ଫାଷ୍ଟଫୁଡ୍ ଦୋକାନ ମାଲିକଙ୍କୁ ଠେଙ୍ଗାରେ ଆକ୍ରମଣ, ଯୁବକ ଗୁରୁତର
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମର ଜଣେ ଫାଷ୍ଟଫୁଡ ଦୋକାନ ମାଲିକଙ୍କୁ ୨ ଯୁବକ ଠେଙ୍ଗାରେ ଆକ୍ରମଣ କରିଛନ୍ତି। ଆକ୍ରମଣରେ ଦୋକାନ ମାଲିକ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମର ରାଜା ପୋଲେଇ (୨୪) । ଘଟଣା ନେଇ ଆହତ ରାଜା ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଛି।
ଅଭିଯୋଗ ପ୍ରକାରେ, ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମର ରାଜା ପୋଲେଇ ଘର ସମ୍ମୁଖରେ ଏକ ଫାଷ୍ଟଫୁଡ ଦୋକାନ କରିଛନ୍ତି। ମଙ୍ଗଳବାର ରାତ୍ର ପ୍ରାୟ ୯ ଘଣ୍ଟା ସମୟରେ ରାଜା ଓ ତାଙ୍କ ବାପା ଭାସ୍କର ପୋଲେଇ ଦୋକାନରେ ଥିବା ସମୟରେ ସେହି ଗ୍ରାମର ବାବୁଆ ମଲିକ ଓ ଉଜ୍ଜଳ ପୋଲେଇ ଦୋକାନକୁ ଆସି ଜଳଖିଆ ଖାଇଥିଲେ। ରାଜା, ଉଭୟଙ୍କୁ ଜଳଖିଆ ବାବଦକୁ ଟଙ୍କା ମାଗିବାରୁ ବାବୁଆ ଓ ଉଜ୍ଜଳ ଦୁହେଁ ମିଶି ରାଜା ଓ ତାଙ୍କ ବାପାଙ୍କୁ ଟଙ୍କା ଦେବାକୁ ମନା କରିବା ସହ ଅଭଦ୍ର ଭାଷାରେ ଗାଳିଗୁଲଜ କରିଥିଲେ। ପରେ ଉତ୍ୟକ୍ତ ହୋଇ ଉଜ୍ଜଳ ଏକ ଠେଙ୍ଗା ଆଣି ରାଜାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ। ଆକ୍ରମଣରେ ରାଜା ଗୁରୁତର ଆହତ ହୋଇଥିଲେ। ଯଦି ଭବିଷ୍ୟତରେ ଜଳଖିଆ ଖାଇବା ବାବଦକୁ କେବେ ବି ଟଙ୍କା ଦାବି କରୁ ହତ୍ୟା କରିବାକୁ ଧମକ ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ।ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସିତ ପରେ ଘଟଣା ନେଇ ଆହତ ରାଜା ବୁଧବାର ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଚଳାଇଛି। ଯଥାଶୀଘ୍ର ଆକ୍ରମଣକାରୀ ଦୁହିଁଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି।