ପ୍ରାର୍ଥୀପତ୍ର ଦାଖଲ କଲେ ସାଧ୍ୱୀ ପ୍ରଜ୍ଞା

ଭୋପାଳ(ଏଜେନ୍ସି): ବିବାଦୀୟ ହିନ୍ଦୁବାଦୀ ନେତ୍ରୀ ତଥା ମାଲେଗାଓଁ ବିସ୍ଫୋରଣ ମାମଲାରେ ଅନ୍ୟତମ ଅଭିଯୁକ୍ତ ତଥା ବିଜେପିର ଭୋପାଳ ଲୋକସଭା ସାଂସଦ ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ସୋମବାର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସାଧ୍ୱୀଙ୍କ ପ୍ରାର୍ଥିପତ୍ର ଦାଖଲ ସମୟରେ ପୂର୍ବତନ ମନ୍ତ୍ରୀ ଉମା ଶଙ୍କର ପ୍ରସ୍ତାବକ ସାଜିଥିଲେ । ସେ କହିଛନ୍ତି, ସାଧ୍ୱୀ ସମୁଦାୟ ୪ଟି ସେଟ୍ରେ ନିଜ ସମ୍ପର୍କୀତ ତଥ୍ୟ ଦେବେ । ସୋମବାର ୨ ସେଟ୍ ତଥ୍ୟ ଦାଖଲ କରିସାରିଥିବା ବେଳେ ଆସନ୍ତାକାଲି ଆଉ ୨ସେଟ୍ ତଥ୍ୟ ଦାଖଲ କରାଯିବ ।ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ନିକଟରେ ସାଧ୍ୱୀ ନିଜ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ସାଧ୍ୱୀ ଏକ ବିଶାଳ ରୋଡ୍ ଶୋ’ କରିଥିଲେ । ଉଲ୍ଲେଖଯୋଗ୍ୟ, ଭୋପାଳ ଆସନରୁ କଂଗ୍ରେସ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ନେତା ଦିଗବିଜୟ ସିଂହଙ୍କୁ ପ୍ରାର୍ଥୀ କରିଥିବା ବେଳେ ଏହି ଆସନରେ ଏକ ହାଇଭୋଲଟେଜ୍ ଲଢ଼େଇ ଦେଖିବାକୁ ମିଳିବ ବୋଲି କୁହାଯାଉଛି । ପ୍ରକାଶ ଯେ, କିଛି ଦିନ ପୂର୍ବେ ପ୍ରଜ୍ଞା ସିଂ ୨୬/୧୧ ସହିଦ୍ ହେମନ୍ତ କରକରେଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ । ତାଙ୍କ ବିରୋଧରେ ନିର୍ବାଚନ ଆୟୋଗ ନୋଟିସ୍ ଜାରି କରିଥିଲା । ଏହା ପରେ ସେ ନିଜର ବୟାନକୁ ପତ୍ୟାହାର କରିବା ସହ କ୍ଷମା ମାଗିଥିଲେ । ପୂର୍ବରୁ ୨ଠଠ୮ରେ ସେପ୍ଟେମ୍ବର ୨୯ରେ ମହାରାଷ୍ଟ୍ରର ମାଲେଗାଁଓରେ ହୋଇଥିବା ଏକ ଆଇଇଡି ବିସ୍ଫୋରଣ ଘଟଣାରେ ପ୍ରଜ୍ଞା ସିଂହ ଠାକୁରଙ୍କ ସମ୍ପୃକ୍ତି ଥିବା ପ୍ରମାଣିତ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା । ସମ୍ପ୍ରତି ସେ ଏହି ମାମଲାରେ ଜାମିନ୍ରେ ଅଛନ୍ତି ଓ ନିର୍ବାଚନ ଲଢ଼ୁଛନ୍ତି । ମାଲେଗାଓଁ ବିସ୍ଫୋରଣରେ ୬ଜଣ ନିହତ ହେବା ସହ ୧ଠଠରୁ ଊଦ୍ଧ୍ୱର୍ ବ୍ୟକ୍ତିବିଶେଷ ଆହତ ହୋଇଥିଲେ । ଏହାକୁ କେନ୍ଦ୍ର କରି ସାଧ୍ୱୀ ପ୍ରଜ୍ଞାଙ୍କ ପ୍ରାର୍ଥୀତ୍ୱକୁ ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଇବା ସହ ତାଙ୍କ ପ୍ରାର୍ଥୀପତ୍ର ନାକଚ କରିଦିଆଯିବା ଦାବିରେ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ