ଫୁଲବାଣୀ ସ୍ୱେଛାସେବୀ ମହାସଂଘର ବୈଠକ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ବିଭିନ୍ନ ପ୍ରାକୃତିକ ଦୁର୍ବିପାକ ସମୟରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନେ ଲୋକଙ୍କୁ ସହାୟତାର ହାତ ବଢାଉଥିବା ବେଳେ ଏବେ କେନ୍ଦ୍ର ସରକାର ନୂତନ ବିଦେଶୀ ଅନୁଦାନ ଆଇନରେ ବ୍ୟାପକ ପରିବର୍ତନ କରି ସେମାନଙ୍କ ହାତ ବାନ୍ଧି ଦେବାକୁ ଚକ୍ରାନ୍ତ କରିଥିବା ଅଭିଯୋଗ କରିଛି ଫୁଲବାଣୀ ସ୍ୱେଚ୍ଛାସେବୀ ମହାସଂଘ । ଗତ କରୋନା କାଳରେ ସ୍ୱେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟମାନେ ନିଜ ଜୀବନକୁ ବାଜିଲଗାଇ ଲୋକଙ୍କ ସେବାରେ ଲାଗିଥିଲେ । ସେମାନଙ୍କର ଏହି କାର୍ଯ୍ୟକୁ ସ୍ୱୀକୃତି ଦେବା ବଦଳରେ ସରକାର ପାଞ୍ଚ ବର୍ଷରେ ପୁନଃ ପଞ୍ଜୀକରଣ ପାଇଁ ଅଧ୍ୟାଦେଶ ଜାରୀ କରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି । କେନ୍ଦ୍ର ସରକାରଙ୍କ ଏଭଳି ପଦକ୍ଷେପକୁ ଜନବିରୋଧୀ ବୋଲି କହି ଦୃଢ ନିନ୍ଦା କରାଯାଇଛି । ଦାରିଙ୍ଗବାଡି ବ୍ଲକ କିରିକୁଟିଠାରେ ଆୟୋଜିତ ମହାସଂଘର ଏକ ବୈଠକରେ ସରକାରଙ୍କ ଏହି ନୂଆ ଆଇନ ବିଷୟରେ ଆଲୋଚନା କରାଯିବା ସହ ଏହା ବିରୋଧରେ ଜନସ୍ୱାର୍ଥ ମାମଲା ଦାଏର କରିବା ପାଇଁ ନିଷ୍ପ୍ତି ଗ୍ରହଣ କରାଯାଇଥିବା ମହାସଂଘର ଆବାହକ ଅଶୋକ ପରିଡା ଜଣାଇଛନ୍ତି । ସଭାପତି ରବୀନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପିଏଜି ସଦସ୍ୟା ସୁଶୀଳା ଦାଶଙ୍କ ଅକାଳ ବିୟୋଗ ସମେତ କରୋନା କାଳରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ମାନଙ୍କ ଉଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା । ବୈଠକରେ ନିଜ ନିଜ ମତ ଦେଇ ସଦସ୍ୟ ମାନେ ପ୍ରକାଶ କରିଥିଲେ ଯେ, ଅନେକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱତଃପ୍ରବୃତ ଭାବେ ଲୋକଙ୍କୁ ସେବା ଯୋଗାଇ ଦେଉଥିବା ବେଳେ ଏବେ ସରକାର ଏମାନଙ୍କୁ ହଟାଇ କମ୍ପାନି ମାନଙ୍କ ହାତରେ ଗରୀବ ଲୋକଙ୍କ ଭାଗ୍ୟକୁ ଟେକି ଦେବା ପାଇଁ ଚାହୁଁଛନ୍ତି । ସରକାରଙ୍କ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବିରୋଧୀ ମନୋଭାବର ପରିବର୍ତନ ପାଇଁ ଅନୁରୋଧ ସତ୍ୱେ କୋଣସି ସୁଫଳ ମିଳିନାହିଁ । ତେଣୁ ଏହା ବିରୋଧରେ ଜନସ୍ୱାର୍ଥ ମାମଲା ରୁଜୁ କରିବା ପାଇଁ ବୈଠକରେ ସର୍ବ ସମ୍ମତିକ୍ରମେ ନିଷ୍ପତି ନିଆଯାଇଛି । ସେହିଭଳି ଆଗାମୀ ୩୦ ତାରିଖରେ ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସରୁ ଜିଲାରେ ଗାନ୍ଧୀ ବିଚାରଧାରାର ପ୍ରଚାର ପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯିବା ପାଇଁ ସ୍ଥିର କରାଯାଇଛି । ନୂତନ କୃଷି ବିଲ ଉପରେ ଏକ ଆଲୋଚନା ଚକ୍ର ଆୟୋଜନ ପାଇଁ ମଧ୍ୟ ନିଷ୍ପତି ଗ୍ରହଣ କରାଯାଇଛି । ଆଲୋଚନାରେ ମହାସଂଘର ବରିଷ୍ଠ ସଦସ୍ୟ ରାମଚନ୍ଦ୍ର ଦାଶ,ଉତ୍ସବ ଚନ୍ଦ୍ର ଜେନା,ହରିଶଂକର ରାଉତ, କୈଳାଶ ଦଣ୍ଡପାଟ,ପ୍ରଦୀପ ଦାସ,ମହମ୍ମଦ ଜିଆଉଦ୍ଦିନ ଅହମ୍ମଦ,ଅମିତ ନାୟକ, ଲିଙ୍ଗରାଜ ପ୍ରଧାନ, ଭଗବାନ ଜେନା,ଚନ୍ଦ୍ରକାନ୍ତ ନାୟକ,ରବୀନ୍ଦ୍ର ସାହୁ, ଅଶୋକ ପ୍ରଧାନ,କଣ୍ଠେଶ୍ୱର କହଁର,କେଶମତୀ ପ୍ରଧାନ,ସାବିତ୍ରୀ ପାତ୍ରଙ୍କ ସମେତ ୪୦ଟି ଅନୁଷ୍ଠାନର ସଦସ୍ୟ ଅଂଶଗ୍ରହଣ କରିଥିଲେ ।