ପ୍ରୟାଗରାଜ ମହାକୁମ୍ଭମେଳାରେ ଓସେଡ଼ୋ ଅନୁଷ୍ଠାନର ସଫେଇ ସେବା କାର୍ଯ୍ୟକ୍ରମ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଦୀର୍ଘ ୧୪୪ବର୍ଷ ପରେ ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଗଙ୍ଗା, ଯୁମନା ଓ ସରସ୍ୱତୀ ସଙ୍ଗମସ୍ଥଳରେ ଅନୁଷ୍ଠିତ ମହାକୁମ୍ଭମେଳା ୪୫ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ମହା ସାହିସ୍ନାନରେ ପ୍ରାୟ ୭୦କୋଟି ଭକ୍ତ ଓ ଶ୍ରଦ୍ଧାଳୁ ପବିତ୍ର ମହାସ୍ନାନ କରି ମହାପୂଣ୍ୟ ଅର୍ଜନ କରିବା ସହ ସାରା ବିଶ୍ୱକୁ ହିନ୍ଦୁ ଧର୍ମର ବିଜ୍ଞାନ ସମ୍ମତ ବିଚାରଧାରା ସ୍ୱର୍ଗୀୟ ଅନୁଭୂତି, ଧର୍ମୀୟ ଭାବନା, ଏକତାର ବାର୍ତ୍ତା ଦେବା ସହ ପର୍ଯ୍ୟଟନ ଅର୍ଥନୀତିକ ଉନ୍ନତିରେ ସହାୟକ ହୋଇପାରିଛି । ଏହି ମହାକୁମ୍ଭରେ ସାରା ବିଶ୍ୱରୁ ବିଶେଷଭାବେ ଭାରତବର୍ଷ ତଥା ଓଡ଼ିଶାରୁ ବହୁ ସଂଖ୍ୟାରେ ସାଧୁ, ସନ୍ଥ, ରାଜନୈତିକ ବ୍ୟକ୍ତିବିଶେଷ (ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ବାଚସ୍ପତି, ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ତଥା ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଓ ପ୍ରତିନିଧିମାନଙ୍କ)ଙ୍କ ସହ ପ୍ରମୁଖ ଶ୍ରଦ୍ଧାଳୁମାନେ ଏବଂ ବିଭିନ୍ନ ଧର୍ମାନୁଷ୍ଠାନର କର୍ମକର୍ତ୍ତା, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ବିଭିନ୍ନ ସଂଘର କର୍ମକର୍ତ୍ତାମାନେ ବୁଡ଼ ପକାଇ ଥିବାବେଳେ ସାହାଯ୍ୟ ଓ ସହଯୋଗର ହାତ ବଢାଇଥିଲେ । ଏହି ଅବସରରେ କଟକ ଓ ଭୁବନେଶ୍ୱରର ଏକ ସାମାଜିକ ଅନୁଷ୍ଠାନ ଓସେଡ଼ୋ (ଅର୍ଗାନାଇଜେସନ ଫର ସୋସିଓ ଇକୋଲୋଜିକାଲ ଡେଭଲପମେଣ୍ଟ ଅଫ ଓଡ଼ିଶା)ର ଏକ ସାତଜଣିଆ ଦଳ ସର୍ବଶ୍ରୀ ପ୍ରସନ୍ନ କୁମାର ଖୁଣ୍ଟିଆ, ତନ୍ମୟ ଶେଖର, ରିଭା ମହାନ୍ତି, ମମତା ରାଉତ, ପୁଷ୍ପାଞ୍ଜଳି ବେହେରା, ଦିବ୍ୟସ୍ୱରୂପା ମହାନ୍ତି ପ୍ରମୁଖ ସମାଜସେବୀ ମନୋରଞ୍ଜନ ମହାନ୍ତିଙ୍କ ନେତୃତ୍ୱରେ ମହାଶିବରାତ୍ରି ଦିନ ସଙ୍ଗମସ୍ଥଳରେ ଉପସ୍ଥିତ ରହି ସଫେଇ କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ । ମହାଶିବରାତ୍ରି ଦିନ ମହାସ୍ନାନର ଶେଷ ଦିବସରେ ସଙ୍ଗମରେ ମହାସ୍ନାନ କରିବା ସହ କିଛି ସେବା କାର୍ଯ୍ୟ କରିଥିଲେ । ତତ୍ପରଦିନ ସଙ୍ଗମସ୍ଥଳରେ ଜମାହୋଇ ରହିଥିବା କୁଢ କୁଢ ଅଳିଆକୁ ସେଠିକାର ପ୍ରୟାଗରାଜ ପ୍ରାଧିକରଣର ସଫେଇ କର୍ମଚାରୀଙ୍କ ସହ ମିଶି ସଙ୍ଗମ ଉପରିଭାଗର ସ୍ଥଳଭାଗରେ ସଫେଇ କାର୍ଯ୍ୟ କରିଥିଲେ । ଓଡ଼ିଶାରୁ ଯାଇଥିବା ଏହି ସ୍ୱେଚ୍ଛାସେବୀ ଦଳ ପ୍ରୟାଗରାଜର ଏହି ମହାନ୍ ପବିତ୍ର ମହାଜାଗତିକ ଧର୍ମାନୁଷ୍ଠାନରେ ସାମିଲ୍ ହୋଇ ସ୍ୱଚ୍ଛ ଭାରତ-ସୁସ୍ଥ ଭାରତ ଭଳି ପରିବେଶ ସନ୍ତୁଳନ କାର୍ଯ୍ୟକ୍ରମରେ ଗୁଣ୍ଡୁଚି ମୂଷା ଭଳି କାର୍ଯ୍ୟ କରିପାରିଥିବାରୁ ବହୁ ଅନୁଷ୍ଠାନ ଏବଂ ବ୍ୟକ୍ତିବିଶେଷମାନଙ୍କ ଦ୍ୱାରା ପ୍ରଶଂସିତ ହୋଇଛନ୍ତି ।