ଫନି ମୁକାବିଲା ପ୍ରସ୍ତୁତି ସମୀକ୍ଷା କଲେ ଏନସିଏମସି

• ଓଡିଶାର ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଏବଂ ବାଲେଶ୍ୱର ଆଦି ଉପକୂଳବର୍ତୀ ଜିଲ୍ଲା ହେବ ପ୍ରଭାବିତ
• ଓଡ଼ିଶାରେ ୨୮ଟି ଏନଡିଆରଏଫ ଦଳ ମୁତୟନ
• ରାଜ୍ୟକୁ ଦୁଇଟି ହେଲିକପ୍ଟର ଯୋଗାଇବାକୁ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଲେ କ୍ୟାବିନେଟ ସଚିବ
• ପ୍ରଭାବିତ ଅଂଚଳରେ ଲୋକମାନଙ୍କୁ ଥଇଥାନ କରିବା ପାଇଁ ଓଡ଼ିଶାରେ ୯୦୦ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ

କ୍ୟାବିନେଟ ସଚିବ ପି କେ ସିହ୍ନା ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟି (ଏନସିଏମସି) ବୈଠକରେ ଅତି ଭୀଷଣ ସାମୁଦ୍ରିକ ଝଡ଼ “ଫନି” କାରଣରୁ ସୃଷ୍ଟି ହେବାକୁ ଥିବା ପରିସ୍ଥିତିର ମୁକାବିଲା ଲାଗି ସମ୍ପୃକ୍ତ କେନ୍ଦ୍ରୀୟ ମନ୍ତ୍ରଣାଳୟ/ବିଭାଗଗୁଡ଼ିକର ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି ଯେ ସାମୁଦ୍ରିକ ଝଡ଼ ‘ଫନି’ ମେ’ ତିନି ତାରିଖ ଅପରାହ୍ଣରେ ପୁରୀର ଦକ୍ଷିଣରେ ଓଡ଼ିଶା ଉପକୂଳ ଛୁଇଁବ । ଏହି ସମୟରେ ରାଜ୍ୟର ଉପକୂଳବର୍ତୀ ଜିଲ୍ଲାରେ ପବନର ବେଗ ପାଖାପାଖି ୧୮୦ କିମି ରହିବ ବୋଲି ଅନୁମାନ କରାଯାଉଛି ।
ଏହି ସାମୁଦ୍ରିକ ଝଡ଼ ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର ଏବଂ ବାଲେଶ୍ୱର ଆଦି ଓଡ଼ିଶାର ଉପକୂଳବର୍ତୀ ଜିଲ୍ଲାକୁ ପ୍ରଭାବିତ କରିବ । ସେହିପରି ପଶ୍ଚିମବଙ୍ଗର ପୂର୍ବ ଏବଂ ପଶ୍ଚିମ ମିଦିନାପୁର, ଦକ୍ଷିଣ ଏବଂ ଉତର ୨୪ ପ୍ରଗଣା, ହାଓଡ଼ା, ହୁଗୁଳି, ଝାରଗ୍ରାମ ଏବଂ କୋଲକାତା ସମେତ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ, ବିଜୟନଗରମ ଏବଂ ବିଶାଖାପାଟଣା ଜିଲ୍ଲାରେ ବାତ୍ୟାର ପ୍ରଭାବ ଅନୁଭୂତ ହେବ ।
ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଏବଂ ଜଗତସିଂହପୁର ଆଦି ଓଡ଼ିଶାର ଉପକୂଳବର୍ତୀ ଜିଲ୍ଲାରେ ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ସମୁଦ୍ରରେ ଦେଢ଼ ମିଟର ଉଚ୍ଚତାର ଜୁଆର ଉଠିବ ବୋଲି ଆଇଏମଡି ପୂର୍ବାନୁମାନ କରିଛି ।
ରାଜ୍ୟ ଏବଂ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ପ୍ରସ୍ତୁତି ସମୀକ୍ଷା କରି ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଅଂଚଳରେ ଲୋକମାନଙ୍କ ଉଦ୍ଧାର କାର୍ଯ୍ୟ ଲାଗି ସମସ୍ତ ଆବଶ୍ୟକ ପଦକ୍ଷେପ ନେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ଖାଦ୍ୟ, ପାନୀୟ ଏବଂ ଔଷଧ ଆଦି ଜରୁରୀ ସାମଗ୍ରୀର ଯଥେଷ୍ଟ ଯୋଗାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ସାମୁଦ୍ରିକ ଝଡ଼ର ମୁକାବିଲା ଲାଗି ନିଆଯାଇଥିବା ପ୍ରସ୍ତୁତି ପଦକ୍ଷେପ ସମ୍ପର୍କରେ ସମ୍ପୃକ୍ତ ରାଜ୍ୟ ସରକାର ଏନସିଏମସିକୁ ଅବଗତ କରାଇଥିଲେ । ଓଡ଼ିଶା ପକ୍ଷରୁ ସୂଚନା ଦିଆଯାଇଥିଲା ଯେ ପ୍ରଭାବିତ ଅଂଚଳରେ ଲୋକମାନଙ୍କୁ ଥଇଥାନ କରିବା ଲାଗି ପ୍ରାୟ ୯୦୦ଟି ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି । ଜରୁରୀ ଖାଦ୍ୟ ବିତରଣ ଲାଗି ରାଜ୍ୟକୁ ଦୁଇଟି ହେଲିକପ୍ଟର ଯୋଗାଇ ଦେବାକୁ ଅନୁରୋଧ କରାଯାଇଥିଲା । ଓଡ଼ିଶା ସରକାରଙ୍କ ଆବଶ୍ୟକତା ପୂରଣ କରିବା ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟକୁ କ୍ୟାବିନେଟ ସଚିବ ନିର୍ଦ୍ଦେଶ ଦେଇଥିଲେ । ବିଦ୍ୟୁତ, ଟେଲିଯୋଗାଯୋଗ ଭଳି ଗୁରୁତ୍ୱପୂର୍ଣ୍ଣ ସେବା କ୍ଷତିଗ୍ରସ୍ତ ହେବା ସ୍ଥିତିରେ ଏହାର ତୁରନ୍ତ ମରାମତି ଏବଂ ସଂଚାଳନ ନିମନ୍ତେ ଆବଶ୍ୟକ ପ୍ରସ୍ତୁତି କରିବା ଲାଗି ବିଭାଗୀୟ କର୍ତୃପକ୍ଷଙ୍କୁ କ୍ୟାବିନେଟ ସଚିବ ପରାମର୍ଶ ଦେଇଥିଲେ । କୌଣସି ପ୍ରକାରର କ୍ଷୟକ୍ଷତିର ମୁକାବିଲା କରି ତୁରନ୍ତ ସେମାନଙ୍କ ସେବାକୁ ପୁନଃସଂଚାଳନ କରିବା ଲାଗି ରେଳବାଇ, ବେସାମାରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏବଂ ଜାହାଜ ଚଳାଚଳ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦିଆଯାଇଥିଲା । ଭାରତୀୟ ତଟରକ୍ଷୀ ବାହିନୀ ଏବଂ ନୌସେନା ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ସେମାନଙ୍କ ଜାହାଜ ଓ ହେଲିକପ୍ଟରକୁ ନିୟୋଜିତ କରିଛନ୍ତି । ସେନା ଏବଂ ବାୟୁସେନା ୟୁନିଟକୁ ତିନୋଟି ପ୍ରଭାବିତ ରାଜ୍ୟରେ ପ୍ରସ୍ତୁତ ରହିବା ଲାଗି କୁହାଯାଇଛି । ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନଡିଆରଏଫ)ର ୧୨ଟି ଦଳ ଆନ୍ଧ୍ର ପ୍ରଦେଶରେ, ୨୮ଟି ଦଳ ଓଡ଼ିଶାରେ ଏବଂ ୬ଟି ଦଳକୁ ପଶ୍ଚିମବଂଗରେ ନିୟୋଜିତ କରାଯାଇଛି । ଅତିରିକ୍ତ ୩୨ଟି ଦଳକୁ ପ୍ରସ୍ତୁତ ରହିବା ଲାଗି କୁହାଯାଇଛି । ଏହିସବୁ ଦଳ ସହ ବୋଟ, ଗଛ କଟା ସରଞ୍ଜାମ, ଟେଲିକମ ସରଞ୍ଜାମ ଆଦି ରହିଛି । ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ନଦେବା ସୁନିଶ୍ଚିତ କରିବା ଲାଗି ରାଜ୍ୟଗୁଡ଼ିକ ପରାମର୍ଶ ଜାରି କରିଛନ୍ତି । ପ୍ରଭାବିତ ହେବାକୁ ଥିବା ରାଜ୍ୟଗୁଡ଼ିକ ପାଇଁ ପ୍ରତି ତିନି ଘଂଟାରେ ଥରେ ସୂଚନା ପ୍ରଦାନ କରିବାର ବ୍ୟବସ୍ଥା ଆଇଏମଡି ପକ୍ଷରୁ କରାଯାଇଛି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମଧ୍ୟ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରୀ ସଂସ୍ଥାଗୁଡ଼ିକ ସହିତ ନିୟମିତ ଯୋଗାଯୋଗରେ ରହିଛି । ଆନ୍ଧ୍ର ପ୍ରଦେଶ, ଓଡ଼ିଶା ଏବଂ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ/ପ୍ରମୁଖ ଶାସନ ସଚିବମାନେ ଭିଡିଓ କନଫରେନ୍ସିଂ ଜରିଆରେ (ଜାତୀୟ ବିପର୍ଯ୍ୟୟ ପରିଚାଳନା କମିଟି)ଏନସିଏମସି ବୈଠକରେ ଯୋଗ ଦେଇଥିଲେ । ସ୍ୱରାଷ୍ଟ୍ର, ଜାହାଜ ଚଳାଚଳ, ବେସାମରିକ ବିମାନ ଚଳାଚଳ, ରେଳ, ମତ୍ସ୍ୟସମ୍ପଦ, ଶକ୍ତି, ଟେଲିଯୋଗାଯୋଗ, ପ୍ରତିରକ୍ଷା, ପାନୀୟ ଜଳ ଏବଂ ସ୍ୱଚ୍ଛତା, ଖାଦ୍ୟ ପ୍ରକ୍ରିୟାକରଣ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ଆଇଏମଡି, ଏନଡିଏମଏ ଏବଂ ଏନଡିଆରଏଫର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ । ଆସନ୍ତାକାଲି ମଧ୍ୟ ସ୍ଥିତିର ସମୀକ୍ଷା ପାଇଁ ପୁଣିଥରେ ଏନସିଏମସିର ବୈଠକ ଆୟୋଜେନ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ