ଫନିରେ ଉଜୁଡିଲା ଚାଷ ଞ୍ଚକ୍ଷୟକ୍ଷତିର ଆକଳନ ପାଇଁ ଦାବିପତ୍ର

ନାଉଗାଁ,(ଯୁଗାବ୍ଦ ନ୍ୟୁଜ):ପ୍ରଳୟଙ୍କାରୀ ବାତ୍ୟା ‘ଫନି’ ଆଜିକୁ ୧୩ ଦିନ ବିତି ଯାଇଥିଲେ ମଧ୍ୟ ସୁଧୁରୁନି ପରିସ୍ଥିତି । ଏଥିରେ ଉଜୁଡି ଯାଇଛି ରବି ଫସଲ ଓ ଅର୍ଥକାରୀ ଫସଲ । ଋଣ ଭାରରେ ଚାଷୀ ତାର ଫସଲ ନଷ୍ଟକୁ ନେଇ ହତାଶ ହୋଇପଡିଥିବା ବେଳେ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ନାଉଗାଁ ତହସିଲରେ ଆଜି ପର୍ଯ୍ୟନ୍ତ କୌଣସି ଗୋଟିଏ ହେଲେ କ୍ଷତିଗ୍ରସ୍ଥ ଚାଷଜମିକୁ ତଦନ୍ତ କରାଯାଇ ପାରିନାହିଁ । ଏହି ତହସିଲ ଅଧିନରେ ୧୬ ପଂଚାୟତ ରହିଛି । ଏଥିରେ ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରି ଜୀବନ ନିର୍ବାହ କରୁଥିବା ବେଳେ ବାତ୍ୟାରେ ସେମାନଙ୍କର ଫସଲ ନଷ୍ଟ ହୋଇଯାଇଛି । କ୍ଷେତରେ ଥିବା ମୁଗ ଗୁଡିକ ଧଳା ରଙ୍ଗର ହୋଇଯାଇଥିବା ବେଳେ ଡାଳୁଅ ଧାନ ମାଟିରେ ପଡି ଗଜା ବାହାରିଲାଣି । ତେଣୁ ଏହି ମୁଗକୁ ବ୍ୟବସାୟୀ ମାନେ ୨୦ ଟଙ୍କା ଦରରେ ମଧ୍ୟ ନେବାକୁ ଇଛା ପ୍ରକାଶ କରୁ ନାହାନ୍ତି । ଫଳରେ ସେମାନଙ୍କର ମୁଳୁଦୁଆ ଭାଙ୍ଗି ପଡିଛି । ଅନ୍ୟପଟେ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ତଦନ୍ତ ନହେବାରୁ ଜନ ଅସନ୍ତୋଷ ଦେଖା ଦେଲାଣି । ଯାହାକୁ ନେଇ ଅଲ୍ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ ନାଉଗାଁ ବ୍ଲକ କମିଟି ପକ୍ଷରୁ ନାଉଗାଁ ବ୍ଳକ ସହକାରୀ କୃଷି ଅଧିକାରୀଙ୍କୁ ବୁଧବାର ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଗତ ୦୩ ତାରିଖରେ ହୋଇଥିବା ବାତ୍ୟା ଫନି ଯୋଗୁଁ ନାଉଗାଁ ଅଂଚଳରେ ଡାଳୁଅ ଧାନ,ମୁଗ,ପୋଟଳ,ତରଭୁଜ,ପୋଇ, ଭେଣ୍ଡି ସହିତ ନଡିଆ,କାଜୁ ବାଦାମ,ପାନ,କଦଳୀ,ଆଖୁ ଆଦି ଭଳି ଅର୍ଥକରୀ ଫସଲ ବହୁ ପରିମାଣରେ ନଷ୍ଟ ହୋଇଯାଇଛି । କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ତଦନ୍ତ କରାଯାଇ ନାହିଁ । କ୍ଷୟକ୍ଷତିର ଆକଳନ କରାଯାଇ ପାରୁନଥିବାରୁ ଚାଷୀ ଭାଇମାନେ କ୍ଷତିପୂରଣ ପାଇବାରୁ ବଂଚିତ ହେଉଛନ୍ତି । ଯୁଦ୍ଧ କାଳୀନ ଭିତିରେ ନିରପେକ୍ଷ ତଦନ୍ତ କରାଯାଇ ଉକ୍ତ ତଥ୍ୟର ତାଲିକା ବ୍ଲକ,ତହସିଲ,ଗ୍ରାମ ପଂଚାୟତ ଓ କୃଷି କାର୍ଯ୍ୟାଳୟରେ ସର୍ବସାଧାରଣ ଅବଗତି ନିମନ୍ତେ ଝୁଲାଇବା ପାଇଁ ସଂଗଠନର ସଭାପତି ସୁବାସ ସ୍ୱାଇଁ,ପ୍ରସନଜିତ ସାହୁ,ମହେଶ୍ୱର ଦାସ,ରଂଜିତ କୁମାର ଜେନା,ଆର୍ତ ଦାସ ପ୍ରମୁଖ ଦାବିପତ୍ର୍ରେ ଦର୍ଶାଇଛନ୍ତି । ନାଉଗାଁ ସହକାରୀ କୃଷି ଅଧିକାରୀ କାର୍ଯାଳୟରେ ଅନୁପସ୍ଥିତ ଥିବାରୁ ନାଉଗାଁ କୃଷି ତତ୍ୱାବଧାରକ ରକେଟ୍ ରଂଜନ ମାଝି ଉକ୍ତ ଦାବିପତ୍ରକୁ ଗ୍ରହଣ କରିଥିଲେ । ଏ ସଂପର୍କରେ ନାଉଗାଁ ସହକାରୀ କୃଷି ଅଧିକାରୀ ନିର୍ମାଲ୍ୟ ନାୟକଙ୍କୁ ପଚାରିବାରୁ ଆମ ତରଫରୁ ତଦନ୍ତ କରାଯାଇ ତଥ୍ୟ ଉପରୀସ୍ତ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି କିନ୍ତୁ ତହସିଲଦାରଙ୍କ ତରଫରୁ ଯୁଗ୍ମ ତଦନ୍ତ ପାଇଁ କୌଣସି ଅଧିକାରୀକୁ ଦିଆଯାଇ ନଥିବାରୁ ଏହି ତଦନ୍ତରେ ବିଳମ୍ବ ହେଉଛି ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ