ଫୁଟବଲ ଖେଳାଳି ଶେଖ ଅବଦୁଲ ମଜିଦଙ୍କ ବିୟୋଗରେ ଶୋକ
ବାଲେଶ୍ୱର, (ସରୋଜ ପଣ୍ଡା) :ବାଲେଶ୍ୱରର ଅନ୍ୟତମ ଖ୍ୟାତନାମା ଫୁଟବଲ ଖେଳାଳି ତଥା ଜିଲା କ୍ରୀଡ଼ା ସଂଘର ସକ୍ରିୟ ସଦସ୍ୟ ଶେଖ ଅବଦୁଲ ମଜିଦଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା । ଗତ କିଛିଦିନ ଧରି ରୋଗ ପୀଡ଼ିତ ହୋଇ ଚିକିତ୍ସିତ ଥିଲେ । ତେବେ ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ପରିବାର ଲୋକେ ତାଙ୍କୁ ଭୁବନେଶ୍ୱରର ଅଶ୍ୱିନୀ ହସପିଟାଲରେ ଭର୍ତ୍ତି କରିଥିଲେ । ୨୩ ତାରିଖ ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି । ତାଙ୍କର ମୃତଦେହ ଆଜି ବାଲେଶ୍ୱରରେ ପହଞ୍ଚିବା ପରେ ବିଭିନ୍ନ ବର୍ଗର ଲୋକ ଶେଷଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଥିଲେ । ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଜଣେ ଦକ୍ଷ ଫୁଟବଲ ଖେଳାଳି ଭାବେ ସେ ବେଶ ପରିଚିତ ଥିଲେ । ବାଲେଶ୍ୱର ପାୱାର କ୍ଲବ ପକ୍ଷରୁ ସେ ରାଜ୍ୟ ତଥା ଜାତୀୟ ସ୍ତରରେ ମ୍ୟାଚ ଖେଳି ସମସ୍ତଙ୍କ ଦୃଷ୍ଟିଆକର୍ଷଣ କରିଥିଲେ । ସେ ବହୁବାର ସନ୍ତୋଷ ଟ୍ରଫିରେ ଖେଳି ପ୍ରଶଂସାଭାଜନ ହୋଇଥିଲେ । ତାଙ୍କର ପରଲୋକ କ୍ରୀଡ଼ା କ୍ଷେତ୍ର ପାଇଁ ଅପୂରଣୀୟ କ୍ଷତି ବୋଲି ଜିଲା କ୍ରୀଡ଼ା ସଂଘ ପକ୍ଷରୁ ଆୟୋଜିତ ଶୋକସଭାରେ ସାଧାରଣ ସମ୍ପାଦକ ଅଭୟ ମହାପାତ୍ର, ସହ-ସାଧାରଣ ସମ୍ପାଦକ ପଦ୍ମଲୋଚନ ଲେଙ୍କା, ଉପ-ସଭାପତି ବୀରେନ୍ଦ୍ର କୁମାର ସ୍ୱାଇଁ, କାର୍ତ୍ତିକ ଚନ୍ଦ୍ର ନାୟକ, ସାଦିକ ଅଲି ଖାଁ, ନିମାଇଁ ଚରଣ ରାଉତରାୟ, ତରୁଣ ଚାଟାର୍ଜୀ, ରବୀନ୍ଦ୍ର କୁମାର ସାହୁ ପ୍ରମୁଖ ମତ ପ୍ରକାଶ କରିଛନ୍ତି ।