ଫନି ପ୍ରଭାବିତ ଅଞ୍ଚଳରେ ଓଡିଶା ସ୍କାଉଟସ୍ ଏବଂ ଗାଇଡସ୍ର ସେବାକାର୍ଯ୍ୟ
(ଯୁଗାବ୍ଦ ନ୍ୟୁଜ) ଗତ ୩ ତାରିଖ ଦିନ ପ୍ରଳୟଙ୍କାରୀ ଘୁର୍ଣ୍ଣି ବାତ୍ୟା “ଫନି”ର ପ୍ରଭାବରେ କ୍ଷତିଗ୍ରସ୍ତ ଜିଲ୍ଲାମାନଙ୍କରେ ଓଡିଶା ସ୍କାଉଟ ଓ ଗାଇଡ୍ ସଂସ୍ଥାର ଶତାଧିକ ରୋଭର ଓ ରେଞ୍ଜର ବିଭିନ୍ନ ଜିଲ୍ଲାରେ ସେମାନଙ୍କର ସେବା କାର୍ଯ୍ୟ ଜାରି ରଖିଛନ୍ତି । ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲ୍ଲାର ସତ୍ୟବାଦୀ, କଣାସ, ବ୍ରହ୍ମଗିରି ଏବଂ ଭୁବନେଶ୍ୱରର ତଳିଆ ଅଞ୍ଚଳ ଆଦି ବାତ୍ୟା ଆଶ୍ରୟସ୍ଥଳୀରେ ଅନ୍ଧାର ଏବଂ ଅନାହାରରେ ଆଶ୍ରୟ ନେଇଥିବା ଲୋକମାନଙ୍କୁ ରନ୍ଧା ଖାଦ୍ୟ ପରିବେଷଣ କରିଥିଲେ । ପରବର୍ତ୍ତୀ ଦିନମାନଙ୍କରେ ଉକ୍ତ ଅଞ୍ଚଳରେ ଘରକୁ ଘର ବୁଲି ଚୁଡା, ଗୁଡ, ବିସ୍କୁଟ, ମହମବତୀ ଏବଂ ଦିଆସିଲି ଆଦି ଅତ୍ୟାବଶ୍ୟକ ସାମଗ୍ରୀ ଲୋକମାନଙ୍କୁ ବଣ୍ଟନ କରିଥିଲେ । ଏତଦ୍ବ୍ୟତୀତ ବାତ୍ୟା ପ୍ରଭାବରେ ରାସ୍ତା ଅବରୋଧ କରୁଥିବା ଭଙ୍ଗା ଗଛ ଡାଳ, ବିଦ୍ୟୁତ ଖୁଣ୍ଟ ଆଦିକୁ ଉଠାଇ ରାସ୍ତା ପରିସ୍କାର କରିବା କାର୍ଯ୍ୟରେ ସହାୟତା ପ୍ରଦାନ କରିଥିଲେ । ବିଭିନ୍ନ ଦଳରେ ବିଭକ୍ତ ହୋଇ ରୋଭର ଓ ରେଞ୍ଜରମାନେ ପୁରୀ, ଭୁବନେଶ୍ୱର ଏବଂ କଟକର ବହୁ ଅଞ୍ଚଳରେ ରାସ୍ତା ଘାଟରୁ ଅଳିଆ ଆବର୍ଜନା ସଫା କରିବା ସହିତ ବିଭିନ୍ନ ଦପ୍ତରରେ ଜମି ରହିଥିବା ଅଳିଆ ଆବର୍ଜନା ମଧ୍ୟ ସଫା କରିଥିଲେ । ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରର ବିଭିନ୍ନ ଛକମାନଙ୍କରେ ଜଳଛତ୍ର ବୁଥ୍ ଖୋଲି ପଥଚାରୀମାନଙ୍କୁ ପ୍ରବଳ ଗ୍ରୀଷ୍ମ ତାପ ସମୟରେ ଥଣ୍ଡା ପାନୀୟ ଜଳ ବଣ୍ଟନ କାର୍ଯ୍ୟ ଅବ୍ୟାହତ ରଖିଛନ୍ତି । ଏତଦ୍ବ୍ୟତୀତ ବାତ୍ୟା ପ୍ରଭାବିତ ପ୍ରତ୍ୟେକ ଜିଲ୍ଲାରେ ମଧ୍ୟ ସ୍କାଉଟ ଓ ଗାଇଡ୍ମାନେ ନିଜ ନିଜ ଅଞ୍ଚଳରେ ଅନୁରୂପ କାର୍ଯ୍ୟରେ ନିୟୋଜିତ ହୋଇରହିଛନ୍ତି ।