ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଗଳିତ ମୃତଦେହ ଉଦ୍ଧାର କଲା ପୁଲିସ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଅଧୁରା ରହିଗଲା ବିବାହ ସ୍ୱପ୍ନ । ପ୍ରଥମେ ମିସ କଲରୁ ପ୍ରେମ, ପରେ ଉଭୟ କେତେ କଣ ସ୍ୱପ୍ନ ଦେଖିଥିଲେ ବିବାହ କରି ଘର ସଂସାର କରିବାକୁ । ପରିବାର ଲୋକେ ବି ଖୁସିରେ ଆତ୍ମହରା ହୋଇ ଉଠିଥିଲେ ପୁଅର ବିବାହକୁ ନେଇ । ହେଲେ ସବୁ ଯେପରି ପାଣିରେ ମିଳାଇ ଗଲା । ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ବାପା ମା ଭାଙ୍ଗିପଡିଥିବାବେଳେ ଗତକାଲି ଠାରୁ ଘରେ ଚୁଲି ଜଳିନି । ବିଦୁ୍ୟତ ବିଭାଗରେ କାମ କରି ଯାହା ପାଉଥିଲା ସେଥିରେ ତାଙ୍କର ଘରଟି ସୁରୁଖୁରୁରେ ଚଳିଯାଉଥିଲା । ବାହାଘର ଦିନ ମଧ୍ୟ କେତେ ବନ୍ଧୁବାନ୍ଧବ ଆସି ଘରେ ଭୋଜି ଭାତ କରି ଖୁସି ମନାଇଥିଲେ । କିନ୍ତୁ ସବୁ ଖୁସି ଆଜି କାନ୍ଦ ବୋବାଳିରେ ମିଳାଇ ଯାଇଛି । ସମଗ୍ର ଗାଁରେ ଆଜି ଶୋକାକୁଳ ପରିବେଶ । ଦଧିବାନପୁର ଗ୍ରାମର କମଳାକାନ୍ତ ଜେନା ରତକଣା ଗ୍ରାମର ଲିଲି ଜେନାଙ୍କ ସହିତ ମିସିକଳରୁ ପ୍ରେମ ସୃଷ୍ଟି ହୋଇଥିଲା । ଉଭୟ ଉଭୟକୁ ଜୀବନ ଦେଇ ଭଲପାଇ ବସିଲେ । ଉଭୟ ଏକାଠି ବିବାହ ବନ୍ଧନରେ ଆବଦ୍ଧ ହୋଇ ସଂସାର କରିବାକୁ ଲିଲି ଦଦôବାନପୁର ଗାଁକୁ ପଳାଇ ଆସିଥିଲା । ଗତ ଅଗଷ୍ଟମାସରେ ସେମାନେ ନିଜ ଘରେ ବୈଦିକ ରୀତିରେ ବିବାହ କରୁଥିବାବେଳେ ପୁଲିସ ଓ ପ୍ରଶାସନ ପହଞ୍ଚି ବାଲ୍ୟ ବିବାହ ବୋଲି ଦର୍ଶାଇ ଏହାକୁ ରୋକିଥିଲା । ଝିଅର ୧୮ବର୍ଷ ପୁରିଗଲେ ବିବାହ କରିବ ବୋଲି ଉଭୟ ପରିବାରକୁ ପରାମର୍ଶ ଦେଇଥିଲା । ସେଥିରେ ଉଭୟ ପରିବାର ମଧ୍ୟ ସହମତି ଦେଇତôଲେ । କିନ୍ତୁ ଗତ ୫ଦିନ ହେଲା ଉଭୟ ଘରୁ ନିଖୋଜ ହୋଇଯାଇଥିଲେ । ଗତକାଲି ସନ୍ଧ୍ୟାରେ ଦୁଇଟି ମୃତଦେହ ପଚିଶଢ଼ି ଯିବା ଅବସ୍ଥାରେ ତରତରା ଛକ ନିକଟରେ ଏକ ଲିମ୍ବଗଛରେ ଝୁଲୁଥିବା ଖବର ପ୍ରଚାରିତ ହୋଇଯିବାପରେ ଶହଶହ ଲୋକଙ୍କ ଭିଡ ଜମିଥିଲା । ଏହି ମୃତ ଦୁଇଟି କମଳାକାନ୍ତ ଓ ରତକଣା ଗ୍ରାମର ଲିଲି ଯେନାଙ୍କର ବୋଲି ସନେ୍ଦହ କରିଥିଲେ । କିନ୍ତୁ ରାତି ହୋଇଯାଇଥିବାରୁ ଏହାକୁ ଉଦ୍ଧାର କରାଯାଇ ପାରିନଥିଲା । ଆଜି ଆନନ୍ଦପୁର ପୁଲିସ ମାଜିଷ୍ଟେଟ ଓ ଉଭୟ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଉଦ୍ଧାର କରିଛି । ମୃତକ ଦୁଇଜଣ ହେଲେ ଦଧିବାବନପୁରର କମଳାକାନ୍ତ ଯେନା ଓ ରତକଣା ଗ୍ରାମର ଲିଲି ଯେନାଙ୍କର ବୋଲି ଉଭୟଙ୍କ ପରିବାର ଚିହ୍ନଟ କରିଛନ୍ତି । ସେମାନେ ଗତ ୫ଦିନ ହେଲା ଘରୁ ନିଖୋଜ ଥିଲେ । ଶବ ଗୁଡିକ ପଚିଷଢ଼ି ଯାଇଥିବାରୁ ସେମାନେ ୪/୫ଦିନ ତଳୁ ମୃତୁ୍ୟବରଣ କରିଥିବା ପୁଲିସ ଅନୁମାନ କରିଛି । ମୃତୁ୍ୟର କାରଣ ଜଣାପଡି ନଥିଲେ ମଧ୍ୟ ମୃତ କମଳାକାନ୍ତଙ୍କ ପରିବାର ଲୋକେ ଏହାକୁ ସୁପରିକଳ୍ପିତ ହତ୍ୟା ବୋଲି କହୁଛନ୍ତି । ଝିଅଘର ଲୋକେ ମାରିଥିବା ନେଇ କମଳାକାନ୍ତଙ୍କ ଖୁଡି ଅଭିଯୋଗ କରିଥିବାବେଳେ ମୃତ ଲିଲି ଜେନାଙ୍କ ବାପା ଏହାକୁ ଅସ୍ୱୀକାର କରିଛନ୍ତି । ଅନ୍ୟପକ୍ଷରେ ପୁଲିସ ଏକ ଅପମୃତୁ୍ୟ ମାମଲା ରୁଜୁକରି ଶବ ଗୁଡିକୁ ପୋଷ୍ଟମଟମ ପାଇଁ ଆନନ୍ଦପୁର ଡାକ୍ତରଖାନା ପଠାଇ ତଦନ୍ତ ଆରମ୍ଭ କରିଛି ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ