ପ୍ରେମ ପାଇଁ ଜୀବନ ଗଲା ଗର୍ଭବତୀ ମହିଳାଙ୍କୁ ହତ୍ୟା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) : ଭଣ୍ଡାରିପୋଖରୀ ଥାନା ନପଙ୍ଗ ଗ୍ରାମରେ ଜଣେ ଆଠ ମାସର ଗର୍ଭବତୀ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପ୍ରାପ୍ତ ଅଭିଯୋଗ ଅନୁଯାୟୀ ନିକଟ ଖୋଳାମୁହଁ ଠାରେ ବସବାସ କରୁଥିବା ମାଳଦା ଗ୍ରାମର ପ୍ରଫୁଲ୍ଲ ଦାସଙ୍କ ଝିଅ ତପସ୍ୱିନୀ(୨୩) ଆଠମାସ ତଳେ ନପଙ୍ଗ ଗ୍ରାମର ସିପୁନ ଦାସଙ୍କୁ ପ୍ରେମ ବିବାହ କରିଥିଲେ। ସିପୁନ ପୂର୍ବରୁ ବିବାହ କରିଥିବା ବେଳେ ତାଙ୍କର ପ୍ରଥମ ପତ୍ନୀ ସହିତ ଏକ କନ୍ୟା ସନ୍ତାନ ମଧ୍ୟ ରହିଛି। ଏସବୁ ଜାଣିବା ସତ୍ତ୍ୱେ ତପସ୍ୱିନୀ ତାଙ୍କୁ ଭଲପାଇ ପ୍ରେମ ବିବାହ କରିଥିଲେ। ବାହାଘର ପରେ ତପସ୍ୱିନୀଙ୍କୁ ଶାଶୁଘର ଲୋକ ବିଭିନ୍ନ ସମୟରେ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଏନେଇ ପୂର୍ବରୁ ଅନେକ ବାର ଥାନାରେ ଅଭିଯୋଗ ହୋଇ ଘଟଣାର ସମାଧାନ ମଧ୍ୟ ହୋଇଛି। ଏହାରି ଭିତରେ ଗତ ରବିବାର ବିଳମ୍ବିତ ରାତିରେ ସ୍ୱାମୀ ସିପୁନ ସମେତ ଶ୍ବଶୁର ଟୁଲୁ ଦାସ, ଶାଶୁ ମଞ୍ଜୁ ଦାସଙ୍କ ସମେତ ଅନ୍ୟମାନେ ତପସ୍ୱିନୀକୁ ହତ୍ୟା କରିଥିବା ବାପା ପ୍ରଫୁଲ୍ଲ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ତପସ୍ୱିନୀଙ୍କ ମୃତଦେହ ଗ୍ରାମ ନିକଟ ରାସ୍ତା ପାର୍ଶ୍ୱ ନୟନଯୋରୀ ପଡିଥିବା ବେଳେ ଆଜି ସକାଳୁ ଖବର ପାଇ ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହା ସହିତ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏନେଇ ୩୫୫/୨୩ରେ ଏକ ମାମଲା ରୁଜ୍ଜୁ କରିଛି। ଏହାସହିତ ଅଭିଯୁକ୍ତ ସ୍ୱାମୀ ଗିରଫ ହୋଇଥିବା ଜଣାଯାଇଛି।


