ପ୍ରିୟଙ୍କା ପାଇଲେ ଓଏଏସ୍
କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା):ପୁରୀ ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ସାରଡା ଗ୍ରାମର ପବିତ୍ର ନାୟକଙ୍କ କନ୍ୟା ପ୍ରିୟଙ୍କା ନାୟକ ଓଡ଼ିଶା ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇଛନ୍ତି। ତାଙ୍କର ରାଙ୍କ ୩୫୮ । ପ୍ରିୟଙ୍କାଙ୍କ ପିତା ପବିତ୍ର ନାୟକ ପୁରୀ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ରୋଷେୟା ଅଛନ୍ତି। ପ୍ରିୟଙ୍କା ପୁରୀର ଵ୍ଲେସ୍ ସେଟଲମେଣ୍ଟ ହାଇସ୍କୁଲରୁ ଦଶମ, କେନ୍ଦ୍ରୀୟ ଵିଦ୍ୟାଳୟରୁ ଦ୍ୱାଦଶ ଓ ପୁରୀ ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନ ଅନର୍ସରେ ସ୍ନାତକ ଶିକ୍ଷା ସମାପ୍ତ ପରେ ବ୍ରାଞ୍ଚ ପୋଷ୍ଟ ମାଷ୍ଟର ଭାବେ ଡାକ ବିଭାଗରେ କାର୍ଯ୍ୟରତ କରୁଥିଲେ। ଭୋଗପଡା ଗ୍ରାମରେ ନିଜ ମାଉସୀ ଘରେ ରହି ସେ ଓଏଏସ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ। ତାଙ୍କର ଏହି ସଫଳତା ପଛରେ ନିଜ ଵାପା-ମାଆଙ୍କ ସମେତ ମାଉସୀ-ମଉସାଙ୍କ ଅବଦାନ ରହିଥିଵା ପ୍ରିୟଙ୍କା ପ୍ରକାଶ କରିଛନ୍ତି। ଓଡ଼ିଶା ପ୍ରଶାସନିକ ସେବାରେ ଯୋଗଦେଇ ଗରୀଵ ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଦିଗରେ ଯତ୍ନଵାନ ହେବା ସହିତ ଭବିଷ୍ୟତରେ ଭାରତୀୟ ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହେବା ପାଇଁ ଅଧ୍ୟବସାୟ ଜାରି ରଖିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ଅଵସରରେ କୋଣାର୍କ ସାହିତ୍ୟ ସଂସଦ ସଂପାଦକ ରବୀନ୍ଦ୍ରନାଥ ବାହିନୀପତି, ସିଆରସିସି କିଶୋର କୁମାର ମାଝୀ ଓ ଶିକ୍ଷାବିତ୍ କୈଳାସ ଚନ୍ଦ୍ର ନାୟକ ପ୍ରିୟଙ୍କାଙ୍କୁ ଶୁଭକାମନା ଜଣାଇଛନ୍ତି।