ଫସଲବୀମା କ୍ଷତିପୂରଣ ପ୍ରଦାନରେ ଅହେତୁକ ବିଳମ୍ବ, ପୁରୀ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡିଲେ ପୂର୍ବତନ ସମବାୟ ସଭାପତି
କୋଣାର୍କ, (ଗଣେଶ ବେହେରା): କୋଣାର୍କ ଥାନା ଅଧୀନସ୍ଥ କାଦୁଆନୂଆଗାଁ ଗ୍ରାମ ପଞ୍ଚାୟତର ଧନିତ୍ରୀ ସେବା ସମବାୟ ସମିତି ୫ଗୋଟି ରାଜସ୍ବ ଗ୍ରାମ ସମେତ ସନ୍ତରସ ସେବା ସମବାୟ ସମିତିର ଦୁଇଗୋଟି ଗ୍ରାମର ଗତ ଖରିଫ – ୨୦୨୦ ଫସଲ ବୀମା ଯୋଜନାରେ କ୍ଷତିପୂରଣ ବାବଦକୁ ଆସିଥିବା ଅର୍ଥ ରାଶି କୃଷକ ମାନଙ୍କୁ ପ୍ରଦାନ କରିବାରେ ଅହେତୁକ ବିଳମ୍ବ ନେଇ ଧନୀତ୍ରି ସେବା ସମବାୟ ସମିତିର ପୂର୍ବତନ ସଭାପତି ଶଙ୍କର ଭୂୟାଁ ପୁରୀ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଖବରରୁ ପ୍ରକାଶ ଯେ ଗତ ୨୦୨୦ ଖରିଫ ଋତୁରେ କାଦୁଆନୂଆଗାଁ ଗ୍ରାମପଞ୍ଚାୟତର ଧନୀତ୍ରି, ଉପୁଳା, ସନ୍ତରସ, ତଇଲୋ, ବୋବୁଆ, ଜଗନ୍ନାଥପଡା ଓ ପୁବେଇ ଆଦି ଗ୍ରାମର ଶତାଧିକ ଚାଷୀ ମାନଙ୍କ ଧାନ ଫସଲ ନଷ୍ଟ ହୋଇଥିଲା। ଏହି ଗ୍ରାମପଞ୍ଚାୟତର ଶତାଧିକ ଚାଷୀ ପୂର୍ବରୁ ଏକ ବୀମା କମ୍ପାନୀ ମାଧ୍ୟମରେ ନିଜ ନିଜର ଫସଲକୁ ବୀମାଭୁକ୍ତ କରିଥିଲେ। ଏହି ବୀମା ଯୋଜନାରେ ସେମାନଙ୍କ ପାଇଁ ବୀମା କମ୍ପାନୀ ପକ୍ଷରୁ ପୁରୀ – ନିମାପଡ଼ା କେନ୍ଦ୍ରିୟ ସମବାୟ ବ୍ୟାଙ୍କକୁ ଗତ ୬ତାରିଖରେ ଶତକଡା ୬୯.୩୪ହାରରେ ୯୮ଲକ୍ଷ ଟଙ୍କା ସଂପୃକ୍ତ ବୀମା କମ୍ପାନୀ ଚାଷୀ ମାନଙ୍କ କ୍ଷତି ପୂରଣ ପ୍ରଦାନ କରାଯାଇଛି। ଏହି ଅର୍ଥରାଶି ପ୍ରଦାନ କରାଯିବାର ଦୀର୍ଘ ୨୬ଦିନ ଅତିବାହିତ ହୋଇଥିଲେ ମଧ୍ୟ ପୁରୀ-ନିମାପଡା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଚାଷୀ ମାନଙ୍କ ଜମାଖାତାକୁ ହସ୍ତାନ୍ତର କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ବୋଲି ଧନୀତ୍ରି ସେବା ସମବାୟ ସମିତିର ପୂର୍ବତନ ସଭାପତି ଶଙ୍କର ଭୂୟାଁ ପ୍ରକାଶ କରିଛନ୍ତି। କରୋନା ମହାମାରୀରେ ଜର୍ଜରିତ କୃଷକମାନଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ଫସଲ ବୀମା ବାବଦରେ ଆସିଥିବା ଅର୍ଥରାଶି ପ୍ରଦାନ କରିବା ପାଇଁ ପୂର୍ବତନ ସଭାପତି ଶଙ୍କର ଭୂୟାଁ ପୁରୀ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି। ଏହି ଦାବି ପୂରଣ କରାନଗଲେ କାଦୁଆନୂଆଗାଁ ଗ୍ରାମପଞ୍ଚାୟତର ଶତାଧିକ ଚାଷୀ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବେ ବୋଲି ପୂର୍ବତନ ସଭାପତି ଙ୍କ ସମେତ ଶତାଧିକ ଚାଷୀ ଚେତାବନୀ ଦେଇଛନ୍ତି।