ଫେବୃୟାରୀ ୧୨ରୁ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ନେହେରୁ ଯୁବକେନ୍ଦ୍ର ସଂଗଠନ ଓଡ଼ିଶା ଶାଖା ଖୋର୍ଦ୍ଧା ଏବଂ ଗୃହ ମନ୍ତ୍ରଣାଳୟ ସହଯୋଗରେ ଆୟୋଜନ ହେବାକୁ ଯାଉଛି ୧୪ତମ ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ । ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ୱବିଦ୍ୟାଳୟ ଅନ୍ତର୍ଜାତୀୟ ଚେସ୍ ହଲ୍ ଠାରେ ଏହି ୭ ଦିନିଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । କାର୍ଯ୍ୟକ୍ରମରେ ଓଡ଼ିଶା ସମେତ ମହାରାଷ୍ଟ୍ର, ଛତିଶଗଡ଼, ଝାରଖଣ୍ଡ ଆଦି ରାଜ୍ୟରୁ ପାଖାପାଖି ୨ଶହ ଆଦିବାସୀ ଯୁବକ, ଯୁବତୀ ଓଡ଼ିଶାର ଆଦିବାସୀ ଜୀବନର ସଂସ୍କୃତି, ପରମ୍ପରା ଏବଂ ଅନ୍ୟାନ୍ୟ ଦିଗ ଉପରେ ଅନୁସନ୍ଧାନ କରିବେ । ଆଦିବାସୀ ଜନସଂଖ୍ୟା ପାଇଁ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ବିଷୟରେ ଅବଗତ ହେବା ସହ ମାନ୍ୟବର ରାଜ୍ୟପାଳ, ଓଡ଼ିଶାଙ୍କ ଦ୍ୱାରା ରାଜଭବନକୁ ନିମନ୍ତ୍ରଣ କରାଯାଇଛି । କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ଆମର ଆଦିବାସୀ ଯୁବକମାନଙ୍କୁ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ସହିତ ଅବଗତ କରିବା, ବିବିଧତା ମଧ୍ୟରେ ଏକତାକୁ ପ୍ରଶଂସା କରିବା, ସେମାନଙ୍କୁ ବିକାଶ କାର୍ଯ୍ୟକଳାପ ଏବଂ ଶିଳ୍ପ ଉନ୍ନତିରେ ସାମିଲ ସହ ନୂତନ ଚିନ୍ତାଧାରା ଏବଂ ଜୀବନ ଶୈଳୀର ଅନୁସନ୍ଧାନ କରିବା । ଉକ୍ତ କାର୍ଯ୍ୟକ୍ରମ ଫେବୃୟାରୀ ୧୨ରୁ ୧୮ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଆଇ.ଆର୍.ସି ଭିଲେଜ୍ ସ୍ଥିତ ନେହେରୁ ଯୁବକେନ୍ଦ୍ର ସଂଗଠନ କାର୍ଯ୍ୟାଳୟ ପରିସର ମଧ୍ୟରେ ଅ।।ୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ଆଞ୍ଚଳିକ ନିର୍ଦ୍ଦେଶିକା ଶ୍ରୀମତୀ ହନି ସିହ୍ନା, ଉପ-ନିର୍ଦ୍ଦେଶକ ଶକ୍ତି ସ୍ୱରୂପ ସିଂ, ଜିଲ୍ଲା ଯୁବ ଅଧିକାରୀ ବିପିନ୍ କୁମାର ସୂଚନା ଦେଇଛନ୍ତି ।