ପ୍ରୋତ୍ସାହନ ପାଇଁ ଚାହିଁ ବସିଛି କୋହଲା ତାଳବାଦ୍ୟ କଳାକାର
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ପୁରପଲ୍ଲୀରେ ବେଶ୍ ଆଦର ପାଉଥିବା କୋହଲା ତାଳବାଦ୍ୟ ଓ ନୃତ୍ୟ ଏବେ ସମୟ ସୁଅରେ ହଜିବାକୁ ବସିଲାଣି । ଗାଁ ଗଣ୍ଡା ଏବଂ ସହର ମଧ୍ୟରେ ନୃସିଂହ ଠାକୁରଙ୍କ ପୂଜା ହେଉଥିଲେ କାଁ ଭାଁ ଦେଖିବାକୁ ମିଳୁଛି । ବର୍ତ୍ତମାନ ଆଗ ଭଳି କୋହଲା ନୃତ୍ୟ ପ୍ରତି ଆଦର ନଥିବାରୁ ଏହି କଳାକାର ମାନେ ନିସୁତ୍ସାହିତ ହୋଇ ସରକାରୀ ସହାୟତାକୁ ଅନେଇ ବସିଛନ୍ତି । ଆଧୁନିକତା ଯୁଗରେ ଏବେ ଭି ଛତ୍ରପୁର ବ୍ଲକ ଆଇଆରଇ ଛକ ଘଡଘଡାପଲ୍ଲୀ ଗ୍ରାମରେ ଶ୍ରୀଶ୍ରୀ ଲକ୍ଷ୍ମୀନୃସିଂହ କାମିନି ଦାସୁଡୁ ସତ୍ୟମ୍ ସେବା ନୃତ୍ୟ କଳାକେନ୍ଦ୍ର(ଭାଗବତଗାଦି) ନାମରେ ଏକ ସଂଗଠନ ଏହି ପାରମ୍ପରିକ କୋହଲା ତାଳବାଦ୍ୟ ଓ ନୃତ୍ୟକୁ ବଞ୍ଚାଇ ରଖିଛି । ବଡ ଦାସୁଡୁ ଆର୍.ସତ୍ୟମ୍ ରେଡ୍ଡୀଙ୍କ ନେତୃତ୍ୱରେ ୧୨ ଜଣଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ସଂଗଠନ ବର୍ତ୍ତମାନ ଏହି ସଂଗଠନ ସହ ମହିଳା ଓ ପୁରୁଷ ଆଦି ୩୮୭ ଜଣ କଳାକାର ଯୋଡି ହୋଇ କୋହଲା ନୃତ୍ୟ ପରିବେଷଣ କରି ଓଡିଶା ରାଜ୍ୟ ଏବଂ ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ସୁନାମ ଅର୍ଜନ କରିଆସିଛି । ସଂଗଠନକୁ ସ୍କାର୍ଟ ଓଡିଶା କାର୍ଯ୍ୟକ୍ରମରେ ଜୟଦେବ ସମ୍ମାନ, ନୂଆଦିଲ୍ଲୀ ଠାରେ ଡଃ ଆମ୍ବେଦକର ସମ୍ମାନ, ଉତ୍ତର ପ୍ରଦେଶ ଠାରେ ଜାତୀୟ ସମ୍ମାନ, କଲିକତା ଠାରେ ବରାହମିହର ସମ୍ମାନ ଏବଂ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ କଳାରତ୍ନ ଉପାଧି, ପଲ୍ଲୀପଦ ସମ୍ମାନ, କଳିଙ୍ଗ କଳାରତ୍ନ ସମ୍ମାନ, ଅଛଭୂଜା କଳା ସମ୍ମାନ, ନୀଳଚକ୍ର କଳା ସମ୍ମାନ, କଳା ମୌସୁଜି ସମ୍ମାନ, କଳା ଭାସ୍କର ସମ୍ମାନ, ଜାଗୃତି ପ୍ରତିଭା ସମ୍ମାନ, ସମ୍ଭାବନା ରାଜ୍ୟ ପ୍ରତିଭା ସମ୍ମାନ, ଓଡିଶା ପ୍ରତିଭ ଭୂଜା, ପଲ୍ଲୀ ଗୌରବ ସମ୍ମାନ, କଳାଜ୍ୟୋତି ସମ୍ମାନ, ପ୍ରାଚୀପ୍ରଜ୍ଞା ସମ୍ମାନ ଆଦି ସମ୍ମାନ ପ୍ରାପ୍ୟ ହୋଇଛି । ଏଭଳି ସଂଗଠନକୁ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଝି ସୁଦ୍ଧା କିଛି ପ୍ରୋତ୍ସାହନ ମିଳିପାରି ନାହିଁ । ଫଳରେ ସଂଗଠନ ବିକାଶ ତ୍ୱରାନ୍ୱିତ ହୋଇ ପାରୁନାହିଁ । ପାରମ୍ପରିକ କୋହଲା ତାଳ ନୃତ୍ୟକୁ ସଂଗଠନର ରହିଥିବା କଳାକାରମାନେ ନିଜ ପେଟପାଟଣାରୁ କିଛି ସଞ୍ଚୟ କରି ସଂଗଠନକୁ ଆଗକୁ ବଢାଇବାକୁ ଉଦ୍ୟମ ଚଳାଇଛନ୍ତି । ସଂଗଠନର ଅଳ୍ପ କିଛି କଳାକାରଙ୍କୁ କଳାକାର ଭତ୍ତାରେ ସାମିଲ ହୋଇଛନ୍ତି । ଏହି ସଂଗଠନକୁ ସଦାସର୍ବଦା ଜୀବତି ରଖିବାକୁ ହେଲେ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନର ସହଯୋଗ ପାଇଁ ଆଶା ବାନ୍ଧିଛନ୍ତି ବୋଲି ବଡ ଦାସୁଡୁ ଆର୍.ସତ୍ୟମ୍ ରେଡ୍ଡୀ କହିଛନ୍ତି । ରବିବାର ଛତ୍ରପୁର ସ୍ଥିତ ପୁତୁଗୋପାଳପୁର ଗ୍ରାମବାସୀ ସଂଗଠନକୁ ନିମନ୍ତ୍ରଣ କରିଥିଲେ । ଗ୍ରାମବାସୀଙ୍କ ନିମନ୍ତ୍ରଣକୁ ରକ୍ଷା କରି କୋହଲା ତାଳବାଦ୍ୟ ଏବଂ ନୃତ୍ୟକୁ କଳସ ଶୋଭାଯାତ୍ରାରେ ନୃତ୍ୟ ପରିବେଷଣ କରିଥିଲେ । ଏହାପରେ ଆଜି ଘଡଘଡାପଲ୍ଲୀ ଗ୍ରାମ ଠାରେ ଏକ କଳାକାର ସମାବେଶ ସଂଗଠନ ପକ୍ଷରୁ ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବ୍ଲକ ଗଙ୍ଗାପୁର-୧ ଗ୍ରାମର ଶ୍ରୀଶ୍ରୀଶ୍ରୀ ମାଁ ଶୀତଳା ଠାକୁରାଣୀ ବୀର ପାଇକ ଆଖଡା,ମୁନିଷିପେଣ୍ଠ ଗ୍ରାମର ସଂଗୀତ କଳା, କମାପଲ୍ଲୀ ଗ୍ରାମର ସଂକୀର୍ତ୍ତନ ଦଳ ଏବଂ ନରେନ୍ଦ୍ରପୁର ଗ୍ରାମର ଯୋଡି ଶଙ୍ଖ ଦଳ ସାମିଲ ହୋଇଥିଲେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।


