ପ୍ରେରଣା ପକ୍ଷରୁ ଗଛରେ ରାଖି ବନ୍ଧନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପରିବେଶ ସୁରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ସାମାଜିକ ଅନୁଷ୍ଠାନ ପ୍ରେରଣା ପକ୍ଷରୁ ସାମ୍ପ୍ରତିକ ପରିସ୍ଥିତିରେ ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ଉତ୍ତାପ ବୃଦ୍ଧି ଆଦିକୁ ଆଖିରେ ରଖି ବ୍ୟାପକ ବୃକ୍ଷ ରୋପଣ ବିଶେଷକରି ବୃକ୍ଷ ସୁରକ୍ଷା ପାଇଁ ଜନ ଜାଗରଣ ସୃଷ୍ଟି କରିବା ନିମନ୍ତେ ଏକ ନିଆରା ଢଙ୍ଗରେ ରାଖି ପୂର୍ଣ୍ଣିମା ପାଳନ ପୂର୍ବକ ଗଛରେ ରାଖି ବାନ୍ଧିବା, ବିନା ମୂଲ୍ୟରେ ଶତାଧିକ ବୃକ୍ଷ ବଣ୍ଟନ କରିବା ଓ ବୃକ୍ଷ ସୁରକ୍ଷା ନିମନ୍ତେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ସ୍ଥାନୀୟ ଇନ୍ଦିରାଗାନ୍ଧୀ ପାର୍କରେ ଶତାଧିକ ଯୁବତୀ, ମହିଳା ଓ ସ୍ୱେଚ୍ଛାସେବୀ ଯୋଗଦେଇ ଗଛରେ ରାଖି ବାନ୍ଧିବା ସହିତ ଗଛ ବି ଆମର ଭାଇ, ଭାଇ ପରି ଗଛ ବି ଆମକୁ ସୁରକ୍ଷା ଦିଏ, ଆଗ ଲଗାଇବା ଗଛ, ଆଉ ସବୁ କଥା ପଛ, ଆମେ ଲଗାଇଥିବା ଗଛକୁ ମାରିବାକୁ ଦେବା ନାହିଁ ଆଦି ସ୍ଲୋଗାନ ଦେଇ ଇନ୍ଦିରା ଗାନ୍ଧୀ ପାର୍କରୁ ମାଷ୍ଟର କ୍ୟାଣ୍ଟିନ ଛକ ଦେଇ ରାମ ମନ୍ଦିର ପର୍ଯ୍ୟନ୍ତ ଏକ ସଚେତନତା ଶୋଭାଯାତ୍ରାରେ ଯାଇଥିଲେ । ଏଥି ସହିତ ଶୋଭାଯାତ୍ରା ସମୟରେ ବିଭିନ୍ନ ସ୍ଥାନରେ ପାଞ୍ଚଶହରୁ ଅଧିକ ନିମ୍ବ, ବଉଳ, ଫାଶି, କଦମ୍ବ, ଆମ୍ବ, ପିଜୁଳି ଆଦି ଗଛ ବିନା ମୂଲ୍ୟରେ ବଣ୍ଟନ କରିଥିଲେ । ପରିଶେଷରେ ଆୟୋଜିତ ସଭାରେ ପ୍ରେରଣାର ଅଧ୍ୟକ୍ଷ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ବକ୍ତବ୍ୟ ଦେଇ କହିଥିଲେ ଯେ, ମିଳିତ ଜାତିସଂଘର ଶେଷ ରିପୋର୍ଟ ଅନୁସାରେ ୨୦୨୨ ମସିହା ଶେଷ ସୁଦ୍ଧା ବିଶ୍ୱର ଅନେକ ସମୁଦ୍ର ତଟସ୍ଥ ସହର, ଭାରତବର୍ଷର ବମ୍ବେ, କୋଚି ଓ ଓଡ଼ିଶାର ପାରାଦ୍ୱୀପ ଆଦି ୫ ଫୁଟ୍ ପାଣି ଭିତରେ ରହିବ ବୋଲି ପରିବେଶ ବିଜ୍ଞାନୀମାନେ ମତ ଦେଇଛନ୍ତି । ତେଣୁ ସାମୁଦ୍ରିକ ଝଡ଼ ଆଦି କବଳରୁ ରକ୍ଷା ପାଇବା ପାଇଁ ଗଛ ହିଁ ଏକ ଅମୋଘ ଅସ୍ତ୍ର ଯାହା ପୃଥିବୀ ତଥା ଜୀବଜଗତକୁ ବଞ୍ଚାଇ ରଖିପାରିବ । ତେଣୁ ବୃକ୍ଷ ରୋପଣ ଓ ବୃକ୍ଷ ସୁରକ୍ଷା ପାଇଁ ଆମ୍ଭେମାନେ ସମସ୍ତେ ଯତ୍ନବାନ ହେବା ନିତାନ୍ତ ଆବଶ୍ୟକ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରାଜ୍ୟ ପାଇକ ଆଖଡ଼ା ସଂଘ ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ, ବିଶିଷ୍ଟ ସମାଜସେବୀ ସ୍ମିତା ଭ୍ରମରବର ରାୟ, ବର୍ଷା ପୃଷ୍ଟି, ନମିତା ରାୟ, ଗଣେଶ ସାମନ୍ତ, ନିଲୁ ଖୁଣ୍ଟିଆ, ଜଲିଲ ଖାନ, ପ୍ରଦୀପ ରାଉତରାୟ, ଶୋଭାମୟୀ ସୁନ୍ଦରାୟ, ଲକ୍ଷ୍ମୀ ବିଳାସୀ ପଟ୍ଟନାୟକ, ଗବେଷକ ହରିହର ମିଶ୍ର ପ୍ରମୁଖ ବହୁ ସାମାଜିକ କର୍ମୀ ବକ୍ତବ୍ୟ ପ୍ରଦାନ କରି ବୃକ୍ଷ ରୋପଣ, ବୃକ୍ଷ ସୁରକ୍ଷା ଆଦିର ଆବଶ୍ୟକତା ଉପକାରିତା ଓ ପ୍ରତ୍ୟେକଙ୍କର କର୍ତ୍ତବ୍ୟ ସମ୍ପର୍କରେ ନିଜର ମତ ରଖି ଏହା ଏକ ସାମାଜିକ ଆନ୍ଦୋଳନରେ ପରଣତ ହେବା ଉଚିତ୍ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ