ଫରୱାର୍ଡ଼ ବ୍ଲକର ଦୁଇଦିନିଆ ରାଜ୍ୟ କମିଟି ବୈଠକ ଉଦ୍‌ଯାପିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ଗଠିତ ରାଜନୈତିକ ଦଳ ଅଲ୍ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍‌ର ଓଡ଼ିଶା ରାଜ୍ୟ କମିଟି ବୈଠକ ଅଗଷ୍ଟ ୯ ଓ ୧୦ ଦୁଇଦିନ ଧରି ନେତାଜୀ ଭବନ ଠାରେ ଉଦ୍‌ଯାପିତ ହୋଇଯାଇଛି । ଫରୱାର୍ଡ଼ ବ୍ଲକର ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଦୁଇଦିନିଆ ବୈଠକରେ ଫରୱାର୍ଡ଼ ବ୍ଲକର ସର୍ବଭାରତୀୟ ସାଧାରଣ ସମ୍ପାଦକ ସାଥୀ ଜି. ଦେବରାଜନ କେନ୍ଦ୍ରର ବିଜେପି ଓ ରାଜ୍ୟରେ ବିଜେଡ଼ି ସରକାରର ଜନିବରୋଧି ନୀତି ଫଳରେ ସାଧାରଣ ଜନତା ଦୁର୍ଦ୍ଦଶ ଭୋଗ କରୁଛନ୍ତି । ଅତ୍ୟାବ୍ୟଶ୍ୟକୀୟ ସାମଗ୍ରୀ ଦରଦାମ ଆକାଶଛୁଆଁ ହୋଇଛି । ଆର୍ନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ମାତ୍ରାଧିକ ହ୍ରାସ ପାଇଥିଲେ ମଧ୍ୟ ଆମ ଦେଶରେ ପେଟ୍ରୋଲ, ଡିଜେଲ ଓ ଇନ୍ଧନଗ୍ୟାସ୍ ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ସରକାରଙ୍କ ନିୟନ୍ତ୍ରଣ ବାହାରେ ରହିଛି । ଦେଶରେ ବେକାରୀ, ଛଟେଇ ଏବଂ ତାଲାବନ୍ଦ ଆଦିର ମୁକାବିଲା କରିବାରେ ବ୍ୟର୍ଥ କେନ୍ଦ୍ର ବିଜେପି ସରକାର ସାରା ଦେଶରେ ସାମ୍ପ୍ରଦାୟିକ ବିଦ୍ୱେଷ ସୃଷ୍ଟି କରି ନିଜସ୍ୱ ରାଜନୈତିକ ସ୍ୱାର୍ଥ ସାଧନରେ ବ୍ୟସ୍ତ । କୃଷକ ଓ ଶ୍ରମଜୀବୀ ମଣିଷଙ୍କ ଦୁର୍ଦ୍ଦଶା କହିଲେ ନସରେ । ସାରା ଦେଶରେ ଦେଖା ଦେଇଥିବା ଏଭଳି ଜନ ସମସ୍ୟାର ସମାଧାନ ପାଇଁ ଜନସମସ୍ୟାକୁ ଜନ ଆନ୍ଦୋଳନର ରୂପ ଦେଇ ସମସ୍ୟାର ସମାଧାନ କରିବା ସହ ଜନବାଦୀ ବିକଳ୍ପ ଗଢି ତୋଳିବାକୁ ଫରୱାର୍ଡ଼ ବ୍ଲକର ସାଥୀମାନଙ୍କୁ ଆହ୍ୱାନ ଦେଇଥିଲେ ।ଏହି ପରିବର୍ଦ୍ଧିତ ରାଜ୍ୟ କମିଟି ବୈଠକରେ ଫରୱାର୍ଡ଼ ବ୍ଲକର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର ପାର୍ଟିର ରାଜନୈତିକ ଓ ସାଂଗଠନିକ ରିପୋର୍ଟ ଉପସ୍ଥାପନ କରିଥିଲେ । ଏହି ରିପୋର୍ଟ ଉପରେ ଫରୱାର୍ଡ଼ ବ୍ଲକର ରାଜ୍ୟ ଉପସଭାପତି ଗୋପାଳଚନ୍ଦ୍ର ଅଗ୍ରୱାଲ, ରାଜ୍ୟ ସମ୍ପାଦକ ଜିତେନ୍ଦ୍ରୀୟ ବେହେରା, ଶାନ୍ତିଲତା ମହାରଣା, ଶମ୍ଭୁ ପ୍ରସାଦ ମହାନ୍ତି, ରାଜ୍ୟ କମିଟି ସଭ୍ୟ ସନ୍ତୋଷ କୁମାର ସାହୁ, ସ୍ୱପ୍ନେଶ୍ୱର ପାଣିଗ୍ରାହୀ, ନିରଞ୍ଜନ ଭୋଇ, ନାରାୟଣ ଡାଳୁଆ, ଗୋବିନ୍ଦ ଖିଲ, ବିକ୍ରମ କାଣ୍ଡି, ପଦ୍ମନାଭ ପଣ୍ଡା, ସୋମନାଥ ଖିଲ, କେସେ ବଡ଼ନାୟକ, ଲକ୍ଷ୍ମୀ ବାରିକ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଜନସମସ୍ୟାର ସମାଧାନ ଦିଗରେ ବିଭିନ୍ନ ପ୍ରସ୍ତାବମାନ ଆଗତ କରିଥିଲେ । ଏହି ଦୁଇଦିନିଆ ବୈଠକରେ ସବିଶେଷ ଆଲୋଚନା କରାଯାଇ ଆଗାମୀ ଦିନର ପାର୍ଟିର ସାଂଗଠନିକ ରଣନୀତି ନିର୍ଦ୍ଧାରଣ କରାଯାଇଥିଲା । ଏହି ଅବସରରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଦର୍ଶକୁ ପ୍ରତିଟି ମଣିଷ ପାଖରେ ପହଞ୍ଚାଇବା ପାଇଁ ‘ହର୍ ଘର୍ ନେତାଜୀ’ କାର୍ଯ୍ୟକ୍ରମର ଅୟମାରମ୍ଭ କରାଯାଇଥିଲା । ପାର୍ଟିର କେନ୍ଦ୍ରୀୟ ସାଧାରଣ ସମ୍ପାଦକ ସାଥୀ ଜି. ଦେବରାଜନ ‘ହର୍ ଘର୍ ନେତାଜୀ’ କାର୍ଯ୍ୟକ୍ରମର ଏକ ପୋଷ୍ଟରକୁ ଉନ୍ମୋଚନ କରିଥିଲେ ।ଏହି ଅଭିଯାନ ପ୍ରଥମ ପର୍ଯ୍ୟାୟରେ ଆଜାଦ୍ ହିନ୍ଦ୍ ସରକାରର ପ୍ରତିଷ୍ଠା ଦିବସ ଅକ୍ଟୋବର ୨୧ ତାରିଖ ପର୍ଯ୍ୟନ୍ତ ଜାରି ରହିବ ଏବଂ ଏହି ସମୟ ଅବଧି ମଧ୍ୟରେ ରାଜ୍ୟରେ ଏକଲକ୍ଷ ପରିବାର ନିକଟରେ ନେତାଜୀଙ୍କ ବାର୍ତ୍ତାକୁ ପହଞ୍ଚାଇ ସେମାନଙ୍କୁ ଫରୱାର୍ଡ଼ ବ୍ଲକ ଯୋଡ଼ିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଅକ୍ଟୋବର ୨୧ ତାରିଖ ଦିନ ଫରୱାର୍ଡ଼ ବ୍ଲକ ରାଜ୍ୟସ୍ତରୀୟ ସମାବେଶ ଭୁବନେଶ୍ୱରରେ ସଂଗଠିତ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ଦୁଇଦିନିଆ ପରିବର୍ଦ୍ଧିତ ରାଜ୍ୟ କମିଟି ବୈଠକ ସୁଚାରୁ ରୂପେ ସଂଗଠିତ କରିବା ପାଇଁ ସର୍ବଶ୍ରୀ ବିଜୟ ସାହୁ, କୁମାରୀ ଖରା, ଦୁର୍ଯ୍ୟୋଧନ ପୂଜାରୀ, ହରିବନ୍ଧୁ ଖରା, ରଘୁନାଥ ଆଜାଦ, ପାର୍ବତୀ କୁମାରୀ ଓ ଦେବାଶି ମହାରଣା ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ