ପ୍ରୋତ୍ସାହନ ମିଳୁନଥିବାରୁ ଗୋପାଳନ କମୁଛି

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ)- ଗଂଜାମ ଜିଲ୍ଲାରେ ପ୍ରାଣୀ ସମ୍ପଦର ବିଭାଗର କାର୍ଯ୍ୟ ଯୋଗୁଁ ଜିଲ୍ଲାରେ ଗୋ ପାଳନ ବନ୍ଦ ପ୍ରାୟ ହୋଇଥିବାରୁ ସମଗ୍ର ହିଞ୍ଜିଳିକାଟୁ ଅଂଚଳରେ ଗାଇ କ୍ଷୀର ମିଳୁନାହିଁ । ଫଳରେ ସ୍ୱଛଳ ବର୍ଗର ଲୋକେ ପ୍ୟାକେଟ କ୍ଷୀର ଦ୍ୱାରା ସେମାନଙ୍କର ଆବଶ୍ୟକତାକୁ ପୂରଣ କରିବା ପାଇଁ ଚେଷ୍ଟା କରୁଛନ୍ତି । ଗରୀବ ଶ୍ରେଣୀର ଲୋକେ କ୍ଷୀର ପିଇବା ତ ଦୂରର କଥା, ସେମାନେ କିମ୍ବା ସେମାନଙ୍କର ପିଲାମାନେ ଗାଇ କ୍ଷୀର ପାଇବାରୁ ବଂଚିତ ହେଉଛନ୍ତି । ଗାଇ, ମଇଁଷି, ଛେଳି ଆଦି ପ୍ରାଣୀ ଗୁଡ଼ିକୁ ପାରମ୍ପରିକ ପ୍ରାଣୀ ସମ୍ପଦ ଭାବରେ ବିବେଚନା କରାଯାଉଥିବାରୁ ଏହି ବିଭାଗକୁ ପ୍ରାଣୀ ସମ୍ପଦ ବିଭାଗ ରୂପେ ନାମିତ କରାଯାଉଛି । କିନ୍ତୁ ପ୍ରାଣୀ ସମ୍ପଦ ମଧ୍ୟରେ ସମାଜର ପ୍ରଧାନ ସମ୍ପଦ ଗାଇ ଓ ମଇଁଷି ପାଳନର ପ୍ରୋତ୍ସାହନକୁ ହିଞ୍ଜିଳିକାଟୁ ବ୍ଳକରେ ଅଣ ଦେଖା କରାଯାଇଛି । କିଛି ବର୍ଷ ପୂର୍ବେ ହିଞ୍ଜିଳିକାଟୁ ବ୍ଳକରେ ଗୋପାଳନକାରୀ ମାନଙ୍କୁ ପ୍ରୋତ୍ସାହିତ କରାଯାଉଥିଲା ଏବଂ ବିଭାଗ ପକ୍ଷରୁ ସେମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ପ୍ରଦାନ କରାଯାଉଥିଲା । ହିଞ୍ଜିଳିକାଟୁ ବ୍ଳକର ବୁରୁପୋଡ଼ା, ସିକିରି, ରାଳବ, ଶାସନ ଆମ୍ବଗାଁ ଭଳି ବହୁ ଗ୍ରାମାଂଚଳ ଗୁଡ଼ିକରେ ଉନ୍ନତ ଧରଣର ଦେଶୀ ଓ ବିଦେଶୀ ପ୍ରଜାତିର ଗାଇ ପାଳନ କରାଯାଇ ସେମାନଙ୍କ କ୍ଷୀରକୁ ହିଞ୍ଜିଳିକାଟୁ ଅଂଚଳରେ ଦୁଇ ଓଳି ବିକ୍ରି କରାଯାଉଥିଲା । ଫଳରେ ସ୍ଥାନୀୟ ଅଂଚଳର ସାଧାରଣ ଲୋକେ ଗାଇ କ୍ଷୀର ଟୋପାଏ ପାଇ ପାରୁଥିଲେ । ବିଭାଗର ରକ୍ଷାଣବେକ୍ଷଣାରେ ଗୋପାଳନକାରୀଙ୍କଠାରୁ କ୍ଷୀର ସଂଗ୍ରହ କରି ଲୋକଙ୍କୁ ବିକ୍ରି କରାଯାଉଥିଲା । ଯାହା ଫଳରେ ପ୍ରତି ସମୟରେ ଗାଇ ମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପ୍ରାଣୀ ଚିକିତ୍ସକ ମାନଙ୍କୁ ଅବଗତ ହେଉଥିଲା । ତେଣୁ ହିଞ୍ଜିଳିକାଟୁ ବ୍ଳକରେ ଅନେକ ଲୋକେ ଗୋପାଳନ କରି ନିଜ ନିଜର ଜୀବିକା ନିର୍ବାହ କରିବା ସହ ବେଶ ଆର୍ଥୀକ ସ୍ୱଛଳ ହୋଇ ପାରିଥିଲେ । ବର୍ତମାନ ସମଗ୍ର ହିଞ୍ଜିଳିକାଟୁ ବ୍ଳକରେ ଗୋପାଳନ କାରୀ ମାନଙ୍କସଂଖ୍ୟା ଆଙ୍ଗୁଠି ଗଣତିରେ ରହିଯାଇଛି । ହିଞ୍ଜିଳିକାଟୁ ବ୍ଳକରେ ଗୋସମ୍ପଦର ସୁରକ୍ଷା କିମ୍ବା ପାଳନ ପାଇଁ କୌଣସି ପ୍ରକାର ପ୍ରୋତ୍ସାହନ ନଥିବାରୁ ଲୋକେ ସେଥିପ୍ରତି ଆଗ୍ରହ ପ୍ରକାଶ କରୁନଥିବା ଜଣାପଡ଼ିଛି । କିଛି ଲୋକେ ଏହି କାର୍ଯ୍ୟକୁ ବୃତି ଭାବେ ଗ୍ରହଣ କରିଥିବା ବେଳେ ସେମାନଙ୍କୁ ବିଭାଗ ପକ୍ଷରୁ ପ୍ରାଣୀ ଚିକିତ୍ସା ପାଇଁ କୌଣସି ପ୍ରକାର ସହାୟତା ଯୋଗାଇ ଦିଆଯାଉ ନଥିବାରୁ ସେମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ବହୁ ଗୋପାଳକ ଅଭିଯୋଗ କରିଛନ୍ତି । ହିଞ୍ଜିଳିକାଟୁ ସହରରେ ଅବସ୍ଥାପିତ ପ୍ରାଣୀ ଚିକିତ୍ସା କେନ୍ଦ୍ର ପ୍ରାୟ ସମୟରେ ବନ୍ଦ ରହିଥିବାର ଦେଖିବାକୁ ମିଳୁଛି । ଯାହା ଫଳରେ ସ୍ଥାନୀୟ ଅଂଚଳର ଗୋପାଳକ ମାନଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ବେଳେ ବେଳେ ସଂପୃକ୍ତ ପ୍ରାଣୀ ଚିକିତ୍ସା କେନ୍ଦ୍ରର କର୍ମଚାରୀ ମାନେ ଆସୁଥିବା ବେଳେ ଚିକିତ୍ସା କରିବା ନାଆଁରେ ଲୋକଙ୍କୁ ସଠିକ ସେବା ଦେଇ ନପାରିବାରୁ ଅନେକ ଗୃହ ପାଳିତ ପ୍ରାଣୀ ମୃତ୍ୟୁ ମୁଖରେ ପଡ଼ୁଥିବା ଜଣାପଡ଼ିଛି । ହିଞ୍ଜିଳିକାଟୁ ବ୍ଳକରେ ଚାଷ ସହ ଗାଇ, ମଇଁଷି , ଛେଳି, ମେଣ୍ଢା, କୁକୁଡ଼ା ଆଦି ପାଳନ କରି ଜୀବନ ବିତାଉଥିବା ଲୋକେ ସେମାନଙ୍କଗୃହ ପାଳିତ ପଶୁ ମାନଙ୍କ ପାଇଁ ସ୍ୱାସ୍ଥ୍ୟ ସେବା ପାଇପାରୁନାହାନ୍ତି । ବହୁ ସମୟରେ ସ୍ଥାନୀୟ ପ୍ରାଣୀ ଚିକିତ୍ସକ ଲମ୍ବୋଦର ମହାପାତ୍ର କାର୍ଯ୍ୟାଳୟରେ ଅନୁପସ୍ଥିତ ରହୁଥିବାର ଦେଖିବାକୁ ମିଳୁଛି । ସେଥିପାଇଁ ଲୋକଙ୍କୁ ଆବଶ୍ୟକୀୟ ଔଷଧ ମଧ୍ୟ ସଡିକ୍ ସମୟରେ ମିଳି ପାରୁନଥିବା ଅଭିଯୋଗ ହେଉଛି । ଗୋଟିଏ ପଟେ ରାଜ୍ୟ ସରକାର ପ୍ରାଣୀ ସମ୍ପଦ ବିକାଶ ପାଇଁ ଯୋଜନା ଉପରେ ଯୋଜନା କରୁଥିଲେ ମଧ୍ୟ ଭିତିଭୂମି ଅଭାବ ଯୋଗୁଁ ସ୍ଥାନୀୟ ଅଂଚଳରେ ଏହାର କୌଣସି ସୁଫଳ ଉପଲବ୍ଧ ହେଉନାହିଁ । ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଦୃଷ୍ଟି ଦେଇ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବହୁ ଗୋପାଳକ ଦାବୀ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ