ପ୍ଲାଷ୍ଟିକ୍ ବର୍ଜନ ପାଇଁ ସଚେତନତା ଶୋଭାଯାତ୍ରା
ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଦିନକୁ ଦିନ ପ୍ଲାଷ୍ଟିକ୍ ର ବହୁଳ ବ୍ୟବହାର ପରିବେଶ ପାଇଁ ସମସ୍ୟା ସୃଷ୍ଟି କରୁଥିବାରୁ ଏହାର ବ୍ୟବହାରରେ ସଂଯମତା ଅବଲମ୍ବନ ପାଇଁ ସରକାର ବିଭିନ୍ନ ନିର୍ଦ୍ଦେଶନାମା ଜାରି କରିଛନ୍ତି I ବିଶେଷ କରି ଥରେ ମାତ୍ର ବ୍ୟବହାର ହୋଇପାରୁଥିବା ପ୍ଲାଷ୍ଟିକ୍ କୁ ସମ୍ପୂର୍ଣ୍ଣ ବର୍ଜନ କରିବା ପାଇଁ ଜନ ସାଧାରଣଙ୍କୁ ସଚେତନ କରାଯାଉଛି I ଏହି ଅବସରରେ ବେଲଗୁଣ୍ଠା ବ୍ଳକ୍ ପାଇଲିପଡ଼ା ସ୍ଥିତ ନାରାୟଣ ପୃଷ୍ଟି ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ଦ୍ୱାରା ପୁନଃ ବ୍ୟବହାର ହୋଇପାରୁନଥିବା ପ୍ଲାଷ୍ଟିକ୍ ବର୍ଜନ ସମ୍ପର୍କରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି I ପ୍ରଧାନ ଶିକ୍ଷକ ଭାସ୍କର ଗୌଡ଼ଙ୍କ ନେତୃତ୍ୱରେ ପାଇଲିପଡ଼ା ସମେତ କଣ୍ଟାସାହି ଏବଂ ଉସ୍ତପଲ୍ଲୀରେ ଛାତ୍ରଛାତ୍ରୀ ମାନେ ଶୋଭାଯାତ୍ରା କରି ଲୋକଙ୍କୁ ପ୍ଲାଷ୍ଟିକ୍ ର ବହୁଳ ବ୍ୟବହାରର ଭୟାବହତା ସମ୍ପର୍କରେ ବୁଝାଇବା ସହିତ ପୁନଃ ବ୍ୟବହାର ହୋଇପାରୁନଥିବା ପ୍ଲାଷ୍ଟିକ୍ କୁ ନିଷେଧ କରିବା ପାଇଁ ନାରା ଦେଇଥିଲେ I ଏହା ସହିତ ପ୍ରଧାନ ଶିକ୍ଷକ ଭାସ୍କର ଗୌଡ଼ଙ୍କ ସଭାପତିତ୍ୱରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ବୈଠକରେ ବିଦ୍ୟାଳୟର ଛାତ୍ରଛାତ୍ରୀ,ଶିକ୍ଷକ ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ପୁନଃ ବ୍ୟବହାର ଅଯୋଗ୍ୟ ପ୍ଲାଷ୍ଟିକ୍ ବ୍ୟବହାର ନକରିବା ପାଇଁ ଶପଥ କରିଥିଲେ I କାର୍ଯ୍ୟକ୍ରମରେ ବିଦ୍ୟାଳୟର ୟୁଥ୍ କ୍ଲବ୍, ଇକୋ କ୍ଲବ୍ ଏବଂ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀ ସହଯୋଗ କରିଥିଲେ I