ପ୍ରେରଣା ଗ୍ରୀନ୍ ଆର୍ମି ଓ ସମାଜର ଦର୍ପଣ ହେଲ୍ପଗ୍ରୁପ୍ ପକ୍ଷରୁ ଭୁବନେଶ୍ୱରର ସମସ୍ତ ମନ୍ଦିରକୁ ସବୁଜ ସୁନ୍ଦର କରିବା ଅଭିଯାନ ଉଦ୍‌ଘାଟିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଭୁବନେଶ୍ୱର ସହରର ଲୋକସଂଖ୍ୟା, ଗାଡ଼ିମୋଟର, ଶିଳ୍ପାନୁଷ୍ଠାନ ଆଦି ଦିନକୁ ଦିନ ବଢି ଚାଲିଥିବା ବେଳେ ସେହି ଅନୁପାତରେ ବୃକ୍ଷରୋପଣ କରାଯାଉ ନାହିଁ । ପରନ୍ତୁ ରାସ୍ତା ପ୍ରଶସ୍ତିକରଣ, ସୁଉଚ୍ଚ ଅଟ୍ଟାଳିକା ନିର୍ମାଣ, ଫ୍ଲାଏ ଓଭର ଆଦି ଅନେକ କାର୍ଯ୍ୟ ପାଇଁ କୌଣସି ନିର୍ଦ୍ଦିଷ୍ଟ ପ୍ଲାନ ନଥାଇ ବହୁ ବର୍ଷର ପୁରୁଣା ଗଛମାନ କାଟି ଦିଆଯାଉଛି । ଯାହାଫଳରେ ଲୋକସଂଖ୍ୟା ଅନୁପାତରେ ଗଛ ନଥିବା ସହିତ ସହରର ତାପମାତ୍ରା ବୃଦ୍ଧି ପାଉଛି ଓ ବାୟୁମଣ୍ଡଳ ଅଧିକ ମାତ୍ରାରେ ପ୍ରଦୂଷିତ ହେଉଛି । ତେଣୁ ଭୁବନେଶ୍ୱରର ସମସ୍ତ ମନ୍ଦିର ପରିସରକୁ ବୃକ୍ଷ ରୋପଣ ମାଧ୍ୟମରେ ସବୁଜ, ସୁନ୍ଦର କଲେ ସେହି ଗଛଗୁଡ଼ିକ ଭବିଷ୍ୟତରେ କଟାଯିବ ନାହିଁ । ଏହା ସହରର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହିତ ବାୟୁ ପ୍ରଦୂଷଣ, ଉତ୍ତାପ ହ୍ରାସରେ ସହାୟକ ହେବ ବୋଲି ପ୍ରେରଣା ଗ୍ରୀନ୍ ଆର୍ମି ଓ ସମାଜର ଦର୍ପଣ ହେଲ୍ପ ଗ୍ରୁପ୍ ପକ୍ଷରୁ ଆଜିଠାରୁ ଭୁବନେଶ୍ୱରର ପ୍ରତ୍ୟେକ ମନ୍ଦିର ପରିସରକୁ ବୃକ୍ଷ ରୋପଣ ମାଧ୍ୟମରେ ସବୁଜିମା କରିବା ସହିତ ପରିସ୍କାର, ପରିଚ୍ଛନ୍ନ ଆରମ୍ଭ ହେଲା ବୋଲି କାର୍ଯ୍ୟକ୍ରମର ଉଦ୍‌ଘାଟନ ଉତ୍ସବରେ ପ୍ରେରଣା ଗ୍ରୀନ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ବାଣୀବିହାର ପରିସରସ୍ଥ ଜଗନ୍ନାଥ ମନ୍ଦିରରେ ବୃକ୍ଷ ରୋପଣ ଓ ଏହି ଅବସରରେ ଆୟୋଜିତ ଉତ୍ସବରେ ମତବ୍ୟକ୍ତ କରିଛନ୍ତି । ସେହିପରି ବାଣୀବିହାର ପରିସର ଶ୍ରୀ ଶ୍ରୀ କେଦାରେଶ୍ୱର ମହାଦେବଙ୍କ ମନ୍ଦିର ଓ ମନ୍ଦିର ଚତୁଃପାଶ୍ୱର୍ରେ ବୃକ୍ଷରୋପଣ କରାଯାଇଥିଲା । ପର୍ଯ୍ୟାୟକ୍ରମେ ପ୍ରତି ରବିବାର ଦିନ ଭୁବନେଶ୍ୱରର ବିଭିନ୍ନ ମନ୍ଦିରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ଡଃ ଶ୍ରୀଚନ୍ଦନ କହିଥିଲେ । ବିଶେଷକରି ଜଗା ପାଇଁ ଗଛଟିଏ ଲଗା ଅଭିଯାନର ଏହା ଏକ ପ୍ରମୁଖ ଅଂଶବିଶେଷ ବୋଲି ଏଥିରେ ସମ୍ମାନିତ ଅତିଥି ଭାବରେ ଜଗନ୍ନାଥ ସେବା ପ୍ରତିଷ୍ଠାନର ସଭାପତି ଶ୍ରୀ ଚକ୍ରଧର ମହାପାତ୍ର ବୃକ୍ଷରୋପଣ କରିବା ସହିତ ଏହା କହିଛନ୍ତି ।
ଏହି କାର୍ଯ୍ୟକ୍ରମରେ ସମାଜର ଦର୍ପଣ ହେଲ୍ପ ଗ୍ରୁପର ସଭାପତି ପ୍ରଶାନ୍ତ ସେନାପତି, ସମ୍ପାଦକ ଚନ୍ଦନ କୁମାର ସ୍ୱାଇଁ, କୋଷାଧ୍ୟକ୍ଷ ଆଲୋକ କୁମାର ସାହୁ ଓ ହିନ୍ଦୁସ୍ତାନ କୋରିଡ଼ର ମୁଖ୍ୟ ସମ୍ପାଦକ ଜଗନ୍ନାଥ ପ୍ରସାଦ ସାହୁ ପ୍ରମୁଖ ବହୁ ବ୍ୟକ୍ତି ଯୋଗଦାନ କରି ବୃକ୍ଷରୋପଣ କରିବା ସହିତ ଏହି ଅଭିଯାନର ଆଭିମୁଖ୍ୟ ସମ୍ପର୍କରେ ନିଜର ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ସମସ୍ତ ସ୍ୱେଚ୍ଛାସେବୀ ମାନେ ଆସନ୍ତୁ ଗଛଟିଏ ଲଗାଇବା, ମନ୍ଦିର ପରିସରକୁ ସବୁଜ ସୁନ୍ଦର କରିବା ଓ ଭୁବନେଶ୍ୱରର ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଶପଥପାଠ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ