ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୁରୁଣା କ୍ୟାମ୍ପସରେ ତାଲା
ବାଲେଶ୍ୱର (ଯୁଗାବ୍ଦ ନ୍ୟୁଜ): ଫକୀର ମୋହନ ବିଶ୍ୱବିଦ୍ୟାଳୟର ସମନ୍ୱିତ ବିଏଡ-ଏମଏଡ ଛାତ୍ରଛାତ୍ରୀ ନିଜର ପିଜି ସାରି ଏହି ଶିକ୍ଷାବର୍ଷରେ ନାମ ଲେଖା କରାଇଛନ୍ତି । ଛାତ୍ରଛାତ୍ରୀମାନେ ନିଜର ସୁନ୍ଦର ଭବିଷ୍ୟତ ଗଢିବା ତଥା ଶିକ୍ଷକତା ଲକ୍ଷ୍ୟରେ ଏହି ବିଭାଗରେ ନାମ ଲେଖାଇଥିଲେ । ମାତ୍ର ବିଡମ୍ବନାର ବିଷୟ ଏବେ ଛାତ୍ରଛାତ୍ରୀମାନେ ଶିକ୍ଷକ ପ୍ରବେଶିକା ପରୀକ୍ଷା ଯେମିତିକି ଓଟିଇଟି, ସିଟିଇଟି ଓ ଓଏସଟିଇଟି, ପିଜିଟି, ଟିବିଟି, କେଭିଏସ, ଏନଭିଏସ, ଓଏଭିଏସ ଭଳି ପରୀକ୍ଷା କିମ୍ବା ୟୁଜିସି ନେଟ୍ ମଧ୍ୟ ଦେଇପାରିନାହାନ୍ତି । କେବଳ ଫକୀର ମୋହନ ବିଶ୍ୱବିଦ୍ୟାଳୟ ନୁହେଁ ଓଡିଶାର ଅନ୍ୟ ପ୍ରମୁଖ ବିଶ୍ୱବିଦ୍ୟାଳୟ ଯେଭଳି ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ରାଜେନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟରେ ମଧ୍ୟ ଛାତ୍ରଛାତ୍ରୀ ସମଦଶା ଭୋଗୁଛନ୍ତି । ଉଚ୍ଚଶିକ୍ଷା ପରେ ଏ ହଟହଟା ପାଇଁ ଛାତ୍ରଛାତ୍ରୀ ବହୁ ମାନସିକ ଅଶାନ୍ତିରେ ଅଛନ୍ତି । ବାରମ୍ବାର ଫକୀର ମୋହନ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଅବଗତ କରାଇଥିଲେ ମଧ୍ୟ ନିଜର ବେପରୁଆ ଓ ଖାମଖିଆଲି ନୀତିରେ ମିଥ୍ୟା ପ୍ରତିଶ୍ରୁତି ଦେଇ ପିଲାମାନଙ୍କ ଭବିଷ୍ୟତ ସହ ଖେଳାଯାଇଛି । ପିଲାମାନେ ଜାତୀୟ ଗଣଶିକ୍ଷାର ଆଞ୍ଚଳିକ ପରିଷଦ, ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ଗଣଶିକ୍ଷା ସଚିବ, ମାନବ ସମ୍ବଳ ବିକାଶ ମନ୍ତ୍ରୀ ଡ. ରମେଶ ଚନ୍ଦ୍ର ପୋଖୋରୀୟାଲ୍, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ଧର୍ମେନ୍ଦ୍ର ପ୍ରଧାନ ସମସ୍ତଙ୍କୁ ଅବଗତ କରାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ଏହାବ୍ୟତୀତ ଅନ୍ୟସବୁ କାରଣ ଯଥା- ଫର୍ମ ପୂରଣର ବର୍ଦ୍ଧିତ ମୂଲ୍ୟ ଏବଂ ଖାତାଦେଖାରେ ତ୍ରୁଟି ଯୋଗୁଁ ୫୦ ପ୍ରତିଶତରୁ ଅଧିକାଂଶ ଛାତ୍ରଛାତ୍ରୀ ଫେଲ୍ ହେବା ଓ ପୂର୍ବମୂଲ୍ୟାୟନର ବିଳମ୍ବନା ସହିତ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଚାତ୍ରଛାତ୍ରୀମାନେ ବାଧ୍ୟ ହୋଇ ଆଜି ଫକୀର ମୋହନ ବିଶ୍ୱବିଦ୍ୟାଳୟର ପୁରୁଣା କ୍ୟାମ୍ପସକୁ ବନ୍ଦ କରିଛନ୍ତି ଏବଂ ଆସନ୍ତା ନଭେମ୍ବର ୫ ତାରିଖରେ ନିଜ ବିଶ୍ୱବିଦ୍ୟାଳୟରୁ ଭୁବନେଶ୍ୱର ଲୋକସେବା ଭବନ ଯାଏଁ ଶାନ୍ତିପୂର୍ଣ୍ଣ ଭାବେ ନିଜ ଅଧିକାର ପାଇବା ପାଇଁ ପାଦରେ ଶେଷ ଶକ୍ତି ଓ ଶେଷ ନିଶ୍ୱାସ ଥିବା ଯାଏଁ ଚାଲିବାକୁ ନିଷ୍ପତି ନେଇଛନ୍ତି । ଯଦି କାହାର କିଛି କ୍ଷତି ହୁଏ, ସେଥିପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଓ ପ୍ରଶାସନ ଉଭୟ ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତ।