ଫରୱାର୍ଡ଼ ବ୍ଲକ୍‌ର ଦୁଇ ଦିନିଆ କର୍ମଶାଳା ଉଦ୍‌ଘାଟିତ

ଭୁବନେଶ୍ୱର,(ଯୁଗାବ୍ଦ ନୁୁ୍ୟଜ୍‌): ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ “ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଳକ’ ପକ୍ଷରୁ ଏକ ରାଜ୍ୟସ୍ତରୀୟ କନ୍‌ଭେନ୍‌ସନ୍ ଭୁବନେଶ୍ୱର ୟୁନିଟ-୬ସ୍ଥିତ ଦଳୀୟ କାର୍ଯ୍ୟାଳୟଠାରେ ଉଦ୍‌ଘାଟିତ ହୋଇଯାଇଛି । ଦଳର ରାଜ୍ୟ ସଭାପତି ପୁର୍ଣ୍ଣଚନ୍ଦ୍ର ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦଳର ସର୍ବଭାରତୀୟ ସାଧାରଣ ସମ୍ପାଦକ ଦେବବ୍ରତ ବିଶ୍ୱାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ଫଳରେ ସାରାଦେଶର ଜନସାଧାରଣ ନାହିଁ ନଥିବା ସମସ୍ୟାର ସମୁଖୀନ ହେଉଛନ୍ତି । କେନ୍ଦ୍ର ସରକାରଙ୍କ ବିମୁଦ୍ରାୟନ ଓ ଜି.ଏସ୍‌.ଟି ଭଳି ଜନବିରୋଧୀ ନିଷ୍ପତ୍ତି ଦେଶର ଅର୍ଥନୀତିକୁ ରସାତଳଗାମୀ କରିଛି । ପେଟ୍ରୋଲ, ଡ଼ିଜେଲ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ଦର ବୃଦ୍ଧି ଦେଶର ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ଉତ୍କଟ ବେକାରୀ ସମସ୍ୟା, କୃଷିଜାତ ସାମଗ୍ରୀର ଅଭାବୀ ବିକ୍ରି, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାରେ ଅଭାବ ଆଦିରେ ଜର୍ଜରିତ ସାଧାରଣ ମନୁଷ୍ୟ ତ୍ରାହି ତ୍ରାହି ଡ଼ାକରା ଦେଲାଣି । ସ୍ୱାଧିନତାର ୭୩ ବର୍ଷ ପରେ ମଧ୍ୟ ଦେଶରେ ଭୋକ, ଭୟ ଓ ଭ୍ରଷ୍ଟାଚାରର ରାଜନୀତି ବଳବତ୍ତର ରହିଛି ବୋଲି ଅଭିଯୋଗ କରିବା ସହିତ ଏଭଳି ଅବସ୍ଥାର ପରିବର୍ତ୍ତନ ପାଇଁ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରଦର୍ଶିତ ମାର୍ଗ ସମାଜବାଦୀ ଗଣତାନ୍ତ୍ରିକ ବ୍ୟବସ୍ଥାର ପ୍ରତିଷ୍ଠା ହିଁ ଏକମାତ୍ର ରାସ୍ତା ବୋଲି ଶ୍ରୀ ବିଶ୍ୱାସ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ । ଦେଶର ସମସ୍ୟା ଜର୍ଜରିତ ମଣିଷ, ଛାତ୍ର, ଯୁବକ ସରକାରଙ୍କ ଏଭଳି ନିଷ୍ପତ୍ତି ବିରୋଧରେ ପ୍ରତିବାଦ କଲାବେଳେ ସେମାନଙ୍କୁ ଜାତି, ଧର୍ମ ନାମରେ ଭାଗ ଭାଗ କରିବା ଉଦେଶ୍ୟରେ କେନ୍ଦ୍ର ସରକାର ନାଗରିକ ସଂଶୋଧନ ଆଇନ ଏବଂ ଏନ୍‌.ଆର୍‌.ସି. ଭଳି ସମ୍ବିଧାନ ବିରୋଧି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରିବା ଅତ୍ୟନ୍ତ ର୍ଦୁଭାଗ୍ୟଜନକ ବୋଲି ପ୍ରକାଶ କରିଥିଲେ । ଏହା ବିରୋଧରେ ଜନସାଧାରଣ ଐକ୍ୟବଦ୍ଧ ଆନ୍ଦୋଳନ ଗଢ଼ି ତୋଳିବାକୁ ଆହ୍ୱାନ କରିଥିଲେ । ଅନ୍ୟ ପଟରେ ଦେଶପ୍ରେମର ସର୍ବୋଚ୍ଚ ପ୍ରତୀକ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀକୁ ଦେଶପ୍ରେମ ଦିବସ ଭାବରେ ଘୋଷଣା କରିବା ସହ ଏହି ଦିନକୁ ଜାତୀୟ ଛୁଟି ଦିବସ ଭାବରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଘୋଷଣା କରିବାକୁ ନିଜ ବକ୍ତବ୍ୟରେ ଦାବୀ କରିଥିଲେ । ଆଜିକାର କନ୍‌ଭେନ୍‌ସନ୍‌ରେ ଅନ୍ୟମାନଙ୍କ ମଧ୍ୟରେ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତିରଞ୍ଜନ ମହାପାତ୍ର, ସମ୍ପାଦକମଣ୍ଡଳୀର ସଭ୍ୟ ସର୍ବେଶ୍ୱର ମିଶ୍ର, ଜିତେନ୍ଦ୍ରୀୟ ବେହେରା, ଅଗ୍ରଗାମୀ କିଶାନ ସଭାର ରାଜ୍ୟ ସମ୍ପାଦକ ଅନିରୁଦ୍ଧ ମଲ୍ଲିକ, ଯୁବନେତା ସମରଜିତ୍ ମହାନ୍ତି, ବିଭୂଧେନ୍ଦ୍ର ପାଢ଼ୀ, ଲକ୍ଷ୍ମୀଧର ଗିରି, ମିଟୁ ମହାପାତ୍ର, ଆଲୋକ ମହାପାତ୍ର, ଛାତ୍ରନେତା କ୍ଷୀରସିନ୍ଧୁ ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖି ବିଭିନ୍ନ ଜନ ସମସ୍ୟା ଉପରେ ଆଲୋଚନା କରିଥିଲେ । ଏହି ଦୁଇ ଦିନିଆ କନ୍‌ଭେନ୍‌ସନ୍‌ରେ ସାରା ରାଜ୍ୟରେ ପାର୍ଟିର ସାଂଗଠନିକ ଅଭିବୃଦ୍ଧି ପାଇଁ ଆଗାମୀ ଦିନର ରଣନୀତି ନିର୍ଦ୍ଧାରଣ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ