ଫବୃଆରୀ ୧୦ରୁ ଫାଇଲେରିଆ ନିରାକରଣ ଅଭିଯାନ
ବାଲେଶ୍ୱର,(ଓ୍ବାଇଏନ୍ଏସ୍): ଆସନ୍ତା ଫେବୃଆରୀ ୧୦ତାରିଖରୁ ୧୯ତାରିଖ ପର୍ଯ୍ୟନ୍ତ ଜିଲ୍ଲାବ୍ୟାପୀ ଫାଇଲେରିଆ ରୋଗର ନିରାକରଣ ନିମନ୍ତେ ସାମୂହିକ ବାତଜ୍ୱର/ଫାଇଲେରିଆ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବାଲେଶ୍ୱର ଜିଲ୍ଲାର ୪ଗୋଟି ପୌରାଂଚଳ ସହିତ ୧୨ଗୋଟି ବ୍ଲକର ୨୧ଲକ୍ଷ ଲୋକଙ୍କୁ ଡି.ଇ.ସି. ଏବଂ ଆଲବେଣ୍ଡାଜୋଲ୍ ବଟିକା ସେବନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରଶିକ୍ଷଣ କେନ୍ଦ୍ରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧକାରୀ ଡା. ଦୁଲାଳସେନ ଜଗଦ୍ଦେବ ଏହି ସୂଚନା ପ୍ରଦାନ କରିଛନ୍ତି । ଏହି ବଟିକା ସମ୍ପୂର୍ଣ୍ଣ ନିରାପଦ ଏବଂ ଶରୀରରେ ଲୁଚି ରହିଥିବା ମାଇକ୍ରୋ ଫାଇଲେରିଆକୁ ମାରି ବାତଜ୍ୱର/ଗୋଦର ହେବାକୁ ଦେଇ ନ ଥାଏ । କେବଳ ୨ବର୍ଷରୁ କମ୍ ବୟସର ଶିଶୁ, ଗର୍ଭବତୀ ମହିଳା ଏବଂ ଅତ୍ୟନ୍ତ ଅସୁସ୍ଥ ବ୍ୟକ୍ତି ଏହି ଔଷଧ ସେବନ କରିବେ ନାହିଁ । ଖାଦ୍ୟ ଖାଇସାରିବା ପରେ ଏହି ଔଧଧ ସେବନ କରାଯିବ । ଜିଲ୍ଲାରେ ୫୧୮୦ଜଣ ଆଶା, ଅଙ୍ଗନୱାଡି ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମୀ ଘରକୁ ଘର ବୁଲି ଏହି ଔଷଧ ସେବନ କରାଇବେ । ଏହି କାର୍ଯ୍ୟକ୍ରମର ପର୍ଯ୍ୟବେକ୍ଷଣ ପାଇଁ ୫୧୮ଜଣ ସୁପରଭାଇଜର ନିୟୋଜିତ ହୋଇଛନ୍ତି । ଜିଲ୍ଲାସ୍ତରୀୟ ୧୩ଜଣ ଅଧିକାରୀ ପ୍ରତ୍ୟେକ ବ୍ଲକକୁ ଯାଇ ଏହି କାର୍ଯ୍ୟକ୍ରମର ତଦାରଖ କରିବେ । ବାଲେଶ୍ୱର ଏକ ଫାଇଲେରିଆ ପ୍ରବଣ ଜିଲ୍ଲା ହୋଇଥିବା ବେଳେ ସମସ୍ତ ବ୍ୟକ୍ତି ଆଶା, ଅଙ୍ଗନୱାଡି ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ସମ୍ମୁଖରେ ଏହା ସେବନ କରିବାକୁ ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ(ଭିବିଡି) ଡା. ଶଶାଙ୍କ ଶେଖର ଚୌଧୁରୀ ପରାମର୍ଶ ଦେଇଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଳ ସେନ ଜଗଦ୍ଦେବ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗ ଲୋଡିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ ସାହୁ, ଅତିରିକ୍ତ ଜନସ୍ୱାସ୍ଥ୍ୟ ସୂଚନା ଅଧିକାରୀ ରମଣୀକାନ୍ତ ଭଞ୍ଜ ଏବଂ ଜିଲ୍ଲା ବାହକ ବାହିତ ରୋଗ ପରାମର୍ଶଦାତା ଆଲୋକ କୁମାର ପତିଙ୍କ ସମେତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ଏଥିରେ ଉପସ୍ଥିତ ଥିଲେ ।


