ପ୍ରେମିକାକୁ ପୁଲିସ ନେଇଯିବାପରେ ପ୍ରେମିକର ଆତ୍ମହତ୍ୟା
ହାଟଡ଼ିହି, (ବିକାଶ ବିଶ୍ୱାଳ ) : ଶାଳଣିଆଁ ପଞ୍ଚାୟତ ମନୋହରପୁରରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ପ୍ରେମକୁ ସାକର କରି ନପାରିବାରୁ ପ୍ରେମିକାର ବିରହରେ ପ୍ରେମିକ ଜଣକ ବିଷ ପିଇ ଆତ୍ମହତ୍ୟା କରିଛି । ଖବରରୁ ଜଣାଯାଇଛି ଯେ ମନୋହରପୁର ଗ୍ରାମର ପ୍ରଶାନ୍ତ ଲେଙ୍କାଙ୍କ ପୁଅ ସାଇରଞ୍ଜନ ଲେଙ୍କା ଫେସବୁକ ମାଧ୍ୟମରେ ଝାଡଖଣ୍ଡ ରାଜ୍ୟ ଗିରିଡି ଜିଲ୍ଲା ମୁକ୍ତାସିର ଥାନା ଅଞ୍ଚଳର ଜଣେ ଯୁବତୀକୁ ଭଲ ପାଇବସିଥିଲା । ଉଭୟଙ୍କ ଭିତରେ ସମ୍ପର୍କ ନିବିଡ ହେବାପରେ ଗତ ୮ତାରିଖ ଦିନ ଝାଡଖଣ୍ଡ ଯାଇ ଉକ୍ତ ଯୁବତୀକୁ ଧରି ଘରକୁ ପଳାଇ ଆସିଥିଲା । ଏନେଇ ଯୁବତୀର ବାପା ମୁକ୍ତାସିର ଥାନାରେ ଅଭିଯୋଗ କରିବାପରେ ମୁକ୍ତାସିର ଥାନା ପୁଲିସ ଗତ ୧୧ତାରିଖ ଦିନ ନନ୍ଦିପଦା ପୁଲିସ ସହଯୋଗରେ ମନୋହରପୁର ଗ୍ରାମର ସାଇରଞ୍ଜନଙ୍କ ଘରେ ଚଢ଼ାଉ କରି ଯୁବତୀକୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ପ୍ରେମିକ ସହିତ ସମ୍ପର୍କ ବିଛିନ୍ନ ହୋଇଯିବାପରେ ସାଇରଞ୍ଜନ ମାନସିକ ଭାରସାମ୍ୟ ହରାଇ ଗତକାଲି କୀଟନାଶକ ପିଇଦେଇ ଥିଲା । ପରିବାର ଲୋକେ ଏହା ଜାଣିବାପରେ ତୁରନ୍ତ ଶାଳଣିଆଁ ଓ ସେଠାରୁ କଟକ ବଡଡାକ୍ତରଖାନାକୁ ନେବା ବାଟରେ ସାଇର ମୃତ୍ୟୁ ଘଟିଥିଲା । ସେ ବାପା ମାଙ୍କ ଏକମାତ୍ର ପୁତ୍ର ଥିବାରୁ ପରିବାର ଲୋକଙ୍କ କ୍ରନ୍ଦନର ଧ୍ୱନିରେ ସମଗ୍ର ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।


