ଫୁଲ ତୋଳୁଥିବା ବେଳେ ବିଦ୍ୟୁତ ଧକ୍କାରେ ଆହାତ ଛାତ୍ରର କାଟି ଦିଆଗଲା ଦୁଇ ହାତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ବିଦ୍ୟୁତ ବିଭାଗ କର୍ମଚାରୀ ଙ୍କ ତ୍ରୁଟି ଜନିତ ଅଣଦେଖା କାରଣରୁ ଦିଗପହଣ୍ଡି ବ୍ଳକ କରପଡ଼ା ଗ୍ରାମ ର ରବି ବେହେରା (୧୫) ନାମକ ଜଣେ ଦଶମ ଶ୍ରେଣୀ ଛାତ୍ର ବିଦ୍ୟୁତ ଧକ୍କା ରେ ଗୁରୁତର ଆହାତ ହୋଇଥିଲେ। ବ୍ରହ୍ମପୁର ବଡ଼ ମେଡିକାଲ ରେ ଚିକିତ୍ସା କରୁଥିବା ଡାକ୍ତରଙ୍କ ବହୁ ଉଦ୍ୟମ ରେ ଛାତ୍ର ଜଣକ ବଞ୍ଚି ଯାଇଛନ୍ତି।କିନ୍ତୁ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କ ହାତ ଦୁଇଟିକୁ କାଟି ଦିଆଯାଇଥିବା ଜଣାପଡିଛି। ସେ ସମ୍ପୂର୍ଣ ପଙ୍ଗୁ ହୋଇଯାଇଛନ୍ତି। ଏନେଇ ଛାତ୍ରଙ୍କ ବାପା ସନ୍ତୋଷ ବେହେରା ବୁଧବାର ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ବିଦ୍ୟୁତ ବିଭାଗର ବେପରୱା କାର୍ଯ୍ୟ ଯୋଗୁଁ ତାଙ୍କ ପୁଅର ଭବିଷ୍ୟତ ନଷ୍ଟ ହୋଇଗଲା ବୋଲି ପୋଲିସ କୁ କହିଛନ୍ତି।ଥାନାଧିକାରୀ ପ୍ରଶାନ୍ତ କୁମାର ପାତ୍ର ଏତଲାକୁ ଭିତ୍ତିକରି ଥାନା ମାମଲା ନଂ.୪୯୬/୨୪ ଅନୁଯାୟୀ ମକଦ୍ଦମା ରୁଜୁ କରିଛନ୍ତି। ଏସ.ଆଇ ଜ୍ୟୋତି ରଞ୍ଜନ ବେହେରା ଙ୍କୁ ତଦନ୍ତଭାର ଦିଆଯାଇଛି।ଗତ ସେପ୍ଟେମ୍ବର ୬ ତାରିଖ ଭୋର ପ୍ରାୟ ୫ ଟାରେ ଛାତ୍ର ଜଣକ ତାଙ୍କ ଘର ନିକଟ ରେ ଥିବା ଜଣେ ବ୍ୟକ୍ତି ଙ୍କ ନିର୍ମାଣାଧୀନ ବାସଗୃହ କାନ୍ଥ ରେ ଚଢ଼ି ଗଛରୁ ଫୁଲ ତୋଳୁଥିଲେ। ନିକଟରେ ଓହଳି ରହିଥିବା ଉଚ୍ଚ ଶକ୍ତି ସମ୍ପନ୍ନ ୧୧ କେ.ଭି ବିଦ୍ୟୁତ ତାର ପ୍ରତି ତାଙ୍କର ଦୃଷ୍ଟି ନଥିଲା।ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ରବି ଙ୍କ ୨ ହାତ ଜଳି ଯାଇଥିଲା। ସେ ସେଠାରୁ କଚାଡ଼ି ହୋଇ ତଳେ ପଡ଼ିଯାଇଥିଲେ।ଖବରପାଇ ପରିବାର ଲୋକେ କିଛି ଗ୍ରାମବାସୀ ଙ୍କ ସହାୟତାରେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଭର୍ତ୍ତି  କରିଥିଲେ। ଡାକ୍ତରୀ ଟିମ୍ ର ଅକ୍ଳାନ୍ତ ଚେଷ୍ଟା ସତ୍ତ୍ଵେ ତାଙ୍କ ଅବସ୍ଥାରେ ସୁଧାର ନଆସିନଥିଲା। ତାଙ୍କ ଜୀବନ ପ୍ରତି ବିପଦ ଥିବା କାରଣରୁ  ଶେଷରେ ତାଙ୍କ ହାତ ଦୁଇଟିକୁ  କାଟି ଦିଆଯାଇଥିବା ଜଣାପଡିଛି। ସୁସ୍ଥ ହେବାପରେ ବଡ଼ ଡାକ୍ତରଖାନାରୁ ସେଘରକୁ ଫେରିଛନ୍ତି। ସନ୍ତୋଷ ଜଣେ ନିତ୍ୟାନ୍ତ ଗରିବ ଓ ଅସହାୟ ବ୍ୟକ୍ତି ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି। 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ