ଫଳ ଦୋକାନରୁ ପଲିଥିନ ଜବତ ଜୋରିମାନା ଆଦାୟ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ଗତ ଦୁଇ ଦିନ ଧରି ମୁନିସିପାଲିଟି ତରଫରୁ ସହରର ମୁଖ୍ୟ ବଜାରରେ ଥିବା ବିଭିନ୍ନ ଫଳ ଦୋକାନରେ ଚଢ଼ାଉ କରାଯାଇଛି । ପୂର୍ବରୁ ଫଳ ଦୋକାନରେ ପଲିଥିନ ବ୍ୟବହାର ହେବା ଆଶଙ୍କା ଥିବାରୁ ଏନଫୋର୍ସଟିମ ଟିମ ୭ଟି ଫଳ ଦୋକାନରେ ଚଢ଼ାଉ କରି ପଲିଥିନ ବ୍ୟବହାର କରୁଥିବା ଅଭିଯୋଗରେ ୨୩୦୦/-ଟଙ୍କା ଜୋରିମାନା ଆଦାୟ କରିଥିଲେ।ଏନଫୋର୍ସଟିମର ଅଶ୍ୱିନୀ ନାୟକ, ପରିମଳ ଅଧିକାରୀ ଅଭିଜିତ ପୁରୋହିତ, ଛବି ପଣ୍ଡା, ରବି ଦାସ ଓ କୃଷ୍ଣ ଦାସ ପ୍ରମୁଖ ଚଢ଼ାଉରେ ସାମିଲ ହୋଇଥିଲେ। ସହର ତଥା ଆଖ ପାଖ ଅଞ୍ଚଳରେ ଥିବା ଦୋକାନ ଗୁଡିକରେ ବହୁଳ ଭାବେ ନିଷିଦ୍ଧ ହୋଇଥିବା ପଲିଥିନ ବ୍ୟବହୃତ ହେଉଥିବା ଜଣାପଡିଛି।ପଲିଥିନ ବ୍ୟବହାର ଉପରେ ପ୍ରଶାସନିକ କଟକଣା ଲାଗୁ ହୋଇଥିଲା ବେଳେ ସହରର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନରେ ଲୁଚା ଛପାରେ ଛୋଟ ଛୋଟ ବ୍ୟବସାୟୀ ମାନଙ୍କୁ ବିକ୍ରି କରାଯାଉଥିବା ଜଣାପଡ଼ିଛି।ଏପରି ସ୍ଥଳେ ପଲିଥିନ ବିକ୍ରି କରୁଥିବା ବଡ ବଡ ଦୋକାନୀଙ୍କ ଉପରେ ଏନଫୋର୍ସ ଟିମ ଚଢ଼ାଉ କରିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି।


