ୍ଭ କରାଯାଇଛି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲପାଳ (ରାଜସ୍ୱ) ନିରଞ୍ଜନ ବେହେରା, ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଦୁଲାଲ ସେନ ଜଗତଦେଓ, ପୂର୍ବତନ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମୃତ୍ୟୁଞ୍ଜୟ ମିଶ୍ର, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ ଏବଂ ଟୀକାକରଣ) ଡାକ୍ତର ପରେଶ ଚନ୍ଦ୍ର ନନ୍ଦୀ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା) ଡାକ୍ତର ମନୋଜ କୁମାର ସାହୁ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (କୁଷ୍ଠ) ଡାକ୍ତର ସଞ୍ଜୀବ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ବାହକ ବାହିତ ରୋଗ) ଡାକ୍ତର ରଞ୍ଜନ କୁମାର ନାୟକ, ସହଦେବଖୁଣ୍ଟା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡାକ୍ତର ଲମ୍ବୋଦର ବଳ, ଜିଲ୍ଲା କାର୍ଯ୍ୟକ୍ରମ ସଂଯୋଜକ ବିଶ୍ୱରଂଜନ ନାୟକ, ସହକାରୀ କାର୍ଯ୍ୟକ୍ରମ ପରିଚାଳକ (ସହରାଞ୍ଚଳ ସ୍ୱାସ୍ଥ୍ୟ) ଶାଶ୍ୱତୀ ମହାପାତ୍ର, ସହକାରୀ ପରିଚାଳକ (ତାଲିମ, ସୂଚନା ଶିକ୍ଷା ଯୋଗାଯୋଗ ଏବଂ ଆଚରଣ ପରିବର୍ତ୍ତନ ଯୋଗାଯୋଗ) ଅନିତା କୁଣ୍ଡୁ, ଜନସ୍ୱାସ୍ଥ୍ୟ ପରିଚାଳକ ଭବାନୀ ଶଙ୍କର ମହାନ୍ତ ଏବଂ ଜିଲ୍ଲା ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଏବଂ ସହଦେବଖୁଣ୍ଟା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ରୋଗୀକଲ୍ୟାଣ ସମିତିରୁ ଗୌରାଙ୍ଗ ପାଣିଗ୍ରାହୀ ଓ ସରସ୍ୱତୀ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଅତିରିକ୍ତ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ପ୍ରମୁଖ ପ୍ରଦୀପ ପ୍ରଜ୍ୱଳନ କରି ଏହି ଟୀକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଅବସରରେ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ପ୍ରାପ୍ତବୟସ୍କ (ଉପଯୁକ୍ତ ହିତାଧିକାରୀ)ଙ୍କୁ ଟୀକାକାରଣ କରାଯିବ ସହିତ ଟୀକାର ଉପାଦେୟତା ବିଷୟରେ ସମସ୍ତ ଜନସାଧାରଣଙ୍କୁ ଅବଗତ କରାଯାଇଥିଲା । ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ଦୁଲାଳସେନ ଜଗତଦେଓ ସୂଚନା ଦେଇ କହିଲେ ୨୦୨୫ ସୁଦ୍ଧା ଦେଶକୁ ଯକ୍ଷ୍ମା ମୁକ୍ତ କରିବା ନିମନ୍ତେ ଭାରତ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ପୂର୍ବରୁ କେବଳ ଶିଶୁମାନଙ୍କୁ ଯକ୍ଷ୍ମା ପ୍ରତିଷେଧକ ବିସିଜି ଟୀକା ଦିଆ ଯାଉଥିବାବେଳେ ଏବେଠାରୁ ବୟସ୍କ ଲୋକମାନଙ୍କୁ ସ୍ୱତନ୍ତ୍ର ଟୀକାକରଣ ଶିବିରରେ ଏହି ଟୀକା ଦିଆଯିବ । ୬୦ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ବ୍ୟକ୍ତି, ୧୮ ବର୍ଷରୁ ୬୦ ବର୍ଷ ମଧ୍ୟରେ ଥିବା ବ୍ୟକ୍ତି ଯିଏକି ଗତ ୫ ବର୍ଷ ମଧ୍ୟରେ ଯକ୍ଷ୍ମା ରୋଗୀ ଭାବେ ଚିହ୍ନଟ ହୋଇଥିବେ ଓ ଚିକିତ୍ସିତ ହୋଇଥିବେ, ବିଗତ ୩ ବର୍ଷ ମଧ୍ୟରେ ଯକ୍ଷ୍ମା ରୋଗୀ ସଂସ୍ପର୍ଶରେ ଆସିଥିବେ, ମଧୁମେହ ରୋଗୀ ହୋଇଥିବେ, ଧୁମ୍ରପାନ କରୁଥିବେ କିମ୍ବା କୁପୋଷଣର ଶିକାର ହୋଇଥିବେ ସେମାନଙ୍କୁ ୨୭ ତାରିଖରୁ ସମସ୍ତ ଉପସ୍ୱାସ୍ଥ୍ୟକେନ୍ଦ୍ରରେ ମାଗଣାରେ ଟୀକା ଦିଆଯିବ । କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ଜିଲ୍ଲାର ଟୀକାକରଣର ମୁଖ୍ୟ ତଥା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡକ୍ଟର ପରେଶ ଚନ୍ଦ୍ର ନନ୍ଦୀ ଉଦବୋଧନ ଦେଇ କହିଲେ ବିଶ୍ୱରେ ସଂକ୍ରାମକ ରୋଗ ମଧ୍ୟରେ ଯକ୍ଷ୍ମା ରୋଗରେ ସବୁଠାରୁ ଅଧିକ ମୃତ୍ୟୁ ହେଉଛି । ତେଣୁ ଏଥି ଜନିତ ଅକାଳ ମୃତ୍ୟୁ ରୋକିବା ପାଇଁ ଏହି ଟୀକା ଏକ ପ୍ରଭାବଶାଳୀ ଉପାୟ । ସମସ୍ତ ଚିହ୍ନଟ ବ୍ୟକ୍ତିମାନଙ୍କୁ ଏହି ଟୀକା ଦିଆଯିବ । ମୋଟ ୪ ଲକ୍ଷ ୩୪ ହଜାର ଲୋକଙ୍କୁ ଟୀକାକରଣ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ