ପ୍ରାର୍ଥୀଙ୍କ ଅପରାଧିକ ତଥ୍ୟ ଦେଇନଥିବାରୁ ୮ ରାଜନୈତିକ ଦଳ ଉପରେ ଜୋରିମାନା
ନୂଆଦିଲ୍ଲୀ, (ୱାଇଏନ୍ଏସ୍): ୨୦୨୦ରେ ବିହାର ବିଧାନସଭା ସମୟରେ ସେମାନଙ୍କ ପ୍ରାର୍ଥୀଙ୍କ ଅପରାଧିକ ଇତିହାସ ନିଜ ୱେବ୍ସାଇଟ୍ ରେ ପ୍ରକାଶ ନ କରିବାରୁ ସୁପ୍ରିମକୋର୍ଟ ଆଠଟି ରାଜନୈତିକ ଦଳଙ୍କୁ ଜୋରିମାନା କରିଛନ୍ତି । ଜଷ୍ଟିସ୍ ଆରଏଫ୍ ନରିମନଙ୍କ ନେତୃତ୍ୱରେ ଏକ ବେଂଚ ଏହି ନିର୍ଦ୍ଦେଶ ଦେଇଛନ୍ତି । ଗତ ଜୁଲାଇ ୨୦ରେ କୋର୍ଟ ଏହି ରାୟ ସଂରକ୍ଷିତ ରଖିଥିଲେ ।ସିପିଏମ୍ ଏବଂ ଏନସିପି ଉପରେ ସୁପ୍ରିମକୋର୍ଟ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା, ବିଜେପି, କଂଗ୍ରେସ, ଜେଡ଼ିୟୁ, ରାଷ୍ଟ୍ରୀୟ ଜନତା ଦଳ, ସିପିଆଇ ଏବଂ ଲୋକ ଜନତା ପାର୍ଟି ଉପରେ ପ୍ରତ୍ୟେକଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ଜୋରିମାନା ଲଗାଇଛନ୍ତି । କୋର୍ଟ କହିଛନ୍ତି ଯେ, ସିପିଏମ୍ ଏବଂ ଏନସିପି କୌଣସି ଆଦେଶ ପାଳନ କରୁନାହାଁନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ, ରାଜନୈତିକ ଦଳ ପ୍ରାର୍ଥୀଙ୍କ ତଥ୍ୟକୁ ଅପରାଧିକ ପୃଷ୍ଠଭୂମି ଥିବା ୱେବ୍ସାଇଟର ମୂଳପୃଷ୍ଠାରେ ରଖିବେ । ପ୍ରାର୍ଥୀ ଚୟନ ଠାରୁ ୪୮ ଘଂଟା ମଧ୍ୟରେ ଏହି ସୂଚନା ଦେବାକୁ ପଡ଼ିବ । କୋର୍ଟ କହିଛନ୍ତି ଯେ, ନିର୍ବାଚନ ଆୟୋଗଙ୍କ ଏକ ପୃଥକ ମୋବାଇଲ ଆପ୍ ବିକଶିତ କରିବ ଯାହା ଦ୍ୱାରା ଭୋଟରମାନେ ମୋବାଇଲ ଫୋନ୍ରେ ଏଭଳି ପ୍ରାର୍ଥୀଙ୍କ ବିଷୟରେ ସୂଚନା ପାଇପାରିବେ ।ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀଙ୍କ ବିଷୟରେ ସୂଚନା ପାଇବାକୁ ଭୋଟରଙ୍କ ଅଧିକାର ପାଇଁ ନିର୍ବାଚନ ଆୟୋଗ ଏକ ବିଶାଳ ଅଭିଯାନ ଆରମ୍ଭ କରିବ । ଏଥିପାଇଁ ଏକ ପାଣ୍ଠି ସୃଷ୍ଟି କରାଯିବ ଯେଉଁଥିରେ ଅବମାନନାକାରୀଙ୍କ ଠାରୁ ଜୋରିମାନା ମଧ୍ୟ ନିଆଯିବ । ନିର୍ବାଚନ ଆୟୋଗ ଏକ ପୃଥକ ସେଲ୍ ଗଠନ କରିବେ, ଯାହା କୋର୍ଟର ନିର୍ଦ୍ଦେଶ ଉପରେ ନଜର ରଖିବ । ସୁପ୍ରିମକୋର୍ଟ କହିଛନ୍ତି ଯେ, ଯଦି କୌଣସି ରାଜନୈତିକ ଦଳ ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀଙ୍କ ବିଷୟରେ ସୂଚନା ଦେବାପାଇଁ ଏହି ନିର୍ଦ୍ଦେଶାବଳୀ ପାଳନ ନ କରନ୍ତି, ତେବେ ନିର୍ବାଚନ ଆୟୋଗ ଏହା ବିଷୟରେ କୋର୍ଟଙ୍କୁ ଜଣାଇବେ ଯାହା ଦ୍ୱାରା ସେହି ରାଜନୈତିକ ଦଳ ଗୁଡ଼ିକ ବିରୁଦ୍ଧରେ ଅବମାନନା ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।