ଫିରିଙ୍ଗିଆରେ ବ୍ଲକ ସ୍ତରୀୟ ସର୍ଗିଫୁଲ କାର୍ଯ୍ୟକ୍ରମ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଠାରେ ଥିବା ଆଦିବାସୀ ଉନ୍ନୟନ ବିଭାଗ ଅଧିନରେ ପରିଚାଳିତ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ନେଡିପଦର ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଫିରିଙ୍ଗିଆ ବ୍ଲକ ସ୍ତରୀୟ ସର୍ଗିଫୁଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଫିରିଙ୍ଗିଆ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରଣବ କୁମାର ପରିଡା ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ପାଢ଼ୀଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫିରିଙ୍ଗିଆ ଗୋଷ୍ଠି ଉନ୍ନୟନ ଅଧିକାରୀ ରଶ୍ମିରଂଜନ ମହନ୍ତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିବା ବେଳେ ଥାନା ଅଧିକାରୀ ତପନ କୁମାର ନାହାକ, ଫିରିଙ୍ଗିଆ ବାଳକ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ସିଂ, ଗୋଛାପଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ଅଶୋକ କୁମାର ଷଡଙ୍ଗୀ ପରିଚାଳନା କରିଥିବା ବେଳେ କନ୍ଧମାଳ ଜିଲ୍ଲାର ସଂଗୀତ ନିର୍ଦ୍ଧେଶକ ଅସିତ କୁମାର ନନ୍ଦ, ଗୀତିକାର ଗୋପୀନାଥ ରାଉତ, ଗୀତିକାର ମନୋଜ କୁମାର ନାୟକ, ମଞ୍ଚ ଅଭିନେତା ତଥା ସାମ୍ବାଦିକ ସୁବ୍ରତ କୁମାର ମହାନ୍ତି, ନାଟ୍ୟ ନିର୍ଦ୍ଦେଶକ ପ୍ରଦୀପ କୁମାର ମହାପାତ୍ର, ଜିଲ୍ଲା କଳାକାର ସଙ୍ଘ ସଭାପତି ଅକ୍ଷୟ କର୍ଣ୍ଣ ବିଚାରକ ଭାବରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ବ୍ଲକର ଆଦିବାସୀ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ତର୍କ, ସଂଗୀତ, କୁଇଜ, ଚିତ୍ରାଙ୍କନ, ନୃତ୍ୟ, ଏକକ ଅଭିନୟ ଭଳି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟା ସମୟରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା କନ୍ଧମାଳର ପରମ୍ପରା ଓ ସାମାଜିକ ଚଳଣି, ବାଲ୍ୟ ବିବାହ ଉପରେ ଆଧାରିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ