ପ୍ରୋତ୍ସାହନ ଆଶରେ ଫୁଲଚାଷୀ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଫୁଲର ଚାହିଦା ସବୁଠି ରହିଛି । ଫୁଲ ବ୍ୟବସାୟ ଭଲ ଚାଲିଛି । ହିଞ୍ଜିଳିକାଟୁ ଅଂଚଳରେ ଭିତିଭୂମି ଥିବା ସହ ଚାଷୀଙ୍କ ମଧ୍ୟରେ ଆଗ୍ରହ ଥିଲେ ହେଁ ପ୍ରୋତ୍ସାହନ ଅଭାବରୁ ଲାଭ ଜନକ ଫୁଲ ବ୍ୟବସାୟ ଆଗେଇ ପାରୁନାହିଁ । ବାଧ୍ୟ ହୋଇ ଫୁଲ ବ୍ୟବସାୟୀ କଲିକତା, ଟାଟା, ରାଉରକେଲା ଆଦି ଅଂଚଳରୁ ଫୁଲ କିଣି ଆଣି ବିକ୍ରି କରୁଛନ୍ତି । ସୌନ୍ଦର୍ଯ୍ୟର ପ୍ରତୀକ ଫୁଲ ଦୈନନ୍ଦିନ ପୂଜା କାମ ସହିତ ବିଭିନ୍ନ ସଭାସମିତି, ବାହାଘର, ବ୍ରତଘର ଆଦିରେ ବହୁଳ ବ୍ୟବହାର ହେଉଛି । ପର୍ଯ୍ୟାପ୍ତ ଫୁଲ ଉପଲବ୍ଧ ହେଉନଥିବାରୁ ବାହାରୁ ପୁଲ ଆମଦାନୀ କରିବାକୁ ପଡ଼ୁଛି । ସହରାଂଚଳବାସୀ ଦୈନନ୍ଦିନ ପୂଜା ସକାଶେ ମଧ୍ୟ ବଜାରରୁ ଫୁଲ କିଣିବାକୁ ପଡ଼ୁଛି । ସହରବାସୀ ଠାକୁରଙ୍କ ଦୈନନ୍ଦିନ ପୂଜା ପାଇଁ ବାସି ଫୁଲ ବ୍ୟବହାର କରୁଛନ୍ତି । ଏଭଳି ପରିସ୍ଥିତିରେ ଫୁଲ ଚାଷକୁ ଗୁରୁତ୍ୱ ଦିଆଗଲେ ସମସ୍ୟା ଦୂର ହୋଇପାରନ୍ତା ବୋଲି ଅଂଚଳର ବହୁ ଫୁଲଚାଷୀ କହିଛନ୍ତି । ହିଞ୍ଜିଳିକାଟୁ ବ୍ଳକର ଖଣ୍ଡରା, ଚାନ୍ଦୁଲି, ଶାସନଆମ୍ବଗାଁ, ବାଦିଆମ୍ବଗାଁ, ବୁରୁପଡ଼ା ପ୍ରଭୃତି ଗ୍ରାମାଂଚଳର ଚାଷୀ ମାନେ ଫୁଲ ଚାଷ କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି । ଉପଯୁକ୍ତ ସରକାରୀ ସହାୟତା ଓ ପ୍ରୋତ୍ସାହନ ମିଳୁ ନଥିବାରୁ ଅଧିକ ଉତ୍ପାଦନ ହୋଇ ପାରୁନାହିଁ । ଦୈନିକ ହିଞ୍ଜିଳିକାଟୁ ପରିବା ବଜାର , ବସଷ୍ଟାଣ୍ଡ ଅଂଚଳରେ ଫୁଲର ବିକ୍ରିକୁ ଦେଖିଲେ ଫୁଲର ଚାହିଦା କେତେ ତାହା ବେଶ ଜଣାପଡ଼ୁଛି । ଲୋକେ ବାଡ଼ି ବଗିଚାରେ ଆଗଭଳି ଫୁଲ ଗଛ ଲଗାଉନଥିବା ଦେଖିବାକୁ ମିଳୁଛି । ବଜାରରେ ବିକ୍ରି ହେଉଥିବା ଫୁଲ ଉପରେ ଲୋକେ ନିର୍ଭରଶୀଳ ହେଉଛନ୍ତି । ରାସ୍ତା କଡ଼ରେ ଫୁଲ ଭାଗ ୧୦ ଟଭ୍କାରେ ବିକ୍ରି କରାଯାଉଥିବା ଦେଖିବାକୁ ମିଳୁଛି । ସବୁ ପୁଲ ବାହାରୁ ଆଣି ବିକ୍ରି କରାଯାଉଛି । ସ୍ଥାନୀୟ ଅଂଚଳରେ ପ୍ରଚୁର ପରିମାଣରେ ଫୁଲ ଉପଲବ୍ଧ ହୋଇ ପାରିଲେ କମି ମୂଲ୍ୟରେ ଫୁଲ ମିଳିପାରନ୍ତର ଏବଂ ଫୁଲ ଚାଷୀ ମାନେ ମଧ୍ୟ ଉପକୃତ ହୋଇପାରନ୍ତେ ବୋଲି ଫୁଲ ସଜେଇ ରୋଜଗାର କରୁଥିବା ବ୍ୟବସାୟୀ ମାନେ କହିଛନ୍ତି । ବର୍ତମାନ ସମୟରେ ପୁଲର ଚାହିଦା ବୃଦ୍ଧି ପାଉଥିବାରୁ ପ୍ରଶାସନ ଏଭଳି ଫୁଲ ଚାଷୀଙ୍କୁ ପ୍ରୋତ୍ସାହିତ କଲେ ଚାଷୀ ଲାଭବାନ ହୋଇପାରନ୍ତା ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।