ଫାଷ୍ଟଫୁଡ ପ୍ରେମରେ ଯୁବଗୋଷ୍ଠୀ ଯାଞ୍ଚ ହେଉନି ଖାଦ୍ୟର ମାନ

ନିମାପଡ଼ା,(ସନ୍ତୋଷ କୁମାର ଦାଶ): ପୁରୀ ଜିଲ୍ଲା କାକଟପୁର ମା ମଙ୍ଗଳାଙ୍କ ପାଇଁ ସାରା ଓଡିଶାରେ ପ୍ରସିଦ୍ଧି ଲାଭ କରିବା ସହିତ ଏଠାକୁ ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କ ଆଗମନ ହୋଇଥାଏ । ଆଧୁନିକତାର ଛିଟାରେ ଏଠାରେ ଲୋକମାନଙ୍କର ଜୀବନ ଶୈଳୀରେ ପରିବର୍ତ୍ତନ ଘଟିବା ସହିତ ପାଟି ସୁଆଦିଆ ଖାଦ୍ୟ ପ୍ରତି ଅହେତୁକ ଦୁର୍ବଳତା ବୁଦ୍ଧି ପାଇଛି । ସେହି ଅନୁସାରେ ଲୋକଙ୍କ ଚାହିଦା ଓ ରୁଚି ମୁତାବକ କାକଟପୁର ବଜାର ସମେତ ନୟାହାଟ, ଚାରିଛକ, ତୁଳସୀପୁର ଅଞ୍ଚଳ ର ବିଭିନ୍ନ ଛକବଜାର, ଗଳିକନ୍ଦି ମାନଙ୍କରେ ମାଳମାଳ ଫାଷ୍ଟଫୁଡ୍ ଦୋକାନ ମାନ ଗଢ଼ିଉଠିଛି। ଫାଷ୍ଟଫୁଡ ଖାଦ୍ୟ ପ୍ରତି ବର୍ତ୍ତମାନର ଯୁବପିଢ଼ି ବହୁ ମାତ୍ରାରେ ଆକର୍ଷିତ ହେଉଥ‌ିବା ବେଳେ ଏହାକୁ ଦୈନନ୍ଦିନ ଖାଇବା ସେମାନଙ୍କ ପାଇଁ ଏକ ଟ୍ରେଣ୍ଡରେ ପରିଣତ ହୋଇଛି । ଗୋଟେ ପ୍ରକାରରେ କହିବାକୁ ଗଲେ ଫାଷ୍ଟଫୁଡ ଖାଦ୍ୟ ଜାଲରେ ଯୁବଗୋଷ୍ଠୀ ମାନେ ଛନ୍ଦି ହୋଇପଡିଛନ୍ତି। ଯାହାର ସୁଯୋଗ ନେଉଛନ୍ତି କିଛି ଲାଭଖୋର ଫାଷ୍ଟଫୁଡ ବେପାରୀ। ସଂଧ୍ୟା ହେଲେ ବିଭିନ୍ନ ଛକ ମାନଙ୍କ ରେ ସେମାନଙ୍କ ବେପାରର ପସରା ମେଲୁଛି । ସେମାନେ ପ୍ରସ୍ତୁତ କରୁଥିବା ଖାଦ୍ୟରେ ବିଭିନ୍ନ ପ୍ରକାରର ରାସାୟନିକ ମାରାତ୍ମକ ରଙ୍ଗ, ଚାଇନା ସଲ୍ଟ,ଭିନେଗାର, ନକଲି ସସ ଓ ବିଷାକ୍ତ କେମିକାଲଯୁକ୍ତ ସାମଗ୍ରୀ ମାନ ପକାଇ ଖାଦ୍ୟକୁ ପାଟି ସୁଆଦିଆ କରି ନିର୍ଦ୍ୱନ୍ଦ୍ୱରେ ବ୍ୟବସାୟ ଚଳାଇଛନ୍ତି । ଯାହା ମଧ୍ୟରେ ରହିଛି, ଚାଓମିନ, ଏଗ ରୋଲ, ଚିକେନ ପକୋଡ଼ା, ଚିଲି ଚିକେନ, ବିରିୟାନୀ, ମଞ୍ଚୁରିଆନ, ମୋମୋ ଓ ଚାଟ ପରି ଖାଦ୍ୟ। ଯାହା ଆଖିକୁ ଖୁବ ସୁନ୍ଦର ଓ ପାଟିକୁ ଭାରି ସୁସ୍ବାଦୁ ଲାଗେ। କିନ୍ତୁ ସ୍ଵାସ୍ଥ୍ୟ ପକ୍ଷେ ଏହି ସବୁ ଖାଦ୍ୟ ବହୁ ହାନିକାରକ ବୋଲି ସ୍ଵାସ୍ଥ୍ୟ ବିଶେଷଜ୍ଞ ମାନେ ମତ ପ୍ରକାଶ କରିଛନ୍ତି। ଏହି ସବୁ ଫାଷ୍ଟ ଫୁଡ , ଜଙ୍କ ଫୁଡ୍ ଖାଇବା ଦ୍ବାରା ଗ୍ୟାସଟ୍ରିକ,କିଡ଼ନୀ ରୋଗ, ହାର୍ଟ ରୋଗ, ମେଦ ବହୁଳତା,ସୁଗାର, ବ୍ଲଡ଼ପ୍ରେସର ଓ ଚର୍ମ ରୋଗ ଆଦି ରୋଗ ବହୁଳ ଭାବେ ସୃଷ୍ଟି ହେଉଥିବା କହିଛନ୍ତି ଡାକ୍ତର ରତ୍ନାକର ମହାନ୍ତି। ତା ଛଡା ଫାଷ୍ଟଫୁଡ ବେପାର ମେଲାଇଥିବା ଅଧିକାଂଶ ଦୋକାନୀ ଅତି ନିମ୍ନମାନର ଖାଦ୍ୟ ଗ୍ରାହକ ମାନଙ୍କୁ ବିକ୍ରୟ କରୁଥିବା ଅଭିଯୋଗ ହୋଇଛି। ଯାହାକୁ ଲୋକେ ଖାଇ ସ୍ଵାସ୍ଥ୍ୟଜନିତ ସମସ୍ୟା ଭୋଗୁଛନ୍ତି । କିଛି ଅସାଧୁ ଦୋକାନୀ ବଳକା ରହିଥ‌ିବା ଖାଦ୍ୟକୁ ଫୋପାଡିଦେବା ବଦଳରେ ଫ୍ରିଜରେ ରଖ୍ ପରଦିନ ପୁଣି ଗରମ କରି ଗ୍ରାହକମାନଙ୍କୁ ବିକ୍ରି କରିଥାନ୍ତି। ଏହା ବ୍ୟତୀତ ଅଞ୍ଚଳରେ ଥିବା ବହୁ ଫାଷ୍ଟଫୁଡ ଷ୍ଟଲର ସ୍ବଚ୍ଛତା ଓ ଅପମିଶ୍ରଣ ନେଇ ମଧ୍ଯ ଅଭିଯୋଗ ହୋଇଛି । ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ଅଞ୍ଚଳର କୌଣସି ଫାଷ୍ଟଫୁଡ ଷ୍ଟଲର ଖାଦ୍ୟ ବିକ୍ରୟ ନିମିତ ଲାଇସେନ୍ସ ନଥିବା ବେଳେ ସେମାନେ ଅବାଧରେ ବେପାର ଚଳାଇଛନ୍ତି । କିନ୍ତୁ ବିନା ଫୁଡ ଲାଇସେନ୍ସରେ ଖାଦ୍ୟ ବିକ୍ରୟ କଲେ ଅପରାଧିକ ମାମଲା ରୁଜୁ ହେବାର ସରକାରୀ ନିୟମ ରହିଛି। ଯାହାକୁ କେହି ମାନୁନଥିବା ଦେଖିବାକୁ ମିଳିଛି। କିନ୍ତୁ ଦୈନିକ ବିକ୍ରି ହେଉଥ‌ିବା ପ୍ରତ୍ୟେକ ଫାଷ୍ଟଫୁଡ ଷ୍ଟଲର ଖାଦ୍ୟର ମାନ ଯାଞ୍ଚ କରିବା ଖାଦ୍ୟ ନିରାପତ୍ତା ଅଧିକାରୀମାନଙ୍କ ଦାୟିତ୍ଵ ହୋଇଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି । ଯାହାଦ୍ଵାରା ଲୋକେ ଟଙ୍କା ଦେଇ ରୋଗ କିଣୁଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ । ତୁରନ୍ତ ପୁରୀଜିଲ୍ଲାପାଳ ଓ ପୁରୀ ଜିଲ୍ଲା ଖାଦ୍ୟନିରାପତ୍ତା ଅଧିକାରୀ ଏ ଦିଗରେ ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବୁଦ୍ଧିଜୀବୀ ମହଲ ରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ