ପ୍ରୟାତ ସଂଗ୍ରାମୀ ଡଃ. ଗଦାଧର ମଲ୍ଲିକଙ୍କୁ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ଟ୍ରେଡ ୟୁନିଅନ ସମନ୍ୱୟ ସମିତି ପକ୍ଷରୁ ପ୍ରୟାତ ସଂଗ୍ରାମୀ ଡଃ. ଗଦାଧର ମଲ୍ଲିକଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ବରିଷ୍ଠ ସାଥି କୃଷ୍ଣଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଖଡିଅଙ୍ଗ ଠାରେ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ସ୍ୱର୍ଗତ ମଲ୍ଲିକଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ତାଙ୍କ ସ୍ମୃତିଚାରଣ କରାଯାଇଥିଲା । ସମାଜବାଦୀ ଆନ୍ଦୋଳନରୁ ଉଦଭବ ହୋଇ ସମସ୍ତ ଜିଲ୍ଲାରେ ଗଦାଧର ବାବୁ ଖଟିଖିଆ, ମେହନତୀ ମଣିଷ ପାଇଁ ୫୦ବର୍ଷରୁ ଉର୍ଦ୍ଧ୍ୱ ସମୟ ଲଢେଇ ଚଳେଇ ଯାଇଛନ୍ତି । ସେ ଏକାଧାରରେ ସୁବକ୍ତା, ରାଜନୀତିଜ୍ଞ, ଟ୍ରେଡୟୁନିଅନବିତ ତଥା ଚିକିତ୍ସକ ଥିଲେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ । ବନ୍ଧୁବତ୍ସଳ ଗଦାଧରବାବୁ ନିକଟରେ କେନ୍ଦ୍ରାପଡା ଶ୍ରମ କାର୍ଯ୍ୟାଳୟରେ ଚାଲିଥିବା ଅବ୍ୟବସ୍ଥା ଓ ଟ୍ରେଡ ୟୁନିଅନ ନେତୃବୃନ୍ଦଙ୍କ ସଂଗ୍ରାମରେ ନିଜ ଦଳ ବିଜେଡି ବିରୋଧରେ ଯାଇ ୟୁନିଅନର ଯୁବ ନେତୃବୃନ୍ଦଙ୍କ ଲଢେଇକୁ ଆକୁଣ୍ଠ ସମର୍ଥନ ଜଣାଇଥିଲେ । ବହୁବାର ସରପଞ୍ଚ, ସମିତିସଭ୍ୟ, ଅମୃତମଣୋହୀ ସମବାୟ ସମିତିର ସଭାପତି ପ୍ରଭୃତି ପଦବୀରେ ସେ ଅଭିସିକ୍ତ ହୋଇଥିଲେ । ମୃତ୍ୟୁ ବେଳକୁ ସେ ବିଜୁ ଶ୍ରମିକ ଜନତା ଦଳ, କର୍ମଚାରୀ ମଞ୍ଚର କେନ୍ଦ୍ରାପଡା ଜିଲ୍ଲା ସମ୍ପାଦକ ଓ ହିନ୍ଦ ମଜଦୁର ସଭାର ଜିଲ୍ଲା ସମ୍ପାଦକ ଥିଲେ । ତାଙ୍କ ଆବର୍ତ୍ତମାନରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି ବକ୍ତାମାନେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫକିର ଚରଣ ଖଟୁଆ, ବସନ୍ତ ସେଠୀ, ମୁକ୍ତାର ଖାନ, ଆଇ.ଏନ.ଟି.ୟୁ.ସି.ର ବାବାଜୀ ଧଳ, ସି.ଆଇ.ଟି.ୟୁ.ର ଜଗତଜୀବନ ଦାଶ, ଏ.ଆଇ.ସି.ସି.ଟି.ୟୁ.ର ବସନ୍ତ ମଲିକ, ଏ.ଆଇ.ୟୁ.ଟି.ୟୁ. ସି.ର ଏଲୀନା ସାମନ୍ତରାୟ, ବି.ଏମ.ଏସ.ର ପ୍ରଶାନ୍ତ ତ୍ରିପାଠୀ, ଯୁବ ଟ୍ରେଡ ୟୁନିଅନ ନେତୃତ୍ୱ ପ୍ରକାଶ ମହାନ୍ତି, ରଞ୍ଜନ ବେହେରା, ଶିବ ସୁନ୍ଦର ନାଥ, ପ୍ରମୋଦ ପ୍ରଧାନ, କାଞ୍ଚନବାଳା ସ୍ୱାଇଁ ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିବା ସହ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏଥିସହିତ ତାଙ୍କ ପରିବାରକୁ ସମବେଦନା ଜ୍ଞାପନ କରାଯାଇଛି । ଆଗାମୀ ୧୮ତାରିଖରେ ତାଙ୍କ ଅମୃତମଣୋହୀସ୍ଥିତ ବାସଭବନରେ ପୂର୍ବାହ୍ନ ୧୧ଟାରେ ଅନୁଷ୍ଠିତ ହେବାକୁ ଥିବା ଶ୍ରଦ୍ଧାଞ୍ଜଳି ସଭାରେ ସମସ୍ତ ସାଥି ଯୋଗଦେବାକୁ ନିବେଦନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ