ପ୍ଲାଜମା ଦାନ କଲେ ଛତ୍ରପୁର ଏସଡିପିଓ ଓ ଥାନା ଅଧିକାରୀ

ଛତ୍ରପୁର, (ଓ୍ବାଇଏନ୍ଏସ୍):ଗଞ୍ଜାମ ଜିଲ୍ଲାରେ ସଂକ୍ରମଣଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏଥିରେ ନିୟନ୍ତ୍ରଣ ପାଇବା ପାଇଁ ଜିଲ୍ଲା ପ୍ରଶାସନ , ପୁଲିସ ପ୍ରଶାସନ, ମେଡିକାଲ ଟିମ୍ ସମସ୍ତେ ଲାଗି ପଡ଼ିଛନ୍ତି । ଅନ୍ୟପଟେ ଗତ ୨୧ ତାରିଖରୁ ଜିଲ୍ଲାରେ ଆରମ୍ଭ ହୋଇଛି ପ୍ଲାଜମା ଥେରାପି ସେବା । କରୋନାରେ ଆକ୍ରାନ୍ତ ହୋଇ ଯେଉଁମାନେ ସୁସ୍ଥ ହେଉଛନ୍ତି ସେମାନେ ନିଜର ପ୍ଲଜମା ଦାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ତିନି ଅସୁସ୍ଥ ପ୍ଲାଜମା ଥେରାପି ମାଧ୍ୟମରେ ସୁସ୍ଥ ହେବା ପରେ ସମସ୍ତଙ୍କ ମନରେ ଏହା ଆଶାର କିରଣ ସୃଷ୍ଟି କରିଛି । ଜିଲ୍ଲାରେ ୨୯୧ଜଣ ପ୍ଲାଜମା ପ୍ରଦାନ ପାଇଁ ସେମାନଙ୍କ ପଞ୍ଜିକରଣ କରିଥିବା ବେଳେ ଜିଲ୍ଲାରେ ସୁସ୍ଥ ହୋଇଥିବା ସମସ୍ତ ପୁଲିସ ଷ୍ଟାଫ୍ ମଧ୍ୟ ପ୍ଲାଜମା ପ୍ରଦାନ ପାଇଁ ନିଜର ସହମତି ପ୍ରକାଶ କରିଛନ୍ତି । ତେବେ ଏହି କ୍ରମରେ ଛତ୍ରପୁର ଏସଡ଼ିପିଓ ଗୌତମ କିଶାନ ଏବଂ ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟ କଟକ ଏସସିବି ମେଡିକାଲରେ ନିଜର ପ୍ଲାଜମା ଦାନ କରିଥିବା ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ ଟ୍ୱିଟ୍ କରି ଜଣାଇଛନ୍ତି । ଅନ୍ୟ ପଟେ ଦୁଇ ମହିଳା ଓ ଜଣେ ପୁରୁଷ ପ୍ଲାଜମା ଥେରାପି ମାଧ୍ୟମରେ ସୁସ୍ଥ ହୋଇଥିବା ଗଞ୍ଜାମ ଜିଲ୍ଲାପାଳ ଟ୍ୱିଟ୍ କରି ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ