ଫକୀରମୋହନ ସାହିତ୍ୟ ପରିଷଦ ପକ୍ଷରୁ ବ୍ୟାସକବି ଜୟନ୍ତୀ ଓ ପ୍ରତିଭା ସମ୍ବର୍ଦ୍ଧନା
ବାଲେଶ୍ୱର, (ସରୋଜ ପଣ୍ଡା) : ଫକୀର ମୋହନ ସାହିତ୍ୟ ପରିଷଦ ପକ୍ଷରୁ ପାଳିତ ହେଉଥିବା କଥାସମ୍ରାଟଙ୍କ ୧୮୦ ତମ ଜୟନ୍ତୀ ଉତ୍ସବ ଓ ପରିଷଦର ୭୫ତମ ରତ୍ନୋତ୍ସବର ଦ୍ୱିତୀୟ ଦିବସ । ଏହି ପରିପ୍ରେକ୍ଷୀରେ କବିତୀର୍ଥ ଶାନ୍ତିକାନନ ପରିସରରେ ଆୟୋଜିତ କାର୍ଯ୍ୟକ୍ରମ ରାଜ୍ୟପାଳ ଗଣେଶୀଲାଲଙ୍କ ଭିଡିଓ ବାର୍ତ୍ତାରୁ ଆରମ୍ଭ ହୋଇଥିଲା । ତାଙ୍କର ବାର୍ତ୍ତାରେ ସେ ବ୍ୟାସକବିଙ୍କୁ ମହାଭାରତ ଯୁଦ୍ଧର ଭଗବାନ ଶ୍ରୀକୃଷ୍ଣଙ୍କ ଭୂମିକା ସହ ତୁଳନା କରିଥିଲେ । ଧର୍ମରକ୍ଷା ସାଙ୍ଗକୁ କର୍ତ୍ତବ୍ୟ ପାଳନ ଉପରେ ଭଗବାନ କୃଷ୍ଣ ଗୁରୁତ୍ୱ ଦେବା ଭଳି ଓଡ଼ିଆ ଭାଷାର ସୁରକ୍ଷା ସାଙ୍ଗକୁ ସାମାଜିକ ସଂସ୍କାରକୁ ଫକୀର ମୋହନ ନିଜର କର୍ତ୍ତବ୍ୟ ଭାବେ ଗ୍ରହଣ କରି ଜୀବନ ତମାମ ସାହିତ୍ୟ ଯୁଦ୍ଧ ଜାରି ରଖିଛନ୍ତି ବୋଲି ରାଜ୍ୟପାଳ ଉଲେଖ କରିଥିଲେ । ଏମିତିକି ଫକୀର ମୋହନଙ୍କ ‘ରେବତୀ’ ଗଳ୍ପ ଏବେ ବି ସାରା ବିଶ୍ୱକୁ ନାରୀଶିକ୍ଷା ଓ ନାରୀପ୍ରଗତିର ବାର୍ତ୍ତା ଦେଇଆସୁଛି ବୋଲି ରାଜ୍ୟପାଳ କହିଥିଲେ । ଆଜିର କାର୍ଯ୍ୟକ୍ରମରେ ଫକୀର ମୋହନ ସାହିତ୍ୟ ପରିଷଦର ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ଅଧ୍ୟକ୍ଷତା କରିବା ସହିତ କଥାସମ୍ରାଟଙ୍କ ବହୁବିଧ ପ୍ରତିଭା ସମ୍ପର୍କରେ ଆଲୋଚନା କରିଥିଲେ । ଫକୀର ମୋହନ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡ. ସନ୍ତୋଷ କୁମାର ତ୍ରିପାଠୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିବା ସହିତ ଓଡ଼ିଆ ଭାଷା ସାହିତ୍ୟର ତ୍ରାଣକର୍ତ୍ତା ଭାବେ ବ୍ୟାସକବି ଏ ଜାତି ନିକଟରେ ସର୍ବଦା ଅବିସ୍ମରଣୀୟ ବୋଲି କହିଥିଲେ । ବ୍ୟାସକବି ବାଲେଶ୍ୱରରେ ଜନ୍ମଗ୍ରହଣ କରିଥିବାରୁ ଏହି ଜିଲା ସମେତ ସାରା ଓଡ଼ିଶାରେ ଓଡ଼ିଆ ଭାଷାକୁ ଧ୍ୱଂସମୁଖରୁ ସେ ରକ୍ଷା କରିପାରିଥିଲେ । ନଚେତ ପଡ଼ୋଶୀ ରାଜ୍ୟର ଚକ୍ରାନ୍ତ ଯୋଗୁଁ ଆମ ଭାଷା ଆଜି ବିଲୁପ୍ତ ହୋଇ ଯାଇଥା’ନ୍ତା ବୋଲି ସେ ଆଶଙ୍କା ପ୍ରକଟ କରିଥିଲେ । ତେବେ ଫକୀର ମୋହନ ସାହିତ୍ୟ ପରିଷଦରେ ବ୍ୟକ୍ତି ସଦସ୍ୟତା ସାଙ୍ଗକୁ ଆନିଷ୍ଠାନିକ ସଦସ୍ୟତା ଗ୍ରହଣ ଉପରେ ବିଚାର ପାଇଁ ସେ କର୍ମକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ । ଏହା ଦ୍ୱାରା ବ୍ୟାସକବିଙ୍କ ସାହିତ୍ୟ କୃତିର ପ୍ରଚାର ପ୍ରସାର ଅଧିକ ହୋଇପାରି ବୋଲି କୁଳପତି ଡ. ତ୍ରିପାଠୀ ଆଶା ପ୍ରକାଶ କରିଥିଲେ । ଓଡ଼ିଶା ସାହିତ୍ୟ ଏକଡେମୀର ପୂର୍ବତନ ସଭାପତି ବିଶିଷ୍ଟ କବି ଡ.ହୁସେନ ରବି ଗାନ୍ଧୀ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଓଡ଼ିଆ ଭାଷା ସାହିତ୍ୟ ସମୃଦ୍ଧିରେ ଫକୀର ମୋହନଙ୍କ ଅବଦାନ ଓ ସମାଜ ସଂସ୍କାରରେ ତାଙ୍କର ଭୂମିକା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ତାଙ୍କର ପ୍ରତିଟି ସାହିତ୍ୟରେ ତତ୍କାଳୀନ ସମାଜ ବ୍ୟବସ୍ଥାର ନିଚ୍ଛକ ପ୍ରତିଫଳିତ ହୋଇଛି । ପ୍ରତ୍ୟେକ ଓଡ଼ିଆ ଫକୀର ମୋହନଙ୍କୁ ନେଇ ଗର୍ବ କରିବା ଉଚିତ ବୋଲି ସେ କହିଥିଲେ । ଯୁଗ୍ମ ସଂପାଦକ ଡ. ସାରଙ୍ଗଧର ତ୍ରିପାଠୀ ମଞ୍ଚ ଆହ୍ୱାନ କରିଥିବାବେଳେ ସମ୍ପାଦକ ଦୀପକ ବୋଷ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅବସରରେ ପରିଷଦର ମୁଖପତ୍ର ‘ସାହିତ୍ୟ ବାହିକା’ ଓ ସୁଷମା ମହାପାତ୍ରଙ୍କ ପୌରାଣିକ ଉପନ୍ୟାସ ‘ରାମପ୍ରିୟା’ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ସମ୍ବର୍ଦ୍ଧନା ପର୍ବରେ କୋଡ଼ିଏ ଜଣ ପ୍ରତିଭାଙ୍କୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶାର ପ୍ରଥିତଯଶା କବି ହରପ୍ରସାଦ ଦାସଙ୍କୁ ପରିଷଦର ସର୍ବୋଚ୍ଚ ପୁରସ୍କାର ‘ଫକୀରମୋହନ ସାହିତ୍ୟଶ୍ରୀ ପୁରସ୍କାର’ରେ ପୁରସ୍କୃତ କରାଯିବା ସହିତ ନବପ୍ରତିଭା ଭାବରେ ସଂଜୟ ପଣ୍ଡାଙ୍କୁ ହାଜି ଅସରଫ୍ ଅଲ୍ଲୀ ଉଦୟ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପ୍ରବନ୍ଧ ପାଇଁ ଡ. ନୃସିଂହ ଷଡ଼ଙ୍ଗୀ, ସମାଲୋଚନା ସାହିତ୍ୟ ପାଇଁ ଡ. ମହେନ୍ଦ୍ର କୁମାର ମିଶ୍ର, କବିତା ପାଇଁ ସେନାପତି ପ୍ରଦ୍ୟୁମ୍ନ କେଶରୀ, ଗଳ୍ପ ପାଇଁ ସଦାନନ୍ଦ ତ୍ରିପାଠୀ, ଉପନ୍ୟାସ ପାଇଁ ସୁନୀତି ମୁଣ୍ଡ, ନାଟକ ପାଇଁ ଆନନ୍ଦ ଚନ୍ଦ୍ର ପହି, ଗୀତିକବିତା ପାଇଁ ବାବାଜୀ ଜେନା, ଅନୁବାଦ ସାହିତ୍ୟ ପାଇଁ ଡ. ସ୍ନେହପ୍ରଭା ଦାସ, ହାସ୍ୟ ଓ ବ୍ୟଙ୍ଗ ସାହିତ୍ୟ ପାଇଁ ଶ୍ରୀମତୀ ବସନ୍ତ ମିଶ୍ର, ଶିଶୁସାହିତ୍ୟ ପାଇଁ ଲୋଚନ ବେହେରା, ସମ୍ବାଦ ସାହିତ୍ୟ ପାଇଁ କୁଳମଣି ବାରିକ, ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରସାର ପାଇଁ ଡ. ଅଶ୍ୱିନୀ ଶତପଥୀ, ସାହିତ୍ୟ ସଂଗଠନ ପାଇଁ ବିକାଶ ଶତପଥୀ, ପତ୍ରିକା ସଂପାଦନା ପାଇଁ ସରୋଜ ବଳ, ସାହିତ୍ୟ ଓ ସମାଜସେବା ପାଇଁ ମମତା ମହାପାତ୍ର, ଆଧ୍ୟାତ୍ମିକ ସାହିତ୍ୟ ପାଇଁ ସୁରେନ୍ଦ୍ର ପ୍ରସାଦ ଧଳ ଓ ଭ୍ରମଣ ସାହିତ୍ୟ ପାଇଁ ଡ. ବିବେକାନନ୍ଦ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ସଦସ୍ୟ କବୀନ୍ଦ୍ରନାଥ ଦାସ ପରିଷଦ ଗୌରବ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଡା. କୁମାର ଗୋପାଲ, ମନସ୍ୱିନୀ ଦେବୀ, ସ୍ନିଗ୍ଧା ସାମନ୍ତରାୟ, କଲ୍ୟାଣୀ ନନ୍ଦ, ସୁବ୍ରତା ମହାନ୍ତି, ଜ୍ୟୋତ୍ସ୍ନା ରାୟ, ପ୍ରୀତିଲେଖା ଦାସ, ପ୍ରତିମା ପଣ୍ଡା, ରାଜସ୍ମିତା ସାହୁ, ଅର୍ଚ୍ଚନା ନନ୍ଦୀ, ସ୍ମୃତି ଦାସ, ଦୀପ୍ତିଲତା ଦାସ, ପ୍ରଦୀପ୍ତ ମହାନ୍ତି, ରାଜେଶ ଗିରି ପ୍ରମୁଖ ମାନପତ୍ର ପାଠ କରିଥିଲେ । କୋଷାଧ୍ୟକ୍ଷ ତପନ ରାୟ ଧନ୍ୟବାଦ ଅର୍ପଣ କରିଥିଲେ । ପୂର୍ବାହ୍ଣରେ ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଜିଲା ପ୍ରଶାସନ ପକ୍ଷରୁ ଫକୀରମୋହନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପ୍ରତ୍ୟୁଷରେ ସ୍ଥାନୀୟ ନୟନା କୁମାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶ୍ରୀଯୁକ୍ତ ଶାନ୍ତନୁ କୁମାର ଜେନାଙ୍କ ନେତୃତ୍ୱରେ ନିତିଶ କୁମାର ନାୟକ, ଶ୍ରଦ୍ଧାଞ୍ଜଳି ନାୟକ, ଧରିତ୍ରୀ ଚାନ୍ଦ, ଦିବ୍ୟାଜ୍ୟୋତି ସାହୁ, ଲୋପାମୁଦ୍ରା ବିଶ୍ୱାଳ ପ୍ରମୁଖ ଛାତ୍ରଛାତ୍ରୀମାନେ ଶାନ୍ତିଘାଟଠାରେ ଫକୀରମୋହନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଭକ୍ତି ଅଞ୍ଜଳି ବାଢ଼ିଥିଲେ । ଅପରାହ୍ଣରେ ଉପସଭାପତି ପ୍ରଦୀପ ଚାଟ୍ଟାର୍ଜୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ‘ଫକୀରମୋହନ ଓ ସାଂପ୍ରତିକ କବିତା’ ଶୀର୍ଷକ ଆଲୋଚନା ସଭାରେ ଗବେଷକ ଡ. ଶିରୀଶ ଚନ୍ଦ୍ର ଜେନା, ଡ. ରବୀନ୍ଦ୍ର ବିହାରୀ ଓ ଅଧ୍ୟାପକ ସୁକାନ୍ତ ଗିରି ଅତିଥି ଭାବରେ ଯୋଗ ଦେଇଥିଲେ । ବିଭିନ୍ନ ପ୍ରବନ୍ଧ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।


