ପ୍ଲଟ ଆବଣ୍ଟନରେ ଅନିୟମିତତା ନେଇ ଅସନ୍ତୁଷ୍ଟ ବ୍ୟବସାୟୀଙ୍କ ଧାରଣା ୧୩ଦିନରେ,ଦ୍ବନ୍ଦ୍ବରେ ଜିଲ୍ଲା ପ୍ରଶାସନ

କୋଣାର୍କ, (ଗଣେଷ ବେହେରା): ସୂର୍ଯ୍ୟ ମନ୍ଦିର ପରିସର ଓ ପାର୍ଶ୍ୱବର୍ତ୍ତୀ ଅଂଚଳରେ ବ୍ୟବସାୟୀ ମାନଙ୍କୁ ସ୍ଥାନାନ୍ତରିତ କରିବା ପରେ ପ୍ଲଟ ଆବଣ୍ଟନରେ ହୋଇଥିବା ଅନିୟମିତତା ନେଇ କୋଣାର୍କ ଅସନ୍ତୁଷ୍ଟ ବ୍ୟବସାୟୀ ମାନଙ୍କ ଦ୍ଵାରା କୋଣାର୍କ ଏନଏସି ସମ୍ମୁଖରେ ଧାରଣା ୧୩ଦିନରେ ପହଞ୍ଚି ଥିବା ବେଳେ ସ୍ଥାନୀୟ ପ୍ରଶାସନ ଓ ପୁରୀଜିଲ୍ଲା ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କରିବା କୋଣାର୍କ ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଖବରରୁ ପ୍ରକାଶ ଯେ ସ୍ଥାନାନ୍ତରିତ ବ୍ୟବସାୟୀ ମାନଙ୍କୁ ପ୍ଲଟ ଆବଣ୍ଟନ ନେଇ ମହାସଂଘ ପକ୍ଷରୁ ପାତର ଅନ୍ତର ନୀତି ପ୍ରତିପୋଷଣ ଓ ଅନିୟମିତତା ନେଇ କୋଣାର୍କ ଅସନ୍ତୁଷ୍ଟ ବ୍ୟବସାୟୀ ମହାସଂଘ ପକ୍ଷରୁ ସଭାପତି ଭରତ ଚନ୍ଦ୍ର ନାୟକ ଙ୍କ ନେତୃତ୍ଵରେ କୋଣାର୍କ ଏନଏସି କାର୍ଯ୍ୟଳୟ ସମ୍ମୁଖରେ ଧାରଣା ୧୩ଦିନରେ ପହଞ୍ଚିଛି। ମାତ୍ର କୋଣାର୍କ ଏନଏସି ପ୍ରଶାସନ ଓ ପୁରୀଜିଲ୍ଲା ପ୍ରଶାସନ ଏ ଦିଗରେ କୌଣସି ସମାଧାନ ନ କରି ଦିନ ପରେ ଦିନ ଗଡୁଥିବାରୁ ପ୍ରଶାସନ ଉପରେ ଅସନ୍ତୁଷ୍ଟ ବ୍ୟବସାୟୀ ମାନଙ୍କ ଆସ୍ଥା ତୁଟିବାରେ ଲାଗିଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ କାଭାଁ ବ୍ୟବସାୟୀ ମାନଙ୍କୁ ନେଇ ଲଟେରୀ ବ୍ୟବସ୍ଥା ରେ ହୋଇଥିବା ଅନିୟମିତତା, ବାଦ ପଡିଥିବା ବ୍ୟବସାୟୀ ମାନଙ୍କୁ ସାମିଲ ନେଇ ପୁରୀ ଜିଲ୍ଲାପାଳଙ୍କୁ ଅସନ୍ତୁଷ୍ଟ ବ୍ୟବସାୟୀ ମାନେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ତାହା ଏଯାବତ କାର୍ଯ୍ୟକାରୀ ହୋଇପାରି ନାହିଁ। ଏ ନେଇ ଗତକାଲି ପୁରୀଜିଲ୍ଲା ପ୍ରଶାସନ ସହିତ ବ୍ୟବସାୟୀ ମହାସଂଘ ଓ ଅସନ୍ତୁଷ୍ଟ ବ୍ୟବସାୟୀ ସଂଘ ପକ୍ଷରୁ ଆଲୋଚନା ହୋଇଥିବା ବେଳେ ସମସ୍ୟାର ସମାଧାନ ହୋଇଥିବା ମହାସଂଘ ସଭାପତି ସୁବାସ ନାୟକ କହୁଥିବା ବେଳେ ବାସ୍ତବରେ ଅସନ୍ତୁଷ୍ଟ ବ୍ୟବସାୟୀ ମାନଙ୍କ ଦ୍ଵାରା ଧାରଣା ଜାରି ରହିଛି ବୋଲି ଅସନ୍ତୁଷ୍ଟ ବ୍ୟବସାୟୀ ସଂଘ ସଭାପତି ଭରତ ନାୟକ ପ୍ରକାଶ କରିଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ କୋଣାର୍କ ଏନଏସି ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ନ ଦେବା ଫଳରେ ଆନ୍ଦୋଳନ ତୀବ୍ରତର ହେଉଥିବା ବେଳେ ଆଗାମୀ ପୌର ନିର୍ବାଚନ ଉପରେ ଏହା ଏକ ବଡଧରଣର ପ୍ରଭାବ ପକାଇବ ବୋଲି କୋଣାର୍କ ଅଂଚଳର ବୁଦ୍ଧିଜୀବୀ ଓ ସଚେତନ ନାଗରିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ପ୍ଲଟ ଆବଣ୍ଟନରେ ଅନିୟମିତତାର ପୁନଃ ସମୀକ୍ଷା ଓ ପୁନଃ ଲଟେରୀ ମାଧ୍ୟମରେ ୧୬୪ ଜଣ ବ୍ୟବସାୟୀ, ବାଦ ପଡିଥିବା ୧୧ଜଣ ବ୍ୟବସାୟୀ ଙ୍କୁ ତାଲିକା ରେ ସାମିଲ ସହ ପ୍ଲଟ ହାତେଇଥିବା ଅଣ ବ୍ୟବସାୟୀ ମାନଙ୍କୁ ବାଦ ନେଇ ପୁନଃ ଲଟେରୀ ନ କଲେ କୋଣାର୍କରେ ବଡଧରଣର ଜନ ଆନ୍ଦୋଳନ ସୃଷ୍ଟି ହେବ ବୋଲି ରାଜନୈତିକ ବିଶେଷଜ୍ଞ, ସଚେତନ ନାଗରିକ ଓ ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି। ବ୍ୟବସାୟୀ ସ୍ଥାନାନ୍ତରିତ ହୋଇଥିବା ଜାଗାରେ କୋଣାର୍କ ଏନଏସି ପ୍ରଶାସନ ପକ୍ଷରୁ କରାଯାଇଥିବା ଷ୍ଟଲ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବା ପାଇଁ ପୁରୀ ଜିଲ୍ଲାପାଳ ଦୃଷ୍ଟି ଦେବା ସହ ପୁନଃ ଲଟେରୀ ମାଧ୍ୟମରେ ପ୍ଲଟ ଆବଣ୍ଟନ କରାନଯିବା ପର‌୍ୟ୍ୟନ୍ତ ଧାରଣା ଚାଲୁରହିବ ବୋଲି ଅସନ୍ତୁଷ୍ଟ ବ୍ୟବସାୟୀ ସଂଘ ସଭାପତି ଭରତ ନାୟକ ପ୍ରକାଶ କରିଛନ୍ତି। ଏହି ୧୩ଦିନ ଧାରଣାରେ ବିଜୟ ନନ୍ଦୀ, ଉପେନ୍ଦ୍ର କାଣ୍ଡି, ଭାସ୍କର ବେହେରା, ନିରଂଜନ ମଲ୍ଲ, ସ୍ବାଧୀନ ନାୟକ ସମେତ ୫୦ରୁ ଉର୍ଦ୍ଧ୍ବ ବ୍ୟବସାୟୀ ଧାରଣା ଦେଇଛନ୍ତି। ଆଗାମୀ ଦିନରେ ଭୁବନେଶ୍ବର ଠାରେ ଶୋଭାଯାତ୍ରା ସହ ନବୀନ ନିବାସ ଘେରାଉ କରାଯିବ ବୋଲି ଅସନ୍ତୁଷ୍ଟ ବ୍ୟବସାୟୀ ସଂଘ ସଭାପତି ଭରତ ନାୟକ ସମେତ କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ