ଫକୀର ମୋହନ ସାହିତ୍ୟ ପରିଷଦ ପକ୍ଷରୁ ୨ଟି ଗ୍ରନ୍ଥ ଉନ୍ମୋଚିତ
ବାଲେଶ୍ୱର, (ସରୋଜ ପଣ୍ଡା) :-ସାଧାରଣତଃ ଲେଖକ, ସମ୍ପାଦକ ଓ ପ୍ରକାଶକଙ୍କୁ ସାରସ୍ୱତ ତ୍ରିଭୁଜର ତିନିଗୋଟି ବାହୁ ବୋଲି କୁହାଯାଉଥିଲେ ମଧ୍ୟ ପାଠକମାନେ ସେହି ତ୍ରିଭୁଜର ଚତୁର୍ଥ ବାହୁ । ପାଠକ ଗ୍ରହଣ ନକଲେ କିମ୍ବା ସ୍ୱୀକୃତି ନଦେଲେ ପ୍ରତିଭାବାନ୍ ଲେଖକର କୃତ ନିରର୍ଥକ ହୋଇଯାଏ ବୋଲି ଫକୀରମୋହନ ସାହିତ୍ୟ ପରିଷଦ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଦୁଇଖଣ୍ଡ ଗ୍ରନ୍ଥକୁ ଉନ୍ମୋଚନ କରି ଓଡ଼ିଶାର ବିଶିଷ୍ଟ ଗାଳ୍ପିକ ବିଷ୍ଣୁ ସାହୁ ମତ ପ୍ରକାଶ କରିଥିଲେ । ଶନିବାର ସନ୍ଧ୍ୟାରେ ଶାନ୍ତିିକାନନଠାରେ ପରିଷଦର ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ଶିଉଲାଲ ମହନ୍ତଙ୍କର ଗଳ୍ପଗ୍ରନ୍ଥ ସୁଇସାଇଡ୍ ନୋଟ୍ ଓ ସୁମିତା ବେହେରାଙ୍କର କବିତା ଗ୍ରନ୍ଥ ନିଃଶବ୍ଦ ଅଭିସାର ଲୋକାର୍ପିତ ହୋଇଥିଲା । ନିଃଶବ୍ଦ ଅଭିସାର ଗ୍ରନ୍ଥକୁ ସମୀକ୍ଷା କରି ପ୍ରେମାନନ୍ଦ ଆର୍ଯ୍ୟବ୍ରତ ଦାସ ବହିଟିରେ ଜୀବନ ତଥା ଜୀବନ ସମ୍ପର୍କିତ ଜିଜ୍ଞାସାବୋଧ ଓ ମାନବୀୟ ମୂଲ୍ୟବୋଧର ଏକ ସନ୍ତୁଳିତ ଉପସଂହାର କବିଙ୍କ କବିତାରେ ପ୍ରଦର୍ଶିତ ହୋଇଛି ବୋଲି ପ୍ରକାଶ କରିଥିଲେ । ସେହିପରି ସୁଇସାଡଡ୍ ନୋଟ୍କୁ ଆଲୋଚନା କରି ଗବେଷକ ଡ.ଶିରୀଶଚନ୍ଦ୍ର ଜେନା ସମୟର ସ୍ୱର ଓ ସଂକେତକୁ ଗଳ୍ପରେ ପ୍ରସଙ୍ଗ କରିବା ସହ ପ୍ରେମ, ଅନ୍ତଦ୍ୱର୍ନ୍ଦ୍ୱ, ସ୍ୱପ୍ନଭଙ୍ଗ ଓ ବିଷାଦବୋଧକୁ ଗାଳ୍ପିକ ଫୁଟାଇ ପାରଛନ୍ତି ବୋଲି ମତ ରଖିଥିଲେ । ଲେଖକଦ୍ୱୟ ଲେଖକୀୟ ବକ୍ତବ୍ୟରେ ସମାଜ ଓ ପାରିବାରିକ ଜୀବନ ତାଙ୍କର ସାହିତ୍ୟକୁ ପ୍ରଭାବିତ କରିଛି ବୋଲି ପ୍ରକାଶ କରିଥିଲେ । ସ୍ୱାବଲମ୍ବନର ପ୍ରକାଶକ ସନ୍ତୋଷ ବାରିକ ଗ୍ରନ୍ଥଦ୍ୱୟର ସଂକ୍ଷିପ୍ତ ଆଲୋଚନା କରି ଏହାକୁ ଇଣ୍ଟରନେଟ୍ ମାଧ୍ୟମରେ ପଢ଼ିବାର ସୁଯୋଗ ମିଳିପାରିବ ବୋଲି ସୂଚନା ଦେଇଥିଲେ । ଡ. ସାରଙ୍ଗଧର ତ୍ରିପାଠୀ ଅତିଥିଙ୍କୁ ମଞ୍ଚୁ ଅମନ୍ତ୍ରଣ କରିଥିବା ବେଳେ ସମ୍ପାଦକ ଦୀପକ ବୋଷ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିଲେ । କଲ୍ୟାଣୀ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କମଧ୍ୟରେ ପ୍ରଦୀପ ଚାଟ୍ଟାର୍ଜୀ, ଦୀନବନ୍ଧୁ ଲେଙ୍କା,ତପନ ରାୟ,ଶରତ କୁମାର ମହାପାତ୍ର, ଡ.ଭାଗବତ ପ୍ରସାଦ ଦାସ,ନିବାରଣ ଜେନା, ନିରଞ୍ଜନ ରାଉତ, ବାସନ୍ତୀ କର, ଶ୍ରୀରୂପାମଞ୍ଜରୀ ସେନ୍,ରମେଶ ଚନ୍ଦ୍ର ଜେନା, କରୁଣାକର ସ, ଡ.କ୍ଷିତୀଶ୍ୱର ଦାଶ, ଡ.ଲେଖାରାଣୀ ଦାସ, ଅରୁଣା ରାୟ,ପ୍ରତିମା ପଣ୍ଡା, ସଙ୍ଗୀତା ବାରିକ, ଶାନ୍ତିଲତା ବିଶି, ଓମ୍ ସାଇକୃଷ୍ଣ ସାହୁ, ସୁଚିତ୍ରା ସାହୁ, ଊର୍ମିଳା ନାୟକ, ଜ୍ୟୋତ୍ସ୍ନା ରାୟ, ସ୍ନିଗ୍ଧା ସାମନ୍ତରାୟ,ଶାନ୍ତିଲତା ପଣ୍ଡା. ହରେରାମ ଦାସ,ଜୁମରନାଥ ପାତ୍ର, ଜ୍ଞାନେନ୍ଦ୍ର କୁମାର ପଣ୍ଡା,ହିମାଂଶୁ ଦାସ, ବିଧ୍ୟାଧର ସାହୁ, ମଧୁସୂଦନ ମାଝୀ, ଆଶିଷ ଚକ୍ରବର୍ତ୍ତୀ, ସୋନା ବାବୁ, ଉତ୍ତମ କୁମାର ବାରିକ, କମଳାକାନ୍ତ ଦାଶ, କମଳାକାନ୍ତ ନାୟକ,ଯୋଗେଶ ଚନ୍ଦ୍ର ପ୍ରଧାନ, ରଜନୀକାନ୍ତ ବେହେରା, ଲମ୍ବୋଦର ନାୟକ, ବେଣୁଧର ସାହୁ,ଅମ୍ବୁଜ କୁମାର ଦାସ, ସଞ୍ଜୟ କୁମାର ପଣ୍ଡା, ମମତା ଦାସ, କୃଷ୍ଣା ପ୍ରଧାନ, ଶତ୍ରୁଘ୍ନ ମହାନ୍ତ, ଶୁଭ୍ରଜିତ୍ ସ୍ୱାଇଁ ପ୍ରମୁଖ ଯୋଗଦେଇ ସଭାକୁ ସଫଳ କରିଥିଲେ ।