ଫୁଲବାଣୀଠାରେ ୭୫ତମ ସ୍ଵାଧୀନତା ଦିବସ ପାଳିତ

 କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଠାରେ ୭୫ ତମ ସ୍ବାଧୀନତା ଦିବସ ପାଳିତ ହୋଇଛି । ସ୍ଥାନୀୟ ରିଜର୍ଭ ପୁଲିସ ପଡିଆରେ ଆୟୋଜିତ ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ରାଜ୍ୟ ଜଙ୍ଗଲ ଓ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୂଖ ଜାତୀୟ ପତାକା ଉତ୍ତୋଳନ କରି ସମବେତ ପ୍ୟାରେଡ଼ର ଅଭିବାଦନ ଗ୍ରହଣ କରିଥିଲେ । ମୂଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ଦେଶର ସ୍ବାଧୀନତା ପାଇଁ ବଳିଦାନ ଦେଇଥିବା ମହାପୁରୁଷ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସ୍ବାଧୀନତା ସଂଗ୍ରାମରେ କନ୍ଧମାଳର ଅବଦାନକୁ ମନେ ପକାଇ ଥିଲେ । ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟର ବିକାଶ ସଂପର୍କରେ ଉଲ୍ଲେଖ କରି ଏଥିରେ ସମସ୍ତଙ୍କ ଆନ୍ତରିକ ସହଯୋଗ କାମନା କରିଥିଲେ ମୂଖ୍ୟ ଅତିଥି । ଏ ଅବସରରେ କୋଭିଡ ଲଢ଼େଇରେ ଉଲ୍ଲେଖନୀୟ ଅବଦାନ ପାଇଁ ସଫେଇ କର୍ମଚାରୀ ଓ ଅଙ୍ଗନବାଡି କର୍ମୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲାପାଳ ଡ ବୃନ୍ଦା ଡି ଓ ଆରକ୍ଷୀ ଅଧୀକ୍ଷକ ଭିନୀତ ଅଗ୍ରୱ।ଲ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ସହରର ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଓ ଅନୁଷ୍ଠାନ ମାନଙ୍କରେ ମଧ୍ୟ ୭୫ତମ ସ୍ବାଧୀନତା ଦିବସ ପାଳିତ ହୋଇଛି । କୋଭିଡ ଗାଇଡ ଲାଇନ ଅନୁଯାୟୀ ପ୍ରତ୍ୟେକ ସ୍ଥାନରେ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ଏହି ରାଷ୍ଟ୍ରୀୟ ଦିବସ ପାଳନ କରାଯାଇଛି । ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ