ପ୍ରେରଣା ଗ୍ରୀନ ଆର୍ମି ପକ୍ଷରୁ ହର୍ବାଲ ହୋଲି ଖେଳିବା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ସାମାଜିକ ଅନୁଷ୍ଠାନ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ ଆର୍ମି ପକ୍ଷରୁ ହର୍ବାଲ ହୋଲି ଖେଳିବା, ଜଙ୍ଗଲରୁ ନିଆଁ ଲିଭାଇବା ଓ ପଶୁପକ୍ଷୀମାନଙ୍କ ପାଇଁ ପାଣିପାତ୍ର ରଖିବା ନିମନ୍ତେ ସୋମବାରଦିନ ବରମୁଣ୍ଡାସ୍ଥିତ ହୋଟେଲ ଚନ୍ଦନ ସମ୍ମିଳନୀ କକ୍ଷରେ ଏକ ସଭା ଓ ପରେ ପରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଭାପତିତ୍ୱ କରି ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ ଆର୍ମିର କମାଣ୍ଡାଣ୍ଟ ଇନ୍ ଚିଫ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ କହିଲେ ଯେ, କେମିକାଲଯୁକ୍ତ ହୋଲି ଖେଳିବା ଦ୍ୱାରା ବିଭିନ୍ନ ଚର୍ମରୋଗ ହେବା ସହିତ ଆଖି, କାନ, ନାକ ଆଦି ମନୁଷ୍ୟର ଇନ୍ଦ୍ରିୟଗୁଡ଼ିକ କ୍ଷତିଗ୍ରସ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ସେହିପରି ବାୟୁମଣ୍ଡଳ ମଧ୍ୟ ପ୍ରଦୂଷିତ ହୁଏ । ତେଣୁ ହଳଦୀ, ଚନ୍ଦନ, ନିମ୍ବ ଆଦି ଚୁର୍ଣ୍ଣ ଓ ଗୋଳକୁ ନେଇ ହୋଲି ଖେଳିଲେ ଏହା ଶରୀର ପାଇଁ ଉପଯୋଗୀ ହେବା ସହିତ ଆମ ସଂସ୍କୃତି ସହିତ ଯେଉଁ ସଂଯୋଗ ରହିଛି ତାହା ସୁରକ୍ଷିତ ରହିବ । ସେହିପରି ବର୍ତ୍ତମାନ ସୁଦ୍ଧା ୨୪୧୭୦୦ ହେକ୍ଟର ପରିମିତ ଜଙ୍ଗଲରେ ନିଆଁ ଲାଗି ପ୍ରାୟ ୫୦ଲକ୍ଷରୁ ଅଧିକ ଜୀବଜନ୍ତୁ ମୃତ୍ୟୁବରଣ କଲେଣି । ତେଣୁ ଯେଉଁଠି ନିଆଁ ଲାଗୁଛି ତତ୍‌କ୍ଷଣାତ ଦମକଳ କେନ୍ଦ୍ରକୁ ଫୋନ୍ କରିବା, ଜଙ୍ଗଲ ବିଭାଗକୁ ଜଣାଇବା ଓ ନିଜେ ନିଆଁ ଲିଭାଇବା ପାଇଁ ଉଦ୍ୟମ କରିବାକୁ ଡଃ ଶ୍ରୀଚନ୍ଦନ କହିଥିଲେ। ସେହିପରି ପଶୁପକ୍ଷୀମାନେ ଖରାଦିନେ ପାଣିଟୋପେ ନ ପାଇ ଡହଳ ବିକଳ ହୋଇଥିବାରୁ ସେମାନଙ୍କ ନିମନ୍ତେ ଘରଆଗରେ ତଥା ଛାତ ଉପରେ ପାଣିପାତ୍ର ରଖିବା ପାଇଁ ସେ ନିବେଦନ କରିଥିଲେ । ଏହି ସଭାରେ ଡାକ୍ତର ସୁଶ୍ରୀ ଶତପଥୀ, ଡାକ୍ତର ମଙ୍ଗଳା ପ୍ରସାଦ ପ୍ରଧାନ, ଓଡ଼ିଶା ବୀର ମହାସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ, ବିଶିଷ୍ଟ ଶିକ୍ଷାବିତ୍ ଜଲିଲ ଖାଁ, ବରମୁଣ୍ଡା କର୍ପୋରେଟର ପ୍ରଦୀପ ମିଶ୍ର, ସମାଜସେବୀ ଶାଶ୍ୱତୀ ଦାସ, ସମାଜସେବୀ ଗଣେଶ୍ୱରସିଂ ସାମନ୍ତ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି କହିଲେ ଯେ, ଚୈତ୍ରମାସ ସମୟରୁ ମିଳିମିଳା ଆଦି ରୋଗ ଆରମ୍ଭ ହେଉଥିବା ବେଳେ ହଳଦୀ ଓ ନିମ୍ବଜାତୀୟ ଚୂର୍ଣ୍ଣ ଓ ଗୋଳରେ ହୋଲି ଖେଳିଲେ ତାହା ଚର୍ମରୋଗକୁ ସୁରକ୍ଷିତ ରଖିବା ସହିତ ବସନ୍ତ ଆଦି ରୋଗ ପାଇଁ ଏକ ପ୍ରିଭେଣ୍ଟିଭ ଭଳି କାର୍ଯ୍ୟ କରେ । ଏହି ସଭାରେ ହୋଲିର ଗୀତ ଓ ବାଦ୍ୟ ସହ ଚନ୍ଦନ, ହଳଦୀ, ନିମ୍ବପତ୍ର ଆଦିର ଚୂର୍ଣ୍ଣ ଓ ଗୋଳକୁ ନେଇ ହୋଲି ଖେଳାଯାଇଥିଲା । ଏହାପରେ ଏକ ଶୋଭାଯାତ୍ରା ବରମୁଣ୍ଡା ହୋଟେଲ ଚନ୍ଦନ ଠାରୁ ବାହାରି ସ୍ୱେଚ୍ଛାସେବୀମାନେ ସହରର ବିଭିନ୍ନ ସ୍ଥାନ ପରିକ୍ରମା କରିବା ସହ ସଚେତନତାର ବାର୍ତ୍ତା ବାଣ୍ଟିବା ପାଇଁ ଲିଫଲେଟ ଓ ପ୍ଲାକାର୍ଡ଼ ଆଦି ପ୍ରଦର୍ଶନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ