ଫକୀର ମୋହନ ଆଲୁମିନି ପକ୍ଷରୁ ପରିବେଶ ସୁରକ୍ଷା କର୍ମଶାଳା
ବାଲେଶ୍ୱର, (ସରୋଜ ପଣ୍ଡା):ଫକୀରମୋହନ କଲେଜ ଆଲୁମିନି ପକ୍ଷରୁ ପରିବେଶ ସୁରକ୍ଷା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଆଲୁମିନି ସଭାପତି ଡାକ୍ତର ପ୍ରଭାତ ଚନ୍ଦ୍ର ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ପରିବେଶବିତ ଇଂ. ସୁବ୍ରତ କୁମାର ନାୟକ ମୁଖ୍ୟବକ୍ତାଭାବେ ଯୋଗଦେଇ କ୍ରମଅବକ୍ଷୟମାନ ପରିବେଶ ସୁରକ୍ଷାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ବିଶେଷ କରି ଆଗାମୀ ପିଢ଼ିପାଇଁ ପରିବେଶ ସୁରକ୍ଷାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇ ସେ ବିଭିନ୍ନ ତଥ୍ୟ ଉପସ୍ଥାପନ କରିଥିଲେ । ବାଲେଶ୍ୱର ସହର ସମୁଦ୍ର ପତ୍ତନଠାରୁ ୧୯ମି. ଉଚ୍ଚରେ ଥିଲେ ମଧ୍ୟ ଏହାର ଉଦ୍ବୃତ୍ତ ଜଳ କିପରି ମହାନାଳ ମଧ୍ୟରେ ଭୂପୃଷ୍ଠ, ଭୂତଳ ଓ ଉପରିଭାଗରେ ସମୁଦ୍ରକୁ ନିଷ୍କାସିତ ହୋଇପାରିବ ଏବଂ ଏହାଦ୍ୱାରା ମେଲେରିଆ, ଝାଡ଼ାବାନ୍ତି, ହେପାଟାଇଟିସ୍, ଜଣ୍ଡିସ୍ ଆଦି ରୋଗ ପ୍ରତିହତ କରିହେବ ସେ ସମ୍ପର୍କରେ ସେ ଉଦାହରଣ ସହ ବୁଝାଇଥିଲେ । ବିଶ୍ୱର ବିଭିନ୍ନ ବିକଶିତ ତଥା ବିକାଶଶୀଳ ରାଷ୍ଟ୍ରରେ ପରିବେଶ ସୁରକ୍ଷା ନେଇ ପ୍ରୟୋଗ କରାଯାଉଥିବା ସହଜ ଉପାୟଗୁଡ଼ିକ ସମ୍ପର୍କରେ ଇଂ. ନାୟକ ବିସ୍ତୃତ ଆଲୋଚନା କରିଥିଲେ । ପ୍ରାକୃତିକ ଅବସ୍ଥିତି ଓ ଦକ୍ଷ ବିଶେଷଜ୍ଞମାନେ ଏନେଇ ଆନ୍ତରିକତାର ସହ ଉଚିତ ପଦକ୍ଷେପ ନେବା ସାଙ୍ଗକୁ ସବୁ ମହଲରୁ ଉଦ୍ୟମ ଆରମ୍ଭ କରିବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ଦୀନବନ୍ଧୁ ଲେଙ୍କା, ରାମପ୍ରସାଦ ପ୍ରଧାନ, ରାମଚନ୍ଦ୍ର ସେଠୀ, ବିଶ୍ୱନାଥ ସାହୁ, ରମାକାନ୍ତ ମହାନ୍ତି, ଶରତ କୁମାର ମିଶ୍ର, ମଧୁସୂଦନ ବେହେରା, ନିଖିଲ ଚନ୍ଦ୍ର ଆଶ୍, ଦୀପକ ଦାସ, ଅନୁସୂୟା ନାୟକ, ପାର୍ଥସାରଥୀ ଆଶ୍ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ପରିଷଦର ସାଧାରଣ ସମ୍ପାଦକ ବିଷ୍ଣୁପ୍ରସାଦ ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।