ଫେରାର ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ
ଦିଗପହଣ୍ଡି,(ଓ୍ବାଇଏନ୍ଏସ୍):ଦିଗପହଣ୍ଡି ପୋଲିସ ଭୀଷ୍ମଗିରି ଗ୍ରାମ ନାଳବନ୍ଧ ସାହିର ନିମେଷ ମହାନ୍ତି ଙ୍କୁ ଶୁକ୍ରବାର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଥାନା ମାମଲା ନଂ.୧୬୪/୨୦ ଅନୁଯାୟୀ ଜାମିନ ଆବେଦନ ନାମଞ୍ଜୁର ହୋଇଯିବାରୁ ଅଭିଯୁକ୍ତ ଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ୫ ତାରିଖ ମଧ୍ୟାହ୍ନ ରେ ଗ୍ରାମର ହନୁମାନ ମନ୍ଦିର ସାହିର ଗଣେଶ ମହାନ୍ତି ଓ ତାଙ୍କ ବାପା ହରିବନ୍ଧୁ ମହାନ୍ତି ତାଙ୍କ ଘର ପାଖରେ ବସିଥିବା ବେଳେ ଅଭିଯୁକ୍ତ ନିମେଶ ଙ୍କ ସହ ତାଙ୍କ ସମ୍ପର୍କୀୟ ମାନେ ସଂଘବଦ୍ଧ ହୋଇ ବିଭିନ୍ନ ମାରଣାସ୍ତ୍ର ରେ ଅତର୍କିତ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ରକ୍ତ ଯୁଡୁବୁଡୁ ଅବସ୍ଥାରେ ଉଭୟ ବାପ , ପୁଅ ଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପୂର୍ବରୁ ଏହି ମାମଲାରେ ଟୁନା ମହାନ୍ତି ଓ ଶିବ ମହାନ୍ତି ବାପ,ପୁଅ ଦୁହିଁ ଙ୍କୁ ଗତ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଅନ୍ୟତମ ଅଭିଯୁକ୍ତ ନିମେଶ ଘଟଣା ଦିନଠାରୁ ଫେରାର ଥିଲେ ଗତ ସୋମବାର ତାଙ୍କୁ ଗିରଫ କରାଯାଇ କୋଭିଡ ପରୀକ୍ଷା ପାଇଁ ପଠାଯାଇଥିଲା। ନେଗେଟିଭ ରିପୋର୍ଟ ମିଳିବାପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।


