ପଢ଼ାଲେଖାରେ ଆଗୁଆ, ତଥାପି କମୁନି ନାରୀ ନିର୍ଯାତନା

ଭୁବନେଶ୍ବର : ଶିକ୍ଷା କ୍ଷେତ୍ରରେ ବିଶ୍ବବ୍ୟାପୀ ମହିଳାମାନେ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି। ବିଭିନ୍ନ ଦେଶରେ ନାରୀ ଶିକ୍ଷା ସଫଳତାର ଶିଖର ଛୁଇଁଥିବା ବେଳେ ନାରୀ ହିଂସା କିନ୍ତୁ ଥମିବାର ନାଁ ନେଉନି। ମହିଳା ହିଂସା ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ କରି ୟୁନିସେଫ କହିଛି ଯେ ଶିକ୍ଷିତ ସମାଜରେ ଏଭଳି ହିଂସା ନ କମିବା ଉଦ୍‌ବେଗର ବିଷୟ। ରିପୋର୍ଟରେ କୁହାଯାଇଛି ଯେ ବିଗତ ୨୦ ବର୍ଷ ଭିତରେ ସ୍କୁଲ ଯାଉ ନ ଥିବା ଝିଅମାନଙ୍କ ସଂଖ୍ୟାରେ ୭ କୋଟି ୯୦ ଲକ୍ଷ କମ୍‌ ହୋଇଛି ଏବଂ ବିଗତ ଏକ ଦଶନ୍ଧି ମଧ୍ୟରେ ଅନେକ ସ୍କୁଲରେ ପୁଅଙ୍କ ତୁଳନାରେ ଝିଅଙ୍କ ନାମଲେଖା ଏବଂ ଉପସ୍ଥାନ ଢେର ଅଧିକ। ଯଦି ଭାରତ କଥା କୁହାଯିବ, ତେବେ ଭାରତରେ ପୁଅ ଆଉ ଝିଅଙ୍କ ଲିଙ୍ଗାନୁପାତର ସ୍ଥିତିରେ ଯଥେଷ୍ଟ ଉନ୍ନତି ଘଟିଛି। ପ୍ରାଥମିକ ବିଦ୍ୟାଳୟରେ ବହୁ ପୂର୍ବରୁ ଯେଭଳି ପୁଅଝିଅଙ୍କ ନାମଲେଖା କ୍ଷେତ୍ରରେ ଜଟିଳ ବିଷମତା ଥିଲା, ଏବେ ଆଉ ସେଭଳି ସ୍ଥିତି ନାହିଁ। ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବା ସହିତ ବାଲ୍ୟବିବାହରେ ମଧ୍ୟ ସୁଧାର ଆସିଛି ଏବଂ କୈଶୋରାବସ୍ଥାରେ ଗର୍ଭଧାରଣ ସଂଖ୍ୟାରେ ମଧ୍ୟ ହ୍ରାସ ଘଟିଛି।
ଆଶ୍ଚର୍ଯ୍ୟର କଥା ଯେ ସାରା ବିଶ୍ବରେ ୧୫ରୁ ୧୯ ବର୍ଷ ବୟସର ଏକ କୋଟି ୩୦ ଲକ୍ଷ ଯୁବତୀ ଅର୍ଥାତ୍‌ ପ୍ରତି ୨୦ ଜଣଙ୍କ ମଧ୍ୟରୁ ଜଣେ ଦୁଷ୍କର୍ମର ଶିକାର ହେଉଛନ୍ତି। ଭାରତରେ ଜାତୀୟ ସ୍ବାସ୍ଥ୍ୟ ପରିବାର ସର୍ବେକ୍ଷଣ ୨୦୧୫-୧୬ର ପରିସଂଖ୍ୟାନ ଅନୁଯାୟୀ ୧୫ ବର୍ଷ ବୟସର ପ୍ରତି ୫ ଜଣରୁ ଜଣେ ଅର୍ଥାତ୍‌ ଏକ କୋଟି ୨୦ ଲକ୍ଷ ବାଳିକା ଶାରୀରିକ ହିଂସାର ସାମ୍ନା କରିଥାନ୍ତି। ଏହି ବୟସର ପ୍ରତି ୩ ଜଣରୁ ଜଣେ (୧୫ରୁ ୧୯ ବର୍ଷ) ଶାରୀରିକ, ମାନସିକ ବା ଯୌନ ହିଂସାର ସାମ୍ନା କରିଥାନ୍ତି। ନ୍ୟାସନାଲ ଫ୍ୟାମିଲି ହେଲଥ ସର୍ଭେ (ଏନଏଚଏଫଏସ) ଅନୁଯାୟୀ ୧୫-୧୯ ବର୍ଷ ବୟସର ୧୬ ପ୍ରତିଶତ ଯୁବତୀ ନିଜ ସହିତ ହୋଇଥିବା ଶାରୀରିକ ହିଂସା ଅନ୍ୟ ଆଗରେ କହିଥାନ୍ତି। ୩ ପ୍ରତିଶତ ଯୌନହିଂସା କଥା ଜଣାଇଥାନ୍ତି। ଆମ ଦେଶରେ ଏବେ ବି ୪ ଜଣରୁ ଜଣେ ଝିଅର ବିବାହ ୧୮ ବର୍ଷରୁ କମ୍‌ ବୟସରେ ହୋଇଥାଏ। ୟୁନିସେଫର କାର୍ଯ୍ୟକାରୀ ନିର୍ଦେଶକ ହେନରିଟା ଫାନ କହନ୍ତି, ମହିଳାମାନଙ୍କୁ କେବଳ ଶିକ୍ଷା ପ୍ରଦାନ କରିବା ଯଥେଷ୍ଟ ନୁହେଁ, ଆମ ସଭିଙ୍କୁ ମହିଳାଙ୍କ ପ୍ରତି ଥିବା ଦୃଷ୍ଟିକୋଣ ବଦଳାଇବାକୁ ପଡ଼ିବ। ମହିଳା ଏବଂ ଯୁବତୀଙ୍କ ପ୍ରତି ହିଂସା ଏବଂ ଭେଦଭାବର କାରଣ ହେଉଛି ପିତୃକୈନ୍ଦ୍ରିକ ସମାଜ। ମହିଳାଙ୍କ ଉପରେ ଶକ୍ତି ଦେଖାଇ ହେବା ଏବଂ ସେମାନଙ୍କୁ ନିୟନ୍ତ୍ରଣରେ ରଖିବା ପାଇଁ ପୁରୁଷ ଏଭଳି କରିଥାଏ। ଯେଭଳି କି ମହିଳା ଦୁର୍ବଳ ହୋଇ ରହିଥିବ। ମହିଳାଙ୍କୁ ସମାନ ଅଧିକାର ନ ମିଳୁ ଏହା ପୁରୁଷତାନ୍ତ୍ରିକ ସମାଜ ବ୍ୟବସ୍ଥା ଚାହିଁଥାଏ। ଯେଉଁଦିନ ପର୍ଯ୍ୟନ୍ତ ପୁରୁଷ ଓ ମହିଳାଙ୍କ ଶକ୍ତିକୁ ସମାଜ ସମାନ ଭାବରେ ବିବେଚନା କରିପାରି ନାହିଁ, ସେହିଦିନ ପର୍ଯ୍ୟନ୍ତ ମହିଳା ହିଂସା କମିବାର ପ୍ରଶ୍ନ ହିଁ ଉଠୁନି। ମହିଳାମାନେ ଏବେ ଆଉ ଚୁପ୍‌ ରହୁ ନାହାନ୍ତି। ସେମାନେ ଅଭିଯୋଗ ଦରଜ କରୁଛନ୍ତି। କାର୍ଯ୍ୟାଳୟରେ ହେଉଥିବା ଯୌନ ଦୁର୍ବ୍ୟବହାର ଏବଂ ଘରେ ହେଉଥିବା ହିଂସାକୁ ସେ ସହିପାରୁନି। ଏହି କାରଣରୁ ହିଂସାର ସଂଖ୍ୟା ବାହାରକୁ ଅଧିକ ଆସୁଛି। ୧୦ରୁ ୧୯ ବର୍ଷର କିଶୋରୀମାନେ ଅଧିକ ଭେଦଭାବର ଶିକାର ହୋଇଥାନ୍ତି। ନିଜ ବୟସ ଏବଂ ଲିଙ୍ଗ କାରଣରୁ ସେମାନଙ୍କୁ ପରିବାରର ଚାରିକାନ୍ଥ ଚଉହଦି ଭିତରେ ରହିବାକୁ ପଡ଼େ। ଘରେ ଥିବା ପୁରୁଷ ବା ପୁଅପିଲାଙ୍କ ଠାରୁ ସୀମିତ ବ୍ୟବଧାନ ଓ ଭିନ୍ନ କାମ କରିବାକୁ ତାଗିଦା କରାଯାଏ। ଘରର କୌଣସି ନିଷ୍ପତ୍ତିରେ ସେମାନଙ୍କର ଭାଗିଦାରୀ ନ ଥାଏ। ଭାରତ ସରକାର ବେଟୀ ବଚାଅ, ବେଟୀ ପଢ଼ାଅ ଏବଂ ସୁକନ୍ୟା ସମୃଦ୍ଧି ଯୋଜନା ଏବଂ ଅନିବାର୍ଯ୍ୟ ମାତୃତ୍ବ ଅବକାଶ ନିୟମ ଭଳି ପଦକ୍ଷେପ ଜରିଆରେ ଲିଙ୍ଗଗତ ଅସମାନତା ଦୂର ପାଇଁ ପଦକ୍ଷେପ ନେଇଛନ୍ତି।
ପୁରୁଷଙ୍କ ସହିତ ତାଳ ଦେଇ ଏବେ ମହିଳାମାନେ ବିଭିନ୍ନ କ୍ଷେତ୍ରରେ ପ୍ରବେଶ କରିଛନ୍ତି। ଅନେକ ନୂଆ ଆଇନ ଓ ଅଧିକାର ନାରୀ ସଶକ୍ତିକରଣର ପ୍ରମୁଖ ଅସ୍ତ୍ର ପାଲଟିଛି। ପୈତୃକ ସମ୍ପତ୍ତି ଉପରେ ଅଧିକାର, ଟ୍ରିପଲ ତଲାକ, ପୋଷ୍ୟ ସନ୍ତାନ ଆଦି କ୍ରିମିନାଲ ଲ’ ଯେଉଁଥିରେ ଯୌନହିଂସାକୁ ଭଲଭାବେ ପରିଭାଷିତ କରାଯାଇଛି ଏବଂ ନ୍ୟାୟ ପ୍ରକ୍ରିୟାକୁ ଦ୍ରୁତ କରିବା ପାଇଁ ଚାପ ସୃଷ୍ଟି କରାଯାଇଛି। ଏବେ ବି ଦେଶରେ ଲିଙ୍ଗଗତ ସମାନତା ନାହିଁ। ଲୋକେ ଝିଅକୁ ପସନ୍ଦ କରୁନାହାନ୍ତି। ନ୍ୟାୟାଳୟ ଗୁଡ଼ିକରେ ଯୌନହିଂସା ମାମଲା ବିଳମ୍ବିତ ହେବାରେ ଲାଗିଛି। ଦୁଷ୍କର୍ମ ଘଟଣାକୁ ପ୍ରମାଣିତ କରିବା କଷ୍ଟସାଧ୍ୟ ହୋଇପଡ଼ୁଛି। ଆମ ଦେଶରେ ଦୈନିକ ୨୦ ଜଣ ମହିଳା ଗର୍ଭାବସ୍ଥା ଜନିତ ଅସୁସ୍ଥତା ସହିତ ଲଢ଼ୁଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ