ଫାନିରେ ୪୫ ଗାଈ ମୃତ,ପଦକ୍ଷେପ ନେବାକୁ ଦାବି ହେଉଛି

ବୋଲଗଡ଼ (ଜୁଗାବ୍ଦ ନ୍ୟୁଜ୍‍): ଗତ ୩ ତାରିଖରେ ହୋଇଥିବା ଫାନି ବାତ୍ୟା ପ୍ରକୋପରେ ବୋଲଗଡ ବ୍ଲକରେ ବହୁ କ୍ଷୟକ୍ଷତି ଘଟିଛି । ଘଟଣାର ୯ଦିନ ପରେ ବି ଅଦ୍ୟାବଧି ବହୁ ଗ୍ରାମକୁ ବିଜୁଳି ସଂଯୋଗ ହୋଇପାରିନଥିବାବେଳେ ୫୬ଟି ପାଇପ ଯୋଗେ ଆସୁଥିବା ୩୨ଟି ଗ୍ରାମକୁ ଜଳଯୋଗାଣ କାର୍ଯ୍ୟ ବନ୍ଦ ହୋଇରହିଛି । ଏହା ସହିତ ବହୁ ପଶୁପକ୍ଷୀ ମରିଥିବାବେଳେ ଏକ ଗୋଶାଳାରେ ୪୫ଟି ଗାଇ ମରିଥିବା ଖବର ହସ୍ତଗତ ହୋଇଛି । ବୋଲଗଡ଼ର ବ୍ରହ୍ମପୁରା ନିକଟସ୍ଥ ଏକ ପାହାଡ ଉପରେ ବିଶ୍ୱହିନ୍ଦୁ ପରିଷଦ ପକ୍ଷରୁ ଏକଗୋଶାଳା ଗତ ୬ମାସ ହେବ କାର୍ଯ୍ୟ କରିଆସୁଛି । କୋଣସି ବାଡବନ୍ଦି କରାନଯାଇ ଗୁହାଳ ଘର ନହୋଇ ଖୋଲା ଆକାଶ ତଳେ ୧୭୦ଟି ଗାଈଙ୍କୁ ରଖାଯାଇଥିଲା । ଫନି ବାତ୍ୟାର ପବନ ଓ ବର୍ଷା ମାଡ଼ରେ ୪୫ଟି ଗାଈଙ୍କର ଅକାଳ ମୃତ୍ୟୁ ଘଟିଥିଲା । ଏହି ଗାଈଗୁଡିକୁ ଦିଲ୍ଲୀର ଏକ ସ୍ୱଚ୍ଛାସେବୀ ଅନୁଷ୍ଠାନ ବିନା ପଞ୍ଜିକରଣରେ ଏଠାରେ ଚଳାଇ ଆସୁଛି । ବୋଲଗଡ଼ ଅଞ୍ଚଳର ୫ଜଣ ଲୋକ ଏହାକୁ ଜଗାରଖା କରୁଛନ୍ତି । ଏହି ମୃତ ଗାଈଗୁଡିକୁ ସେହିସ୍ଥାନରେ ପୋତିଦିଆଯାଇଥିବାବେଳେ ଅନେକ ଗାଈଗୋରୁ ଆହତ ହୋଇଛନ୍ତି । ବୋଲଗଡ଼ ପଶୁଚିକିତ୍ସକ ଅଧିକାରୀ ସଦଳବଳେ ଚିକିତ୍ସା କରୁଥିବା ସୂଚନା ଦେଇଛନ୍ତି । ଏହି ଗାଈଗୁଡିକୁ ଭାରତୀୟ ବାଙ୍ଗଲାଦେଶ ସୀମାରୁ ଜବତ କରାଯାଇ ଏଠାକୁ ଆଣି ରଖାଯାଇଥିବା ଜଗୁଆଳିମାନେ କହୁଛନ୍ତି । ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ, ପାନୀୟ ଜଳ ସୁବିଧା ଏବଂ ଗୁହାଳ ଘର ନଥିବାରୁ ରୁଗ୍ଣ ହୋଇ ପଡିଲେଣି । ତୁରନ୍ତ ସରକାରଙ୍କ ପକ୍ଷରୁ ଏହାର ତଦନ୍ତ କରାଯାଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ