ପ୍ରେମ ବିବାହର କରୁଣ ଦୃଶ୍ୟ, ଶୋଇବା ଘରୁ ମହିଳାଙ୍କ ମୃତ ଶରୀର ଉଦ୍ଧାର
ପୋଲସରା, (ଅନିଲ କୁମାର ମହାରଣା):ରବିବାର ଦିନ ପୋଲସରା ବ୍ଳକ ଓ କବିସୂର୍ଯ୍ୟ ନଗର ପୋଲିସ ଥାନା ଅନ୍ତର୍ଗତ ବାଲିଛାଇ ଗ୍ରାମ ରେ ଜଣେ ବିବାହିତା ମହିଳାଙ୍କ ମର ଶରୀର ଶୋଇବା ଘରୁ ଉଦ୍ଧାର ହୋଇଛି। ମୃତ ମହିଳାଙ୍କ ଶ୍ବଶୁର ଘର ଲୋକେ ଏହାକୁ ଆତ୍ମହତ୍ୟା ବୋଲି କହୁଥିବା ବେଳେ ବାପ ଘର ଲୋକେ ଝିଅକୁ ମାରି ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି। ମିଳିଥିବା ସୂଚନା ପ୍ରକାରେ ବାଲିଛାଇ ବାସିନ୍ଦା କୈଳାଶ ଜେନାଙ୍କ ଝିଅ ସୁଚିତ୍ରା ୬ ବର୍ଷ ପୂର୍ବେ ସେହି ଗ୍ରାମର କୋକନ ମହାନ୍ତିଙ୍କ ପୁଅ ଫିରୋଜଙ୍କୁ ଭଲ ପାଇ ବିବାହ କରିଥିଲେ। ଉଭୟ ପରିବାର ଏହି ବିବାହ କୁ ବିରୋଧ କରିବାରୁ ଫିରୋଜ ଓ ସୁଚିତ୍ରା ଗ୍ରାମରେ ନରହି ଅନ୍ୟତ୍ର ରହୁଥିଲେ। ପରେ ପରିବାର ଲୋକେ ସ୍ବୀକୃତି ଦେବାରୁ ଗ୍ରାମକୁ ଫେରିଥିଲେ। ତେବେ ରବିବାର ଦିନ ସୁଚିତ୍ରାଙ୍କ ମର ଶରୀର ଶୋଇବା ଘର ପଙ୍ଖାରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ସୁଚିତ୍ରା ଆତ୍ମହତ୍ୟା କରିଛି ବୋଲି ଫିରୋଜଙ୍କ ପରିବାର କହୁଥିବା ବେଳେ ସୁଚିତ୍ରାଙ୍କୁ ରୀତିମତ ଭାବରେ ଯୌତୁକ ପାଇଁ ଫିରୋଜଙ୍କ ପରିବାର ନିର୍ଯ୍ୟାତନା ଦେଉଥିଲେ ଓ ଝିଅ ସହିତ କଥା ହେବାକୁ ସୁଯୋଗ ଦିଆ ଯାଉ ନଥିଲା ବୋଲି ସୁଚିତ୍ରାଙ୍କ ମା ଜ୍ୟୋତ୍ସ୍ନା ଜେନା ଅଭିଯୋଗ କରିବା ସହିତ ତାଙ୍କ ଝିଅକୁ ହତ୍ୟା କରାଯାଇଛି ବୋଲି କହିଛନ୍ତି। ଏ ସମ୍ପର୍କରେ ଖବର ପାଇବା ପରେ କବିସୂର୍ଯ୍ୟ ନଗର ପୋଲିସ ଓ ସାଇଣ୍ଟିଫିକ୍ ଟିମ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ଘଟଣାର ତଦନ୍ତ ଜାରି ରଖିଛନ୍ତି। ଫିରୋଜ ଓ ସୁଚିତ୍ରା ଙ୍କ ଗୋଟିଏ କନ୍ୟା ସନ୍ତାନ ଥିବା ଜଣାପଡିଛି।


