ଫୋନିରେ ଗଞ୍ଜାମର ୬୬.୯୭ କୋଟି କ୍ଷତି ଆକଳନ
ଗଞ୍ଜାମ (ଯୁଗାବ୍ଦ ନ୍ୟୁଜ)ଫୋନି ବାତ୍ୟାରେ ଗଞ୍ଜାମ ଜିଲ୍ଲାରେ ୬୬କୋଟି ୯୭ ଲକ୍ଷ ୪୪ ହଜାର ଟଙ୍କାର କ୍ଷତି ହୋଇଥିବା ପ୍ରାଥମିକ ଆକଳନ ପରେ ଜଣାପଡିଛି । ତେବେ ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ସର୍ଭେ କରୁଛନ୍ତି । ଖୁବ ଶୀଘ୍ର ଚୁଡାନ୍ତ ଆକଳନ ରିପୋର୍ଟ ପ୍ରସ୍ତୁତ ହେବ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ମଙ୍ଗବାର ଯୋଗାଯୋଗ ବେଳେ କହିଛନ୍ତି । ସେ ଆହୁରି କହିଛନ୍ତି , ପ୍ରଥମ ପର୍ଯ୍ୟାୟ ଆକଳନରେ ଜିଲ୍ଲାର ୨୩୨୪ ହେକ୍ଟର ଜମିରେ ହୋଇଥିବା କୃଷି ଓ ଉଦ୍ୟାନ ଫସଲ କ୍ଷତି ହୋଇଛି । ଏହି ବାତ୍ୟାରେ ୭ଗାଇ ଓ ମଇଁଷି ,୨ବଳଦ ,୧୨ ଶାବକ , ୪୫୮୫ କୁକୁଡା ମରିଛନ୍ତି ।ଏଥିସହ ବାତ୍ୟାରେ ରାସ୍ତା ଓ କୋଠାବାଡି ବିଭାଗର ବିଭିନ୍ନ କୋଠା ଓ ରାସ୍ତା କ୍ଷତିଗ୍ରସ୍ଥ ହୋଇଛି । ଏହାର କ୍ଷତି ୧୮ଲକ୍ଷ ୧୫ ହଜାର ଟଙ୍କା ବୋଲି ପ୍ରାଥମିକ ଆକଳନରୁ ଜଣା ପଡିଛି । ଭଞ୍ଜନଗର ଜନସ୍ୱାସ୍ଥ୍ୟ ଡିଭିଜନର ୧୨ ପ୍ରକଳ୍ପରେ ପ୍ରାୟ ୫୦ଲକ୍ଷ ବୋଲି କୁହାଯାଉଛି । ସାଉଥକୋର ୧୨କୋଟି ୪୪ଲକ୍ଷ ଟଙ୍କା ର କ୍ଷତି ହୋଇଥିବାବେଳେ ଚିକିଟି ବ୍ଲକର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର , ସ୍କୁଲ କୋଠା ଓ ରାସ୍ତା ଭାଙ୍ଗି ୧୯ କୋଟି ୯୭ ଲକ୍ଷ ୯୧ ହଜାର ଟଙ୍କାର କ୍ଷତି , କବି ସୁର୍ଯ୍ୟ ନଗରରେ କଲଭର୍ଟ ଭାଙ୍ଗି ୧କୋଟି ୯୪ଲକ୍ଷ ଟଙ୍କାର କ୍ଷତି , ବିଭିନ୍ନ ସହରାଞ୍ଚଳରେ ୭ କୋଟି ୯ଲକ୍ଷ ଟଙ୍କାର କ୍ଷତି , ବିଭିନ୍ନ ଆଶ୍ରମ ସ୍କୁଲ ଭାଙ୍ଗି ୩୦ ଲକ୍ଷ ୬୦ ହଜାର ଟଙ୍କାର କ୍ଷତି ହୋଇଛି । ଏଥିସହ ୧୦୨୨ ଘର ମଧ୍ୟ ଏହି ବାତ୍ୟାରେ ଭାଙ୍ଗିଛି ।