ଫାନିକୁ ୩୬ ଦିନ: ଆଜି ବି ଦୁର୍ଦ୍ଦିନରେ ହଜାର ହଜାର ବିପନ୍ନ ପରିବାର
ପୁରୀ (ଜୁଗାବ୍ଦ ନ୍ୟୁଜ୍): ବାତ୍ୟା ଫାନିକୁ ୩୬ ଦିନ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସଳଖି ହୋଇ ଠିଆ ହୋଇପାରିନାହିଁ ପର୍ଯ୍ୟଟନ ସହର ପୁରୀ । ଲୋକଙ୍କୂ ମୌଳିକ ସୁବିଧା ଯୋଗାଇବାରେ ସଫଳ ହୋଇନାହିଁ ପ୍ରଶାସନ । ଯାହାଫଳରେ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି ହଜାର ହଜାର ବିପନ୍ନ ପରିବାର । ହେଲେ ସେମାନଙ୍କ ଦୁଃଖ ବୁଝିବାକୁ କାହାରି ନିକଟରେ ସମୟ ନାହିଁ ବୋଲି ଶନିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି ସମତାକ୍ରାନ୍ତି ଦଳ ରାଜ୍ୟ ସଭାପତି ବ୍ରଜ କିଶୋର ତ୍ରିପାଠୀ । ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, କେନ୍ଦ୍ର ଓ ରାଜ୍ୟ ସରକାର ବାତ୍ୟା ବିପନ୍ନଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରକାର ସହଯୋଗ କରିବାକୁ ଘୋଷଣା କରିଥିଲେ ବି ବାସ୍ତବରେ ତାହା କେତେ କାର୍ଯ୍ୟକାରୀ ହୋଇଛି ତାହାକୁ ଦେଖିବାକୁ କେହି ନାହାନ୍ତି । ବାତ୍ୟାକୁ ପୁରିଲାଣି ମାସେ ହେଲେ ପର୍ଯ୍ୟଟନ ସହରକୁ ସମ୍ପୂର୍ଣ୍ଣ ଭାବେ ସ୍ୱାଭାବିକ୍ ହୋଇପାରିନି ବିଦ୍ୟୁତ୍ ସେବା । ସଞ୍ଜ ନଇଁଲେ ରାସ୍ତାଘାଟ ସମେତ ବସ୍ତିଅଞ୍ଚଳ ଅନ୍ଧାରରେ ରହୁଛି । ସହରାଞ୍ଚଳରେ ସମ୍ପୂର୍ଣ୍ଣ ଭାବେ ବିଦ୍ୟୁତ୍ ସେବା ପହଞ୍ଚିନଥିବାବେଳେ ଗ୍ରାମାଞ୍ଚଳରେ କେବେ ବିଦ୍ୟୁତ୍ ମିଳିବ ତାହା ସମୟ ସାପେକ୍ଷ । ଗ୍ରାମାଞ୍ଚଳରେ କ୍ଷତି ହୋଇଥିବା ବାସଗୃହ, ନଡ଼ିଆ ଗଛ, ପାନ ବରଜ ନଷ୍ଟ ହୋଇଥିବାବେଳ ଅନେକ ଗୃହପାଳିତ ପଶୁ ମରିଛନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ କ୍ଷୟକ୍ଷତି ଆକଳନ ହୋଇପାରିନାହିଁ । ଜରିପାଲ ତଳେ ଜୀବନ ବିତାଉଥିବା ହଜାର ହଜାର ପରିବାର ଉପରେ ପୁଣି ଦାଉ ସାଧିଛି ଗତ ୫ ତାରିଖ କାଳବୈଶାଖି । ଅଧାଗଢ଼ା ଘରକୁ ପୁଣି ଉଡ଼ାଇ ନେଇଛି କାଳବୈଶାଖି । କେବଳ ପୁରୀ ଜିଲ୍ଲା ନୁହେଁ ବାତ୍ୟାରେ ରାଜ୍ୟର ୧୪ ଜିଲ୍ଲା ପ୍ରଭାବିତ ହୋଇଛି । ହେଲେ ଆଜି ପର୍ଯ୍ୟନ୍ତ ପୁରୀ ଜିଲ୍ଲାରେ ବାତ୍ୟା ବିପନ୍ନଙ୍କୁ ଥଇଥାନ କରିବାରେ ରାଜ୍ୟ ସରକାର ବିଫଳ ହୋଇଥିଲା ବେଳେ ଅନ୍ୟ ୧୩ ଜିଲ୍ଲାରେ ବାତ୍ୟା ବିପନ୍ନଙ୍କ ଦୁଃଖ କଣ ବୁଝୁଥିବେ ତାହା ସ୍ପଷ୍ଟ ଭାବରେ ଅନୁମେୟ । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ନଗରପାଳ ସୁରେନ୍ଦ୍ରନାଥ ଦାସ, ରାଜ୍ୟ ଯୁବ ସମତା ସଭାପତି ଇଂ ସାରଦା ପ୍ରସନ୍ନ ସ୍ୱାଇଁ, ଉପସଭାପତି ପ୍ରଭାତୀ ସାମନ୍ତରାୟ, ପୁରୀ ସମତା ସଭାପତି ସବ୍ୟସାଚୀ ରଥ ପ୍ରମୁଖ ଉପସ୍ଥିତ ଥିଲେ ।


