ଫେବୃୟାରୀରେ ବିଜେଡି ସଭାପତି ନିର୍ବାଚନ

ଭୁବନେଶ୍ୱର : ବିଜେଡିର ସାଂଗଠନିକ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଇତି ମଧ୍ୟରେ ଦଳ ପକ୍ଷରୁ ରାଜ୍ୟର ୩୩ଟି ସାଂଗଠନିକ ଜିଲ୍ଲା ପାଇଁ ନିର୍ବାଚନ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଯାଇଛି । ଚାରିଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ଦଳର ରାଜ୍ୟ ସଭାପତି ଓ ୮୦ ଜଣ କାର୍ଯ୍ୟକାରୀ କମିଟି ସଦସ୍ୟ ପଦ ନିର୍ବାଚନ ଆସନ୍ତା ଫେବୃୟାରୀରେ ହେବ ବୋଲି ଦଳର ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବ କହିଛନ୍ତି । ଅଷ୍ଟମ ସାଂଗଠନିକ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଦଳର ପ୍ରତିଷ୍ଠାତା ସଭାପତି ନବୀନ ପଟ୍ଟନାୟକ ୭ ଥର ସଭାପତି ନିର୍ବାଚିତ ହୋଇଛନ୍ତି ।

ଦଳ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ସେପ୍ଟେମ୍ବର ୨ ତାରିଖରୁ ଆରମ୍ଭ ହୋଇଥିବା ବିଜେଡିର ସଦସ୍ୟ ସଂଗ୍ରହ ଅଭିଯାନର ସମୟସୀମା ଆସନ୍ତା ୧୫ ତାରିଖ  ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏ ପର୍ଯ୍ୟନ୍ତ ୯୬ ଲକ୍ଷରୁ ଅଧିକ ସଦସ୍ୟ ସଂଗ୍ରହ କରାଯାଇପାରିଛି । ୧୫ ତାରିଖ ବେଳକୁ ଏହି ସଂଖ୍ୟା ବୃଦ୍ଧିପାଇବ ବୋଲି କୁହାଯାଇଛି । ଶ୍ରୀ ଦେବ କହିଛନ୍ତି, ପ୍ରଥମ ଥର ପାଇଁ ସଦସ୍ୟ ସଂଗ୍ରହ ଅଭିଯାନରେ ସଦସ୍ୟଙ୍କ ଆଧାର ନମ୍ବର ସଂଲଗ୍ନ କରାଯାଉଛି । ସେମାନଙ୍କ ଫୋନ ନମ୍ବର, ଭୋଟର ପରିଚୟ ପତ୍ର ଏବଂ ଆଧାର ନମ୍ବର ଫର୍ମରେ ଉଲ୍ଲେଖ ରହୁଛି । ସଦସ୍ୟ ସଂଗ୍ରହରେ ସ୍ୱଚ୍ଛତାକୁ ଗୁରୁତ୍ୱ ଦେଇ ଏଭଳି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି । ଜିଲ୍ଲା ନିର୍ବାଚନ ଅଧିକାରୀମାନେ ଆସନ୍ତା ୧୫ ତାରିଖ ସୁଦ୍ଧା ବ୍ଲକ, ଏନଏସି, ପୌର ପରିଷଦ ଏବଂ ମହାନଗର ନିଗମ ପାଇଁ ସହକାରୀ ନିର୍ବାଚନ ଅଧିକାରୀଙ୍କୁ ନିଯୁକ୍ତି ଦେବେ । ଚାରିଟି ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପ୍ରକ୍ରିୟା ଆପାତତଃ ତିନି ମାସ ଧରି ଚାଲିବ । ସମସ୍ତ ପଦ ପାଇଁ ବାଲଟ ପେପରରେ ଭୋଟ ଗ୍ରହଣ କରାଯିବ ବୋଲି ଶ୍ରୀ ଦେବ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ